ଫୁଲବାଣୀ: ମଣିଷର ବ୍ୟବହାରରେ ପ୍ରକୃତି ଦିନକୁ ଦିନ ଅଶାନ୍ତ ହେଉଛି। ପ୍ରକୃତିର କୋପରୁ ରକ୍ଷା ପାଇବାକୁ ହେଲେ ବ୍ୟାପକ ମାତ୍ରାରେ ବୃକ୍ଷରୋପଣ ଜରୁରୀ ବୋଲି ଆଜି ‘ସମ୍ବାଦ’ ପକ୍ଷରୁ ଶଙ୍କରାଖୋଲ ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀସ୍ତରୀୟ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫୁଲବାଣୀ ବିଧାୟକ ଉମାଚରଣ ମଲିକ କହିଛନ୍ତି। କନ୍ଧମାଳ ଭଳି ପ୍ରାକୃତିକ ଶୋଭାଭରା ଜିଲ୍ଲାରେ ଦ୍ରୁତ ଜଙ୍ଗଲ କ୍ଷୟ ଯୋଗୁଁ ନାନା ପ୍ରକାର ପରିବେଶୀୟ ଅସନ୍ତୁଳନ ଦେଖା ଦେଇଛି। କନ୍ଧମାଳ ଜିଲ୍ଲାରେ ଭୂତଳ ଜଳସ୍ତର ମଧ୍ୟ ଉଦ୍ବେଗଜନକ ଭାବେ ହ୍ରାସ ପାଇବା ସହ ତାପମାତ୍ରା ବୃଦ୍ଧି ପାଇଛି।
ଫୁଲବାଣୀ ନିର୍ବାଚନମଣ୍ଡଳୀରେ ପରିବେଶ ପଞ୍ଚାୟତ
ଅତୀତରେ କନ୍ଧମାଳରେ ଗ୍ରୀଷ୍ମଋତୁରେ ମଧ୍ୟ ଘରେ ପଙ୍ଖାର ଆବଶ୍ୟକତା ପଡୁ ନଥିଲା। ମାତ୍ର ଏବେ ଶୀତଋତୁରେ ପଙ୍ଖା ବ୍ୟବହାର କରିବାକୁ ପଡୁଛି। ଦ୍ରୁତ ଜଙ୍ଗଲ କ୍ଷୟ ଯୋଗୁଁ ଦେଖା ଦେଉଥିବା ‘ଗ୍ଲୋବାଲ୍ ୱାର୍ମିଂ’ ମଣିଷ ଜାତି ପାଇଁ ବଡ଼ ଆହ୍ବାନ ପାଲଟିଛି। ଅନ୍ୟପଟେ ପ୍ରାକୃତିକ ବିପର୍ଯ୍ୟୟ ରୋକିବା ଏବଂ ପରିବେଶ ସଚେତନତା ନେଇ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମକୁ ବିଧାୟକ ଉଚ୍ଚ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ‘ସମ୍ବାଦ’ର କନ୍ଧମାଳ ଜିଲ୍ଲା ପ୍ରତିନିଧି ଡ. ରଞ୍ଜନ ପ୍ରଧାନ ମଣିଷକୁ ଆତ୍ମଚିନ୍ତନ କରିବାକୁ ପଡ଼ିବ ଏବଂ ମଣିଷ ନିଜ ସ୍ବାର୍ଥ ସହିତ ପ୍ରକୃତି ଓ ପରିବେଶ କଥା ଚିନ୍ତା କରିବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ପ୍ରଧାନ ପଲିଥିନ ଓ ପ୍ଲାଷ୍ଟିକ ଭଳି ବର୍ଜ୍ୟବସ୍ତୁର ବ୍ୟବହାର ରୋକିବା ଦିଗରେ ଗୁରୁତ୍ବାରୋପ କରିଥିଲେ।
ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଏବେଠୁ ସଚେତନ ହୋଇ ଗଛ ଲଗାଇବା ଉଚିତ ବୋଲି ଡ. ପ୍ରଧାନ କହିଥିଲେ।
ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସନ୍ତୋଷ କୁମାର ପଣ୍ଡା, ସାହିତ୍ୟିକ ରାମକୃଷ୍ଣ ମହାନ୍ତି, ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବାଶିଷ ପ୍ରିୟଦର୍ଶୀ ସାହୁ ପ୍ରମୁଖ ଉପସ୍ଥିତ ରହି ‘ସମ୍ବାଦ’ର ପରିବେଶ ପଞ୍ଚାୟତ ପରିକଳ୍ପନାର ପ୍ରଶଂସା କରିଥିଲେ। ‘ସମ୍ବାଦ’ର ଚକାପାଦ ବ୍ଲକ ପ୍ରତିନିଧି ମନୋଜ କୁମାର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ. ବାବୁଲା ପାଟଯୋଶୀ, ଶିବରାମ ବେହେରା, ରୀନାରାଣୀ ପ୍ରଧାନ, ବୈକୁଣ୍ଠନାଥ ପଣ୍ଡା, ସଞ୍ଜୟ କୁମାର ନାୟକ, ସନ୍ନ୍ୟାସୀ ଜେନା, ଏମ୍. ବାଲାକ୍ରିଷ୍ଣ ଦୋରା, କାହ୍ନୁ ଚରଣ ସାହୁ, ଅରବିନ୍ଦ ପଟ୍ଟନାୟକ, ମନ୍ମଥ ନାଥ ସାହୁ, ଦାରାସିଂ ଡିଗାଲ, ଅଜୟ ଡିଗାଲ, ପିଙ୍କିରାଣୀ ପ୍ରଧାନ, ଅଭିଷେକ ଦାସ, ଶଙ୍କରାଖୋଲ ପଞ୍ଚାୟତ ମହିଳା ମହାସଂଘ ସଭାନେତ୍ରୀ ଶକୁନ୍ତଳା ମାଝି ଓ ସତବନ୍ତୀ ଡିଗାଲ୍ ପ୍ରମୁଖ ପରିଚାଳନା କରିଥିଲେ।