ଉପାଡ଼ିଦେଲା ପ୍ରଶାସନ, ବିଧାୟକ-ପ୍ରଶାସନ ମୁହାଁମୁହିଁ
କଂଗ୍ରେସ-ବିଜେଡି ସମର୍ଥକ ଛକାପଞ୍ଝା, ପୁଲିସ ମୁତୟନ
ପାଟପୁର : ଯେଉଁ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥା’ନ୍ତେ, ସେଠି ବିରୋଧୀ କଂଗ୍ରେସ ବିଧାୟକଙ୍କ ନଁାରେ ଫଳକ ଲଗାହେଲା। ପ୍ରଶାସନ ଫଳକକୁ ଉପାଡ଼ି ଦେଇଥିଲେ ମଧ୍ୟ ଏହାକୁ ନେଇ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ୍ରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କଂଗ୍ରେସ ଓ ବିେଜଡି ସମର୍ଥକଙ୍କ ମଧ୍ୟରେ ଛକାପଞ୍ଛା ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।
ସାନଖେମୁଣ୍ଡି ବ୍ଲକ୍ ଛଣମେରୀ ପଞ୍ଚାୟତରେ ‘ବସୁଧା ଯୋଜନା’ରେ ୨ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟରେ ଛଣମେରୀରେ ୧ ଲକ୍ଷ ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ନିର୍ମାଣ ହୋଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁସାରେ, ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବା ଲାଗି କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। କିନ୍ତୁ, ଏହାପୂର୍ବରୁ ଆଜି ସାନଖେମୁଣ୍ଡି ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା ପ୍ରକଳ୍ପ ଉଦ୍ଘାଟନ କରିବାକୁ ତିଥି ସ୍ଥିର କରିଥିଲେ। ଏଥିପାଇଁ ଗତକାଲି ସନ୍ଧ୍ୟାରେ ପାଣିଟାଙ୍କି ନିକଟରେ ଏକ ଫଳକ ଲଗାଯାଇଥିଲା। ବିଜେଡି ସମର୍ଥକମାନେ ଏହାକୁ ତୀବ୍ର ବିରୋଧ କରିଥିଲେ। ଏ ସମ୍ପର୍କରେ ସାନଖେମୁଣ୍ଡି ବ୍ଲକ୍ ପ୍ରଶାସନ ସୂଚନା ପାଇ କାର୍ଯ୍ୟକ୍ରମକୁ ବାତିଲ୍ କରିବାକୁ ବିଧାୟକଙ୍କୁ ଅବଗତ କରିଥିଲେ। ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି ବୋଲି ବିଧାୟକଙ୍କୁ କୁହାଯାଇଥିଲା। କିନ୍ତୁ ବିଧାୟକ ଜିଦ୍ରେ ଅଟଳ ରହିବା ସହ ନିଜ ନିର୍ବାଚନମଣ୍ଡଳୀରେ ସେ ଜନହିତରେ ନିର୍ମିତ ପ୍ରକଳ୍ପ ଉଦ୍ଘାଟନ କରିପାରିବେ ବୋଲି କହିଥିଲେ। ଆଜି ଏଥିପାଇଁ ସମସ୍ତ ପ୍ରସ୍ତୁତି ବି ସରିଥିଲା।
ତେବେ, ଏ ନେଇ ବ୍ଲକ୍ ପ୍ରଶାସନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲା। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶାନୁସାରେ, ସାନଖେମୁଣ୍ଡି ବିଡିଓ ଗାୟତ୍ରୀଦତ୍ତ ନାୟକ, ତହସିଲଦାର ଡ.ଶ୍ରୀନିବାସ ବେହେରା ଓ ଦିଗପହଣ୍ଡି ଥାନାଧିକାରୀ ବସନ୍ତ ସେଠୀ ଏବଂ ପୁଲିସ ଫୋର୍ସ ଉପସ୍ଥିତିରେ ଆଜି ଦିନ ୧୧ଟାରେ ଫଳକଟିକୁ ଉପାଡ଼ି ଦିଆଯାଇଥିଲା। ଏହାପରେ ବିଧାୟକ ଶ୍ରୀ ଜେନା ତାଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ୍ କରି ଦେଇଥିଲେ। ଏହି ଘଟଣା ପରେ ବିଧାୟକ ଓ ପ୍ରଶାସନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ବିଜେଡି-କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ବି ଛକାପଞ୍ଝା ଆରମ୍ଭ ହୋଇଛି। ସମ୍ଭାବ୍ୟ ପରିସ୍ଥିତି ଉପରେ ପୁଲିସ ନଜର ରଖିଥିବାବେଳେ ଛଣମେରୀ ଗ୍ରାମରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଥିବାବେଳେ ଆଜିର ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।