ରାଉରକେଲା ଆଇଜିଏଚ୍‌ରେ ପ୍ଲାଜ୍‌ମା ବ୍ୟାଙ୍କ

ଶଯ୍ୟା ସଂଖ୍ୟା ୧୭୦୦କୁ ବୃଦ୍ଧି ଲାଗି ଯୋଜନା
ଯାଜପୁର, ରାଉରକେଲା ସ୍ଥିତି ସମୀକ୍ଷା କଲେ ନବୀନ
ଯାଜପୁର ଜିଲ୍ଲାକୁ ପ୍ରଶଂସା, ୫ କୋଟି ଟଙ୍କା

ଭୁବନେଶ୍ୱର : କରୋନା ମୁକାବିଲା ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଓ ରାଉରକେଲା ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଭୟ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ କର୍ପୋରେଟ୍ ସଂସ୍ଥାମାନଙ୍କୁ କୋଭିଡ଼୍ କେୟାର ହୋମ୍ ଏବଂ କୋଭିଡ୍ କେୟାର ସେଣ୍ଟର ଖୋଲିବା ଲାଗି ନିବେଦନ କରିଛନ୍ତି। ଉଭୟ ଜିଲ୍ଲାର କରୋନା ମୁକାବିଲା ନେଇ ପ୍ରଶାସନକୁ ସାବାସୀ ଦେବା ସହିତ ଏକାଧିକ ଘୋଷଣା କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯାଜପୁର ଜିଲ୍ଲାରେ ସୁସ୍ଥତା ହାର ୮୬.୫ ପ୍ରତିଶତ ରହିଛି, ଯାହା ପ୍ରଶଂସନୀୟ। ଏଠାରେ ସ୍ଥିତି ପୂରା ନିୟନ୍ତ୍ରଣରେ ରହିଛି, ଯଦିଓ ଜିଲ୍ଲାକୁ ୨୬୦୦୦ ପ୍ରବାସୀ ଶ୍ରମିକ ଫେରିଥିଲେ। କୋଭିଡ୍ ମୁକାବିଲା ପାଇଁ ଅଧିକ ପଦକ୍ଷେପ ନେବା ଲାଗି ଜିଲ୍ଲା ପ୍ରଶାସନକୁ ୧୩କୋଟି ୫୦ଲକ୍ଷ ଟଙ୍କା ଡିଏମ୍ଏଫ୍ ପାଣ୍ଠିରୁ ଖର୍ଚ୍ଚ କରିବା ଲାଗି ଅନୁମତି ଦିଆଯାଇଛି। ଯାଜପୁରରେ ଆଉ ୨୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାଜପୁରକୁ ୫ କୋଟି ଟଙ୍କା ତାଙ୍କ ରିଲିଫ୍ ପାଣ୍ଠିରୁ ଦେଇଛନ୍ତି।

ସେହିଭଳି ରାଉରକେଲାରେ ସୁସ୍ଥତା ହାର ୮୫ ପ୍ରତିଶତ ରହିଛି। ଏଥିଲାଗି ସୁନ୍ଦରଗଡ଼ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଆଇଜିଏଚ୍‌ରେ ପ୍ଲାଜମା ବ୍ୟାଙ୍କ୍ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ଓ ଏହା ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲାକୁ ସହଯୋଗ ଯୋଗାଇ ଦେବ ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, କୋଭିଡ଼୍ ପରିଚାଳନା ପାଇଁ ଜିଲ୍ଲାପାଳ ଇତିମଧ୍ୟରେ ଡିଏମ୍‌ଏଫ୍ ପାଣ୍ଠିରୁ ୨୦ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟର ପାଇଁ ଆଉ ୧୫ କୋଟି ଟଙ୍କା ଆସନ୍ତା ୩ମାସରେ ଖର୍ଚ୍ଚ କରିବା ଲାଗି ପ୍ରଶାସନକୁ ଅନୁମତି ମିଳିଛି। ରାଉରକେଲାରେ କୋଭିଡ୍ କେୟାର ସେଣ୍ଟରକୁ ୭୦୦ରୁ ୧୭୦୦ ଶଯ୍ୟାରେ ପରିଣତ କରାଯିବ। ରାଉରକେଲାରେ ସର୍ଭିଲାନ୍ସ, ଦୁଆର ଦୁଆର ବୁଲି ସର୍ଭେ, ଟେଷ୍ଟିଂ ଓ କଣ୍ଟେନମେଣ୍ଟ ଜୋନ୍ ପ୍ରତି ଗୁରୁତ୍ବ ଦେବା ସହିତ ବସ୍ତି ଓ ଅତ୍ୟନ୍ତ ଜନଗହଳି ପୂର୍ଣ୍ଣ ବସତି ଉପରେ ଧ୍ୟାନ ଦେବାକୁ ଜିଲ୍ଲା ପ୍ରଶାସନକୁ ନବୀନ ନିର୍ଦେଶ ଦେଇଛନ୍ତି। ଏଥିସହିତ ସୁନ୍ଦରଗଡ଼ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର