ଏନ୍‌ଏଚ୍‌ରେ ଗଛଲଗା କେତେ ସତ?

ଦୁଇ ସରକାରୀ ବିଭାଗର ଭିନ୍ନ ମତ

ସମ୍ବଲପୁର : ସମ୍ବଲପୁର-ଗୋଡ଼ଭଗା ଜାତୀୟ ରାଜପଥରେ ବଳି ପଡ଼ିଥିଲା ୩୫୩୮ ଗଛ । ଏହା ବଦଳରେ ଏନଏଚଏଆଇ ପକ୍ଷରୁ ୩୫ ହଜାର ୩୬୦ ଗଛ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇ ଥିଲା। କେଉଁଭଳି ଗଛ ଲଗାଯିବା ସେ ନେଇ ୨୦୧୨ ମସିହାରେ ବୈଠକ ହୋଇଥିଲା। ୫ ବର୍ଷ ମଧ୍ୟରେ ଏଠାରେ କେତେ ସଂଖ୍ୟକ ଗଛ ଲାଗିଛି ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ସମ୍ବଲପୁର ସ୍ଥିତ ଏନଏଚଏଆଇ ପ୍ରକଳ୍ପ ଅଧିକାରୀ ଭେଙ୍କେଟେଶ୍ବରାଲୁ କହିଛନ୍ତି, ‘ନିଷ୍ପତ୍ତି ଅନୁସାରେ ସମ୍ବଲପୁର-ଗୋଡ଼ଭଗା ରାସ୍ତାରେ ସମସ୍ତ ଗଛ ଲଗାଯାଇ ସରିଛି’। ସମ୍ବଲପୁର ଡିଏଫଓ ସଂଜୀତ କୁମାର କହିଛନ୍ତି, ‘ସମ୍ବଲପୁର-ଗୋଡ଼ଭଗା ଜାତୀୟ ରାଜପଥରେ ଏନଏଚଏଆଇ ନିଷ୍ପତ୍ତି ଅନୁସାରେ ଗଛ ଲଗାଇ ନାହିଁ। କିଛି ସ୍ଥାନରେ ହାତଗଣତି ଗଛ ଲଗାଇ ଦାୟିତ୍ବ ସାରି ଦିଆଯାଇଛି’। ଏନଏଚଏଆଇର ଗଛ ଲଗାଇବା ନେଇ ପ୍ରସ୍ତୁତ ଅଡିଟ ରିପୋର୍ଟ ଉପରେ ମଧ୍ୟ ଓଡ଼ିଶା ସରକାର ଆପତ୍ତି ଉଠାଇଛି। ସମ୍ବଲପୁର-ବରଗଡ଼ ନୁହେଁ ଚଣ୍ଡିଖୋଲ-ବାରିପଦା, ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରେ ଏନଏଚଏଆଇ ପକ୍ଷରୁ ନିୟମ ଅନୁଯାୟୀ ଗଛ ଲଗାଯାଇ ନାହିଁ। ଏପରିକି ଏ ନେଇ ଏନଏଚଏଆଇ ଯେତେସଂଖ୍ୟକ ଗଛ ଲଗାଯାଇଥିବା କୁହାଯାଉଛି ସେଥିରେ ମଧ୍ୟ ତ୍ରୁଟି ରହିଛି। ଏଥିପାଇଁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ, ଏନଏଚ ସଂପ୍ରାସାରଣ ପରେ ଗଛ ଲଗାଇବା ଦାୟିତ୍ବ ଏନଏଚଏଆଇକୁ ଦିଆଯିବ ନାହିଁ। ଗଛ ମୂଲ୍ୟାୟନ କରାଯିବ। ଏହି ଅର୍ଥ ଜଙ୍ଗଲ ନିଗମରେ ଜମା କରାଯିବ। ଏହି ଅର୍ଥରେ ଜଙ୍ଗଲ ବିଭାଗ ଗଛ ଲଗାଇବ।

ଅନ୍ୟପକ୍ଷରେ, ଦୁଇ ବିଭାଗ ମଧ୍ୟରେ କିଏ ସତ କିଏ ମିଛ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଏନ୍‌ଏଚ୍‌ କର୍ତ୍ତୃପକ୍ଷ ମିଛ ରିପୋର୍ଟରେ ଦେଇଛନ୍ତି, ଦାୟିତ୍ବ‌ୋ ଥିବା ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାିବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର