ଆସନ୍ତା ସପ୍ତାହରେ କୋରାପୁଟରେ ପ୍ଲାଜମା ବ୍ୟାଙ୍କ: ମୁଖ୍ୟମନ୍ତ୍ରୀ

ନବୀନ କହିଲେ- ୫୦ ଲକ୍ଷ କୋଭିଡ ଯୋଦ୍ଧାଙ୍କୁ ତାଲିମ କୋଭିଡ ଯୁଦ୍ଧକୁ ମଜବୁତ କରିଛି

ଭୁବନେଶ୍ୱର: ଆସନ୍ତା ସପ୍ତାହରେ କେରାପୁଟରେ ପ୍ଲାଜମା ବ୍ୟାଙ୍କ କାମ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ରଣନୀତି ସଂପର୍କରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି ଏହି ଘୋଷଣା କରିଛନ୍ତି। ପ୍ଲାଜମାଦାତା ମାନଙ୍କର ମହାନ କାର୍ଯ୍ୟକୁ ସ୍ୱୀକୃତି ଦେଇ ସେମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବାପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ଲାଜମା ସଂଗ୍ରହ ଓ ପ୍ରୟୋଗ ପ୍ରଣାଳୀରେ ଆହୁରି ଉନ୍ନତି ଆଣିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। କୋଭିଡ ହସ୍ପିଟାଲରେ କାମ କରୁଥିବା କୋଭିଡ ଯୋଦ୍ଧା ଓ ରୋଗୀ ମାନଙ୍କ ସହିତ ସିଧାସଳଖ ଫୋନ୍‌ ଯୋଗେ ଆଲୋଚନା କରି ସେମାନଙ୍କ ଠାରୁ ଫିଡବ୍ୟାକ ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ବର୍ତ୍ତମାନ ସୁଦ୍ଧା ୫ଟି ପ୍ଲାଜମା ଥେରାପି ୟୁନିଟ ସ୍ଥାପିତ ହୋଇଛି। କୋଭିଡ ରୋଗର ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ଏକ ଉପାଦେୟ ପଦ୍ଧତି ଭାବରେ ପ୍ରମାଣିତ ହୋଇଛି। କୋରାପୁଟ ମେଡିକାଲ କଲେଜରେ ଆଉ ଏକ ପ୍ଲାଜମା ବ୍ୟାଙ୍କ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ଆସନ୍ତା ସପ୍ତାହ ସୁଦ୍ଧା ସ୍ଥାପନ କରାଯିବ ବୋଲି ଜଣାଯାଇଛି।

ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାରେ ଅଞ୍ଚଳଭିତ୍ତିକ ରଣକୌଶଳ ଅବଲମ୍ବନ କରିବାପାଇଁ ସେ ପରାମର୍ଶ ଦେଇଛନ୍ତି। ଯାହାଫଳରେ ଆସନ୍ତା ସପ୍ତାହ ମଧ୍ୟରେ ଏହିସବୁ ଜିଲ୍ଲାରେ ପଜିଟିଭ ହାର ହ୍ରାସ କରିବା ଦିଗରେ ଆମେ ଅଗ୍ରଗତି କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରତି ୧୦ ଲକ୍ଷ ସଂଖ୍ୟାରେ ୧୦୯୬ ଟେଷ୍ଟ କରି ଓଡିଶା ଆଜି ଜାତୀୟ ସ୍ତରରେ ଦୈନିକ ସର୍ବାଧିକ ଟେଷ୍ଟ କରୁଥିବା ରାଜ୍ୟରେ ପରିଗଣିତ ହୋଇଛି। ଏହାସହିତ ସପ୍ତାହ ମଧ୍ୟରେ ଦୈନିକ ଟେଷ୍ଟ ସଂଖ୍ୟା ୫୦ ହଜାରକୁ ବୃଦ୍ଧି ପାଇଛି। ଏହା ଉପରେ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗ, ସମସ୍ତ ଜିଲ୍ଲାପାଳ ଓ ସେମାନଙ୍କ ଟିମ୍‌ ତଥା ସମସ୍ତ ଡାକ୍ତର ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ଏହା ଜାରି ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ।

