ଆମ କଟକ ପକ୍ଷରୁ ‘ସମ୍ବାଦ ସାହିତ୍ୟଘର’ ସହଯୋଗରେ ଚାରା ରୋପଣ: ‘ସନ୍ତାନ ଭଳି ଗଛର ଲାଳନ ପାଳନ ଅପରିହାର୍ଯ୍ୟ’

କଟକ : ଗଛ ମାନବ ସମାଜର ପରମ ବନ୍ଧୁ। ସମଗ୍ର ଜୀବଜଗତ ପାଇଁ ବୃକ୍ଷର ଅବଦାନ ଅତୁଳନୀୟ। ଗଛ ଲଗାଇବା ଏବେ ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ୍। କେବଳ ଚାରାଟିଏ ରୋପଣ କରି ଛାଡ଼ିଦେଲେ ହେବନାହିଁ, ଏକ ସନ୍ତାନ ବଡ଼ହେବା ପାଇଁ ଯେମିତି ମା’ର ଲାଳନ ପାଳନ ଓ ଆଦର ଲୋଡ଼ା ଠିକ୍ ସେମିତି ଗଛଟିକୁ ବଂଚାଇ ରଖିବାକୁ ଲାଳନ ପାଳନ ଅପରିହାର୍ଯ୍ୟ ବୋଲି ଆଜି ‘ସମ୍ବାଦ-ସାହିତ୍ୟଘର’ ଓ ସାମାଜିକ ସଂଗଠନ ‘ଆମ କଟକ’ର ମିଳିତ ଆନୁକୂଲ୍ୟରେ ବାଲିକୁଦା ଜାତୀୟ ରାଜପଥ ପାର୍ଶ୍ବରେ ଆୟୋଜିତ ବୃକ୍ଷ‌‌ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡାପଡା ବିଧ‌ାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି।

‘ଆମ କଟକ’ର ସଭାପତି ଅନିଲ ବେଉରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକଙ୍କ ୭୦ତମ ଜନ୍ମଦିନକୁ ସ୍ମରଣୀୟ ରଖିବାକୁ ୭୦ଟି ବୃକ୍ଷରୋପଣ କରାଯାଇଥିଲା। ଆମ କଟକ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହିତ ଜନ୍ମଦିନ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆମ କଟକର ପ୍ରତିଷ୍ଠାତା ଆଡଭୋକେଟ ସନ୍ତୋଷ କୁମାର ମହାନ୍ତି, କର୍ପୋରେଟର ଜନାର୍ଦ୍ଦନ ପରିଡା, କର୍ପୋରେଟର କେ. କାମେଶ୍ବର ରାଓ, କାଉନସିଲର ଦିଲ୍ଲୀପ ଭୂୟାଁ ପ୍ରମୁଖ ‌ଯୋଗ ଦେଇଥିଲେ। ସଂଗଠନର ମୁଖପାତ୍ର ତଥା ଯୁବନେତା ମାନସ ପରିଡା ସ୍ବ‌ାଗତ ଭାଷଣ ପ୍ରଦାନ କରିଥିଲେ। ଆଇନଜୀବୀ ଅନ୍ନପୂର୍ଣ୍ଣା ସାହୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଯୁବ ନେତା ସୁକାନ୍ତ ସାହାଣୀ, ସୂର୍ଯ୍ୟକାନ୍ତ ରାଉତ, ରାଜେଶ ସ୍ବାଇଁ, ବାଲିକୁଦା ଗ୍ରାମ୍ୟ କମିଟି ସଭାପତି ସନ୍ଦୀପ ବେଉରା, ବାଲିକୁଦା ପୂଜା କମିଟି ସଭାପତି ଶରତ ଭୂୟାଁ, ସନ୍ତୋଷ ଲେଙ୍କା, ପ୍ରଭାତ ସ୍ବ‌ାଇଁ, ଗୋକୁଳ ସିହ୍ନା, ବିରେନ ପଶାୟତ, ପ୍ରତାପ ବେହେରା, ସୋନୁ ପରିଜା, ବିଜୟ ମଲ୍ଲିକ, ବିନୟ ଲେଙ୍କା, ସନାତନ ମହାରଣା, ଅଜୟ ଦାସ, ଛାତ୍ର ନେତା ଜଗନ ସାହୁ, ବିଶାଲ ବେଉରା, ଟୁକୁନା ପାଣି ଓ ରଂଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ‘ସମ୍ବାଦ’ ପକ୍ଷରୁ ମୁଖ୍ୟ ସହ ସଂପାଦକ ସଚ୍ଚିକାନ୍ତ ନ‌‌ାଥ, ପ୍ରସାର ଅଧିକାରୀ ସୁଶାନ୍ତ କୁମାର ବିଶ୍ବାଳ, ସାମ୍ବାଦିକ ଗଦାଧର ପଣ୍ଡା ଓ ସତ୍ୟଜିତ୍‌ ଗୋସ୍ବାମୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର