ଗୋପ/ପୁରୀ: ପୁରୀ ଜିଲ୍ଲାରେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବନୀକରଣ ଜରିଆରେ ପରିବେଶ ସୁରକ୍ଷା ନେଇ ଆରମ୍ଭ ହୋଇଥିବା କାମ୍ପା ଯୋଜନାରେ ବ୍ୟାପକ ହରିଲୁଟ୍ ହୋଇଛି। କାଗଜପତ୍ରରେ ୨୫ ଏକର ଜମିରେ ଏହି ଚାରାରୋପଣ ହୋଇଥିବା ଅଭିଯୋଗ ହୋଇଛି। ବନବିଭାଗ ଚାରରୋପଣ ନକରି ଫଳକ ମାରି ନିଜ କାମ ସାରିଦେଇଛି। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ଗୋପ ବନାଞ୍ଚଳରେ। ଗଡ଼ଟୁସିଂହ ମୌଜାର କୁଶଭଦ୍ରା ନଦୀ ପଠାରେ। ଏ ସମ୍ପର୍କିତ ଅଭିଯୋଗ ପରେ ଜିଲ୍ଲା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗୋପ ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ଜାନିଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି। ବନାଞ୍ଚଳ ଅଧିକାରୀଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବନଖଣ୍ଡ ଅଧିକାରୀ ପି. ରାମାସ୍ବାମୀ କହିଛନ୍ତି।
୨୦୨୨-୨୩ ଆର୍ଥିକ ବର୍ଷରେ କାମ୍ପା ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଗୋପ ବନାଞ୍ଚଳ ଅଧୀନ ଗଡଟୁସିଂହ ମୌଜାର କୁଶଭଦ୍ରା ନଦୀ ପଠାରେ ୧୦ ହେକ୍ଟର ଜମିରେ ବୃକ୍ଷରୋପଣ କରାଯାଇଥିବା କାଗଜପତ୍ରରେ ଦର୍ଶାଯାଇଛି। ଏହି ଯୋଜନାରେ ଗଡ଼ଟୁସିଂହର ଏହି ୧୦ ହେକ୍ଟର ଜମିରେ ଜାମୁ, ଅର୍ଜୁନ, ନିମ୍ବ, ପାଟେଳି ଆଦି ବିଭିନ୍ନ ପ୍ରଜାତିର ୧୬ହଜାର ଚାରା ଲାଗିଥିବା କାଗଜପତ୍ରରେ ଦର୍ଶାଯାଇଛି। କିନ୍ତୁ ସ୍ଥିତି ଅନୁଧ୍ୟାନ ପରେ ପ୍ରାୟ ୨୫ ଏକରର ଏହି ଜାଗା ସମ୍ପୂର୍ଣ୍ଣ ପଡ଼ିଆ ପଡ଼ିଥିବା ଦେଖିବାକୁ ମିଳିଛି। ଗଛର ଚିହ୍ନବର୍ଣ୍ଣ ନାହିଁ। କାଁ ଭାଁ ଗଛ ଥୁଣ୍ଟା ଭଳି ଠିଆ ହୋଇଛି। ଅଧିକାଂଶ ଜାଗା ଘାସ ଜଙ୍ଗଲରେ ପରିପୂର୍ଣ୍ଣ। ବଡ଼ ବଡ଼ ବେଣା ଗଛ ସବୁ ଉଠି ଜଙ୍ଗଲିଆ ଦିଶୁଛି। ଗୋପ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ କିମି ଦୂରରେ କାମ୍ପା ଯୋଜନାର ଏଭଳି ଦୃଶ୍ୟ ସମସ୍ତଙ୍କୁ ହତବାକ୍ କରିଛି। ପରିବେଶ ସୁରକ୍ଷା ନାଁରେ ଏଭଳି ଅର୍ଥ ହରିଲୁଟ୍ ଘଟଣାକୁ ପରିବେଶବିତ୍ମାନେ ଦୃଢ଼ ନିନ୍ଦା କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଗୋପ ବ୍ଲକ୍ରେ କାଗଜପତ୍ରରେ ଏଭଳି ୧୬ହଜାର ଚାରାରୋପଣ ଓ ଅର୍ଥ ଚଳୁ ଜିଲ୍ଲାରେ କାମ୍ପା ଯୋଜନାରେ ଚାଲିଥିବା ବନୀକରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସମ୍ପର୍କରେ ଜିଲ୍ଲା ବନଖଣ୍ଡ ଅଧିକାରୀ ପି ରାମାସ୍ବାମୀ କହିଛନ୍ତି, ସହକାରୀ ବନ ସଂରକ୍ଷଣ ଅଧିକାରୀ ଏହି ଘଟଣାର ତଦନ୍ତ କରୁଛନ୍ତି। ଏହି ଅବହେଳା ପାଇଁ ବନାଞ୍ଚଳ ଅଧିକାରୀଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ସହକାରୀ ବନ ସଂରକ୍ଷଣ ଅଧିକାରୀ ଉତ୍ତମ ଗଡ଼ନାୟକ କହିଛନ୍ତି, ପୂର୍ବରୁ ଘଟଣାର ତଦନ୍ତ କରାଯାଇଥିଲା। ସତ୍ୟାସତ୍ୟ ଜାଣିବା ପରେ ଏ ଉପରେ ବନାଞ୍ଚଳ ଅଧିକାରୀଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି। ତଥାପି ଆଉ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ ବୋଲି ଶ୍ରୀ ଗଡ଼ନାୟକ କହିଛନ୍ତି।