ରାଜ୍ୟରେ କୋଭିଡରେ ମୁକାବିଲା ପାଇଁ ୫୦ ଲକ୍ଷରୁ ଅଧିକ ଲୋକ ଟ୍ରେନିଂ ପାଇଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିରେ ପଞ୍ଚାୟତିରାଜ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ, କୋଭିଡ କମିଟି ସଦସ୍ୟ ଏବଂ ଆହୁରି ଅନେକ ଅନ୍ତର୍ଭୁକ୍ତ ଅଛନ୍ତି। ଏହା ବାସ୍ତବରେ ଏକ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

ରାଜ୍ୟରେ ଲକ୍ଷଣବିହୀନ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଗୃହ ସଂଗରୋଧକୁ ଉତ୍ସାହିତ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ପ୍ରଚାର ଅଭିଯାନ ସହିତ ପଞ୍ଚାୟତିରାଜ ପ୍ରତିନିଧି ଓ କୋଭିଡ କେୟାର କମିଟି ଗୁଡିକର ସହାୟତା ନେବା ପାଇଁ ମଧ୍ୟ ସେ କହିଛନ୍ତିଯ ଲୋକଙ୍କ ମନରେ ଗୃହ ସଂଗରୋଧ ସଂପର୍କରେ ଯଦି କୌଣସି ସନ୍ଦେହ ଥାଏ, ତାକୁ ଦୂର କରିବା ଦିଗରେ ଏହା ସହାୟକ ହେବଯ ଏ କ୍ଷେତ୍ରରେ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ସ୍ୱତନ୍ତ୍ର ଗୁରୁତ୍ୱ ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି।

ସେହିପରି ରାଜ୍ୟରେ ଦୈନିକ ଟେଷ୍ଟ ସଂଖ୍ୟା ୫୦ ହଜାରରେ ପହଞ୍ଚି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରି ଏହି ଧାରା ବଜାୟ ରଖିବା ପାଇଁ କହିଥିଲେ। ଏଥିପାଇଁ ଟେଷ୍ଟ କିଟ ଯୋଗାଇବାକୁ ଉତ୍ତମ ରୂପେ ପରିଚାଳନା କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ରାଜ୍ୟରେ କୋଭିଡ ମୃତ୍ୟୁ ହାର କମ୍‌ ରହିଛି। ଏହାକୁ ଆହୁରି କମ୍‌ କରିବା ଦିଗରେ ନିରନ୍ତର ଉଦ୍ୟମ ଜାରି ରହିବା ଆବଶ୍ୟକ ବୋଲି ସେ କହିଥିଲେ। ବିଭିନ୍ନ କର୍ପୋରେଟ୍‌ କ୍ଷେତ୍ର ଓ ଅନ୍ୟାନ୍ୟ ସଂସ୍ଥା ଦ୍ଵାରା ସ୍ଥାପନ କରାଯାଉଥିବା କୋଭିଡ କେୟାର ସେଣ୍ଟର ଆହୁରି ଅଧିକ ସଂଖ୍ୟାରେ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ।

ପରିଶେଷରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବର୍ଷାଜନିତ ପରିସ୍ଥିତି, କୃଷି କାର୍ଯ୍ୟକ୍ରମ, ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ଏବଂ ଏମ୍‌ଏସ୍‌ଏମ୍‌ଇ ସଂପର୍କରେ ବିଭିନ୍ନ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେଯ କୃଷି କ୍ଷେତ୍ରରେ ସମସ୍ତ କାର୍ଯ୍ୟ ଯେପରି ସୂଚାରୁରୂପେ ଜାରି ରହିବ ଓ ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପ୍ରତି ଗୁରୁବ ଦେବାପାଇଁ ସେ ଅଧିକାରୀମାନଙ୍କୁ ଦୃଢ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ୟୁରିଆ ସାର ସ୍ଥିତି ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଚାରି ବୁଝି ଥିଲେ କରିଥିଲେ।

ସମ୍ବନ୍ଧିତ ଖବର