ଭଦ୍ରକ: କୋଠାବାଡ଼ି, ରାସ୍ତାଘାଟ, କଳକାରଖାନା ପ୍ରତିଷ୍ଠା ପାଇଁ ଅବିଚାରିତ ଭାବେ ବୃକ୍ଷ କଟାଯାଉଛି। ଯେତିକି ବୃକ୍ଷ କଟାଯାଉଛି, ତା’ଠାରୁ ଅଧିକ ବୃକ୍ଷରୋପଣର ଆବଶ୍ୟକତା ରହିଛି। କିନ୍ତୁ ଏଥିପ୍ରତି କେହି ଧ୍ୟାନ ଦେଉ ନଥିବାରୁ ପରିବେଶ ବିଗିଡ଼ି ଯାଉଛି। ପାଣି, ପବନ ଓ ମାଟି ଯେଭଳି ପ୍ରଦୂଷିତ ନହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ହେବ। ପରିବେଶ ସୁରକ୍ଷିତ ରହିଲେ, ପୃଥିବୀ ରହିବ। ପୃଥିବୀ ରହିଲେ ଆମେ ବଞ୍ଚିବା ବୋଲି ଆଜି ପୂର୍ବାହ୍‌ଣରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ସ୍ଥାନୀୟ ବିଜୁ ସ୍ମୃତିଭବନରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଯୋଗଦେଇ ବିଧାୟକ ଡ. ବ୍ୟୋମକେଶ ରାୟ ପ୍ରକାଶ କରିଛନ୍ତି।
ବିଶିଷ୍ଟ ଶିକ୍ଷାବିତ୍ ପ୍ରଫୁଲ୍ଲ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଡ. ରାୟ କହିଥିଲେ,  ଉଜୁଡ଼ି ଯାଉଥିବା ପରିବେଶକୁ ପୁଣି ଥରେ ସଜାଡ଼ିବା ପାଇଁ ‘ସମ୍ବାଦ’ ଯେଉଁ ‘ପରିବେଶ ପଞ୍ଚାୟତ’ର ପରିକଳ୍ପନା କରିଛି, ତାହା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ଆଗକୁ ସୁଖଶାନ୍ତିରେ ବଞ୍ଚିବାକୁ ହେଲେ, ଆଉ ବିଳମ୍ବ ନ କରି ଏବେଠୁ ବୃକ୍ଷରୋପଣକୁ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ଡ. ରାୟ ଆହ୍ବାନ ଦେଇଥିଲେ।

Advertisment

ସମ୍ମାନିତ ଅତିଥି ଭାବେ ଚାନ୍ଦବାଲି ଏନ୍ଏସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ ଯୋଗଦେଇ ‘ପରିବେଶ ପଞ୍ଚାୟତ’ ଏକ ନିଆରା କାର୍ଯ୍ୟକ୍ରମ ବୋଲି କହିଥିଲେ। ଆମ ପରିବେଶକୁ ଅଧିକ ସରସସୁନ୍ଦର କରିବା ପାଇଁ ବୃକ୍ଷରୋପଣ ଉପରେ ପ୍ରାଧାନ୍ୟ ଦେବାକୁ ସେ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଚାନ୍ଦବାଲି ବ୍ଲକ୍‌ ଅଧ୍ୟକ୍ଷା ମିନତି ସୂତାର କହିଥିଲେ, ଆମେ ପୃଥିବୀକୁ ନିଜ ହାତରେ ହତ୍ୟା କରୁଛନ୍ତି। ପୃଥିବୀକୁ ବଞ୍ଚାଇବାକୁ ହେଲେ ଆମକୁ ପରିବେଶ ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ ବୋଲି ସେ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଚାନ୍ଦବାଲି ଓକିଲ ସଂଘର ସଭାପତି ଉପେନ୍ଦ୍ର ରାଉଳ କହିଥିଲେ, ପରିବେଶକୁ ରକ୍ଷା କରିବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଉଚିତ। ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ବେହେରା ଓ କମଳା ସୂତାର ପରିବେଶ ସୁରକ୍ଷା ପାଇଁ ‘ସମ୍ବାଦ’ର ଉଦ୍ୟମକୁ ପ୍ରଶଂସା କରିଥି‌ଲେ। ସେହିପରି, ସମ୍ମାନିତ ଅତିଥି ଭାବରେ ଚାନ୍ଦବାଲି ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମାଝୀ, ବିଜେଡିର ବରିଷ୍ଠ ନେତା ଅଶୋକ ବଳ, ବିଶିଷ୍ଟ ପରିବେଶବିତ୍‌ ସୁଧୀର ମହାନ୍ତି ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ଦିଗରେ ସମସ୍ତେ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ। 

‘ସମ୍ବାଦ’ର ଭଦ୍ରକ ଜିଲ୍ଲା ପ୍ରତିନିଧି ଡ. ହରିହର ନାୟକଙ୍କ ସଂଯୋଜନାରେ ଆୟୋଜିତ ସଭାରେ ସାମ୍ବାଦିକ ଅରୁଣ ସାହୁ ଧନ୍ୟବାଦ ଦେଇଥିଲେ। ସଭାରେ ଚାନ୍ଦବାଲି ଅଞ୍ଚଳର ବହୁ ସମାଜସେବୀ, ଶିକ୍ଷାବିତ୍‌, ପରିବେଶବିତ୍‌, କଲେଜର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।