ଭୁବନେଶ୍ବର, ୨/୬ (ଇମିସ): ଜୁନ ୫ ତାରିଖ ବିଶ୍ବ ପରିବେଶ ଦିବସଠାରୁ ‘ସମ୍ବାଦ ସାହିତ୍ୟଘର’ ତରଫରୁ ଚଳିତ ବର୍ଷର ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଗତବର୍ଷମାନଙ୍କ ଭଳି ଏବର୍ଷ ମଧ୍ୟ ‘ସମ୍ବାଦ ସାହିତ୍ୟଘର’ର ସଦସ୍ୟ, ଉଦ୍ୟୋକ୍ତା, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ପରିବେଶକୁ ଭଲପାଉଥିବା ବ୍ୟକ୍ତି ଓ ଶୁଭେଚ୍ଛୁମାନଙ୍କୁ ନେଇ ଏହି ଅଭିଯାନ ଆରମ୍ଭ ହେବ।
ଆସନ୍ତା ଅଗଷ୍ଟ ୧୮ ତାରିଖ ଯୁବ ସ୍ବାଭିମାନ ଦିବସରେ ଏହା ଉଦ୍‌ଯାପିତ ହେବ। ନିଜର ସୁବିଧା ଅନୁଯାୟୀ ସ୍ଥାନ ଚୟନ କରି ବ୍ୟବସ୍ଥିତ ଭାବରେ ଅଧିକ ଚାରାରୋପଣ କରିବା ପାଇଁ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ ଯେ ଓଡ଼ିଶା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୩୭୦ଟି ସାହିତ୍ୟଘରର ସଦସ୍ୟମାନେ ବିଗତ ୨୦୧୯ ମସିହାଠାରୁ ୨୦୨୩ ମସିହା ମଧ୍ୟରେ ପାଖାପାଖି ୪ ଲକ୍ଷ ଚାରା ରୋପଣ କରିସାରିଲେଣି। ତେଣୁ ପ୍ରତ୍ୟେକ ସାହିତ୍ୟଘର ଶାଖାର ଉଦ୍ୟୋକ୍ତା ବନ୍ଧୁମାନେ ନିଜ ଅଞ୍ଚଳର ବନଖଣ୍ଡ ଅଧିକାରୀଙ୍କ ସହାୟତା କିମ୍ବା ନିଜସ୍ବ ପ୍ରଚେଷ୍ଟାରେ ଚାରା ସଂଗ୍ରହ କରି ଏ କାର୍ଯ୍ୟକ୍ରମକୁ ଆଗେଇ ନେବେ। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ କରିବା ସହିତ ପୂର୍ବବର୍ଷ ମାନଙ୍କରେ ରୋପଣ ହୋଇଥିବା ବୃକ୍ଷଗୁଡ଼ିକର ଯତ୍ନ ନେବା ପାଇଁ ସାହିତ୍ୟଘରର ଅଧ୍ୟକ୍ଷ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି।

Advertisment