ବିଳମ୍ବିତ ବର୍ଷା ସତ୍ତ୍ବେ ଯିବନି ଚାଷୀଙ୍କ ଦୁଃଖ; ବିଭିନ୍ନ ଜିଲ୍ଲାରେ ରୋପଣ, ବେଉଷଣ ବନ୍ଦ

ଉତ୍ପାଦନ ଗୁରୁତର ବାଧାପ୍ରାପ୍ତ ହେବା ଆଶଙ୍କା
କୃଷି ବିଭାଗକୁ ରିପୋର୍ଟ ଦେଲା ଓୟୁଏଟି

ଭୁବନେଶ୍ବର : କାମ ଦେଉନି ବିଳମ୍ବିତ ବର୍ଷା। ବିଭିନ୍ନ ସ୍ଥାନରେ ରୋପଣ, ବେଉଷଣ ବନ୍ଦ ହୋଇଯାଇଥିବା ନେଇ କୃଷି ବିଭାଗ ପକ୍ଷରୁ ଜାରି ରିପୋର୍ଟରେ ସ୍ପଷ୍ଟ ହୋଇଛି। ଚାଷୀଙ୍କ କହିବା ଅନୁସାରେ; ମଝିରେ ମଝିରେ ବର୍ଷା ଯୋଗୁଁ ଗଛ ମରି ନାହିଁ ସତ, କିନ୍ତୁ ଉତ୍ପାଦନ କ୍ଷମତା ହରାଇଛି। ବିଭିନ୍ନ ଜିଲ୍ଲାମାନଙ୍କରେ ଉପର ସ୍ଥିତି ଠିକ୍‌ ଦେଖାଯାଉଥିଲେ ବି ଅବସ୍ଥା ଅସମ୍ଭାଳ ହେବାକୁ ବସିଛି। ଏଥିଯୋଗୁଁ ଅଗଷ୍ଟ ମାସର ବର୍ଷା ଆଧାରରେ ଓଡ଼ିଶାକୁ ମରୁଡ଼ି ଘୋଷଣା ପାଇଁ ଦାବି ବଢ଼ିବାରେ ଲାଗିଛି।

ରାଜ୍ୟ କୃଷି ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଚଳିତ ବର୍ଷ ୬୧ ଲକ୍ଷ ୯୬ ହଜାର ୨୨୦ ହେକ୍ଟର ଚାଷ କାର୍ଯ୍ୟକ୍ରମ ହୋଇଛି। ଗତବର୍ଷ ଏହି ସମୟରେ ୫୭ ଲକ୍ଷ ୫୨ ହଜାର ୪୮୦ ହେକ୍ଟରରେ ରୋପଣ ହୋଇଥିଲା। କିନ୍ତୁ ଚଳିତ ବର୍ଷ ୫୬ ଲକ୍ଷ ୩୨ ହଜାର ହେକ୍ଟରରେ ରୋପଣ ହୋଇଛି। ବର୍ଷା ଅଭାବରୁ ଅଣଧାନ ଯେତିକି ପ୍ରଭାବିତ ହୋଇ ନାହିଁ, ଧାନ ଚାଷ ଉପରେ କିନ୍ତୁ ବିପଦ ମାଡ଼ି ପଡ଼ିଛି। ଚଳିତ ବର୍ଷ ୩୫ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଗତବର୍ଷ ଏହି ସମୟରେ ୩୭ ଲକ୍ଷ ହେକ୍ଟରରେ ଚାଷ କରାଯାଇଥିଲା। ଅଗଷ୍ଟ ମାସରେ ବର୍ଷା ନ ହେବାରୁ ରୋପଣ ବିଳମ୍ବିତ ହୋଇଥିଲା, କିନ୍ତୁ ବର୍ତ୍ତମାନ ବର୍ଷା ପରେ ୩୪ ଲକ୍ଷ ୫୯ ହଜାର ହେକ୍ଟରରେ ରୋପଣ ସରି ଯାଇଛି। ଏହା ସତ୍ତ୍ବେ ୧୭ଟି ଜିଲ୍ଲାରେ ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ରୋପଣ ସମ୍ପୂର୍ଣ୍ଣ ସରିପାରି ନାହିଁ।

ଅନୁଗୁଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ପୁରୀର ଅବସ୍ଥା ଖରାପ ରହିଛି। ଅନୁଗୁଳ ଜିଲ୍ଲାରେ ୯୬ ହଜାରରୁ ୬୯ ହଜାର ହେକ୍ଟର, ବାଲେଶ୍ବରରେ ୨ ଲକ୍ଷ ୧୫ ହଜାର ହେକ୍ଟର ମଧ୍ୟରୁ ୧ ଲକ୍ଷ ୯୫ ହଜାର ହେକ୍ଟର, ଭଦ୍ରକରେ ୧ ଲକ୍ଷ ୬୨ ହଜାର ମଧ୍ୟରୁ ୧ ଲକ୍ଷ ୯୫ ହଜାର, ବୌଦ୍ଧରେ ୫୪ ହଜାର ହେକ୍ଟରରୁ ୫୧ ହଜାର ହେକ୍ଟର, ଗଞ୍ଜାମରେ ୧ ଲକ୍ଷ ୯୯ ହଜାର ହେକ୍ଟର ମଧ୍ୟରୁ ୧ଲକ୍ଷ ୭୫ ହଜାର ହେକ୍ଟର, ଜଗତସିଂହପୁରରେ ୯୧ ହଜାର ହେକ୍ଟରରୁ ୮୪ ହଜାର ହେକ୍ଟର, ଯାଜପୁରରେ ୧ ଲକ୍ଷ ୯ ହଜାରରୁ ୮୬ ହଜାର ହେକ୍ଟର, ଝାରସୁଗୁଡ଼ାରେ ୪୭ ହଜାର ହେକ୍ଟରରୁ ୪୪ ହଜାର ହେକ୍ଟର, କେନ୍ଦୁଝରରେ ୧ ଲକ୍ଷ ୫୭ ହଜାରରୁ ୧ ଲକ୍ଷ ୪୭ ହଜାର ହେକ୍ଟର, ଖୋର୍ଧାରେ ୧ ଲକ୍ଷ ୧୩ ହଜାରରୁ ୧ ଲକ୍ଷ ୫ ହଜାର ହେକ୍ଟର, କନ୍ଧମାଳରେ ୩୭ ହଜାର ହେକ୍ଟରରୁ ୩୩ ହଜାର ହେକ୍ଟର, ପୁରୀରେ ୧ ଲକ୍ଷ ୫୫ ହଜାର ହେକ୍ଟରରୁ ୧ ଲକ୍ଷ ୨୮ ହଜାର ହେକ୍ଟରରେ ରୋପଣ ହୋଇଛି। ସେପ୍ଟେମ୍ବର ପରେ ବାକି ଜମିରେ ଚାଷ ହୋଇନପାରି ପଡ଼ିଆ ପଡ଼ିବା ସ୍ଥିତି ଉତ୍ପନ୍ନ ହୋଇଛି।

ଯେଉଁ ସ୍ଥାନରେ ରୋପଣ ହୋଇଛି ସେଠି ବି ଚାଷଙ୍କ ମନରେ ସୁଖ ନାହିଁ। ସମ୍ବଲପୁରରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଚାଷ ହୋଇଥିବା କୃଷି ବିଭାଗ ଦେଖାଉଛି। ମାତ୍ର ଏଠିକାର ଚାଷୀଙ୍କ ଅନୁସାରେ, ପହ୍ଲା ପକାଇବାର ୨୫ରୁ ୩୦ ଦିନ ମଧ୍ୟରେ ରୁଆ କାର୍ଯ୍ୟ କରିବା କଥା। ଅଗଷ୍ଟ ମାସରେ ବର୍ଷା ହୋଇନପାରିବାରୁ ବର୍ତ୍ତମାନ ପହ୍ଲା ବୁଢା ହୋଇ ସାରିଛି। ଏବେ ସୁଦ୍ଧା ଗଛ ଗର୍ଭାବସ୍ଥାରେ ଆସି କେଣ୍ଡା ବାହାରିବା କଥା। କିନ୍ତୁ ବର୍ତ୍ତମାନ କେବଳ ଚାଷ ପ୍ରଥମ ପର୍ଯ୍ୟାୟରେ ପହଞ୍ଚିଛି। ଏଭଳି ସ୍ଥିତିରେ କେବେ କେଣ୍ଡା ବାହାରିବ ତାହାକୁ ଅନିଶ୍ଚିତତା ରହିଛି। ଧାନ ଚାଷ ପାଇଁ ଆଉ ୨ ମାସ ଯେଉଁ ବର୍ଷାର ଆବଶ୍ୟକତା ରହିଛି ତାକୁ ନେଇବି ଅନିଶ୍ଚିତତା ରହିଛି। ବର୍ତ୍ତମାନ ବୁଢା ପହ୍ଲାକୁ କିଛି ଚାଷୀ ରୋପଣ କରିଛନ୍ତି। ଏହା କୌଣସି କାମକୁ ଆସିବ ନାହିଁ। ଅନେକ ଚାଷୀ ଧାନ ଜଗାଇ ନାହାନ୍ତି। ଏଥିଯୋଗୁଁ ଏହି ବର୍ଷା ପାଣି କାମଦେବ ନାହିଁ। ଆଟ, ମାଳ ଧାନ ଯେଉଁମାନେ ବୁଣିଥିଲେ, ସେଠି ମଧ୍ୟ ପାଣି ଅଭାବରୁ ମରି ଯାଇଛି। ବେଉଷଣ ପାଇଁ ୮ ଇଞ୍ଚ ପାଣି କ୍ଷେତରେ ରହିବା ଆବଶ୍ୟକ। ତାହା ମଧ୍ୟ ହୋଇ ପାରୁ ନାହିଁ। ଏଭଳି ସ୍ଥିତିରେ ଚଳିତ ବର୍ଷର ଚାଷର ସ୍ଥିତି ଅନିଶ୍ଚିତତା ଘେରକୁ ଆସିଛି। କୃଷି ବିଭାଗର ରିପୋର୍ଟ ଅନୁସାରେ ବି ପୂର୍ବରୁ ଯେଉଁ ଚାଷ ବୁଣାଯାଇଛି ତାହା ବର୍ତ୍ତମାନ ଗର୍ଭିଣୀ ଅବସ୍ଥାରେ ରହିଛି। ମଧ୍ୟମ କାଳୀନ ସମୟରେ ଯେଉଁ ଚାଷ ହୋଇଥିଲା ତାହା କେଣ୍ଡା ଧରିବା ଆରମ୍ଭ କରିଛି। ସେଥିରୁ ହିଁ ଉତ୍ପାଦନର ଆଶା ରହିଛି। ଅନ୍ୟଦିଗରେ ବର୍ତ୍ତମାନର ଚାଷ ସ୍ଥିତିକୁ ନେଇ ଓୟୁଏଟି କୁଳପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମଧ୍ୟ କୃଷି ବିଭାଗକୁ ରିପୋର୍ଟ ଦାଖଲ କରିଛି। ରାଜ୍ୟ କୃଷି ବିଭାଗର ରିପୋର୍ଟ ପରିପ୍ରେକ୍ଷୀରେ ଓୟୁଏଟି ଏହାକୁ ନେଇ କଣ ରିପୋର୍ଟ ଦେଉଛି, ତାକୁ ନେଇ ଅପେକ୍ଷା ରହିଛି।

ସମ୍ବନ୍ଧିତ ଖବର