ରାଜଧାନୀରେ ପହଞ୍ଚିଲା ‘ପ୍ଲାଣ୍ଟ ଫର ପିସ୍‌’ ଭ୍ୟାନ୍‌

ଚୟନ ହେବେ ଗଛ ବଞ୍ଚାଇଥିବା ୬ଟି ସ୍କୁଲର ୧୮ ଛାତ୍ରଛାତ୍ରୀ

ଭୁବନେଶ୍ୱର : ରାଜଧାନୀରେ ପହଞ୍ଚିଛି ‘ପ୍ଲାଣ୍ଟ ଫର ପିସ୍‌’ ଭ୍ୟାନ୍‌। ‘କଦମ’ ସଂସ୍ଥା ପକ୍ଷରୁ ଦେଶବ୍ୟାପୀ ଚାଲିଥିବା ଗଛ ଲଗାଇବା ଅଭିଯାନରେ ଏହି ଭ୍ୟାନ୍‌ ରାଜଧାନୀରେ ରହିବ। ରାଜଧାନୀର ୬ଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ପୂର୍ବରୁ ଦିଆଯାଇଥିବା ମଞ୍ଜିରୁ ଗଛ ବଞ୍ଚାଇଥିବା ୧୮ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ଏହି ୧୮ଜଣ ଛାତ୍ରଛାତ୍ରୀଙ୍କ ସହିତ ଦେଶର ୨ହଜାର ଛାତ୍ରଛାତ୍ରୀଙ୍କୁ ନେଇ ଆସନ୍ତାବର୍ଷ ମେ’ମାସରେ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ। ଆଜି ସଂଧ୍ୟାରେ ‘କଦମ’ର କର୍ମକର୍ତା ‘ସମ୍ବାଦ’ର ସଂପାଦକଙ୍କୁ ଭେଟି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସାହାଯ୍ୟ ଲୋଡ଼ିଛନ୍ତି।

‘କଦମ’ ସଂସ୍ଥାର କର୍ମକର୍ତା ଯୋଗେଶ ଗନୌରେଙ୍କ କହିବାନୁଯାୟୀ, ୧୯୯୫ ମସିହାରୁ ମଧ୍ୟପ୍ରଦେଶର ଜବଲପୁରରେ ‘କଦମ’ର ଆରମ୍ଭ ହୋଇଛି। ୨୦୦୪ରୁ ପ୍ରତିଦିନ ବିଶ୍ୱ ଶାନ୍ତି ପାଇଁ ଗଛ ଲଗାଇବା କାର୍ଯ୍ୟକ୍ରମ ଜାରି ରହିଛି। ପ୍ରତ୍ୟେକ ଦିନ କେଉଁଠି କେଉଁଠି ଗୋଟିଏ ଗଛ ଲଗାଯାଇଥାଏ। ବିଶେଷକରି ସ୍କୁଲ ଛାତ୍ରଛାତ୍ରୀଙ୍କ ମନରେ ଗଛ ପ୍ରତି ଦୁର୍ବଳତା ସୃଷ୍ଟି କରିବା ପାଇଁ ବିଭିନ୍ନ ସ୍କୁଲରେ ଗଛର ମଞ୍ଜି ବଣ୍ଟା ଯାଇଥାଏ। ଷଷ୍ଠରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ମଞ୍ଜି ବଣ୍ଟନ ହୋଇଥାଏ। ଗତ ଜୁଲାଇ/ଅଗଷ୍ଟ ମାସରେ ‘କଦମ’ ପକ୍ଷରୁ ଭୁବନେଶ୍ୱର ୬ଟି ସ୍କୁଲରେ ଏହି ମଞ୍ଜି ବଣ୍ଟା ଯାଇଥିଲା। ତେଣୁ ଆସନ୍ତାକାଲି ଏସବୁ ସ୍କୁଲର ଯେଉଁ ଛାତ୍ରଛାତ୍ରୀ ଗଛ ବଞ୍ଚାଇଛନ୍ତି ସେମାନେ ଏହାକୁ ସ୍କୁଲକୁ ଆଣିବାକୁ କୁହାଯାଇଛି।

ପ୍ରତ୍ୟେକ ସ୍କୁଲରୁ ୩ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରାଣ୍ଡ ଫାଇନାଲ ପାଇଁ ଚୟନ କରାଯିବ। ଭୁବନେଶ୍ୱରୁ ଏଥିପାଇଁ ସମୁଦାୟ ୧୮ଜଣ ଚୟନ ହେବେ। ଏହାସହ ସେସବୁ ସ୍କୁଲର ଜଣେ ଶିକ୍ଷକଙ୍କୁ ମଧ୍ୟ ଦିଲ୍ଲୀ ନିଆଯିବାର ବ୍ୟବସ୍ଥା କରାଯିବ। ଗ୍ରାଣ୍ଡ ଫାଇନାଲରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏସବୁ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ଜଣଙ୍କୁ ମିଳିତ ଜାତିସଂଘର କାର୍ଯ୍ୟକ୍ରମକୁ ପଠାଯିବ ବୋଲି ଶ୍ରୀ ଗନୌରେ ସୂଚନା ଦେଇଛନ୍ତି। ଆସନ୍ତାକାଲି କେନ୍ଦ୍ରୀୟ ବିଦ୍ୟାଳୟ ନଂ ୧, କ୍ୟାପିଟାଲ ହାଇସ୍କୁଲ, ସେଣ୍ଟ ଯୋଶେଫ ହାଇସ୍କୁଲ, ୟୁନିଟ୍‌ ୪ସ୍ଥିତ ଭିଇଏମ୍‌ଏସ୍‌, ୟୁନିଟ ୯ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ପଙ୍କଜ ଗୋସ୍ୱାମୀ ଓ ଅନ୍ୟାମାନେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର