ମାଗଣାରେ ପ୍ଲାଜ୍‌ମା ଥେରାପି : ଏସ୍‌ସିବିରେ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ

ଲୋକଙ୍କ ଜୀବନ ରକ୍ଷା ପାଇଁ ଏସବୁ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଦିଲ୍ଲୀ, ମହାରାଷ୍ଟ୍ର ପରେ ଦେଶରେ ତୃତୀୟ
ପ୍ରଥମଦିନ‌େର ୪ ଜଣ ପ୍ଲାଜ୍‌ମା ଦାନକଲେ
ପ୍ଲାଜ୍‌ମା ଦାନ ଅପେକ୍ଷାରେ ବିଧାୟକଙ୍କ ସମେତ ୧୨

ଭୁବନେଶ୍ବର : ଗୁରୁତର କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲ କଲେଜରେ କୋଭିଡ୍‌ ପ୍ଲାଜ୍‌ମା ବ୍ୟାଙ୍କ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହୋଇଛି। ଏହାଦ୍ବାରା ପ୍ଲାଜ୍‌ମା ଥେରାପି ବ୍ୟବସ୍ଥା ଆରମ୍ଭ କରିଥିବା ଦେଶର କିଛି ରାଜ୍ୟଙ୍କ କ୍ଲବ୍‌ରେ ଓଡ଼ିଶା ସାମିଲ ହୋଇପାରିଛି। ଦିଲ୍ଲୀ ଓ ମହାରାଷ୍ଟ୍ର ପରେ ଏହି ବ୍ୟବସ୍ଥା ଗ୍ରହଣ କରିବାରେ ଓଡ଼ିଶା ହେଉଛି ଦେଶର ତୃତୀୟ ରାଜ୍ୟ। ପ୍ଲାଜ୍‌ମା ବ୍ୟାଙ୍କକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଜ୍‌ମା ଥେରାପି ବିନା ମୂଲ୍ୟରେ ଉପଲବ୍ଧ ହେବ ବୋଲି ଘୋଷଣା କରିଛନ୍ତି। ପ୍ରଥମ ଦିନରେ ସ୍ବେଚ୍ଛାକୃତ ଭାବେ ଚାରି ଜଣ ସେମାନଙ୍କ ପ୍ଲାଜ୍‌ମା ଦାନ କରିଛନ୍ତି।

ଓଡ଼ିଶାର ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଓ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଲେ, ମୁଁ ଓ ମୋ ସରକାର ପାଇଁ ପ୍ରତ୍ୟେକ ବ୍ୟକ୍ତିର ଜୀବନ ହେଉଛି ସବୁଠାରୁ ମୂଲ୍ୟବାନ। ଆମର ଲୋକମାନଙ୍କ ଜୀବନ ବଞ୍ଚାଇବା ପାଇଁ ରାଜ୍ୟ ସବୁପ୍ରକାର ପଦକ୍ଷେପ ଗ୍ରହଣ କରିଛି। ଓଡ଼ିଶାର କୌଣସି ବ୍ୟକ୍ତିଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ।

ରାଜ୍ୟର ଡାକ୍ତରମାନଙ୍କ ଦକ୍ଷତା ଓ ନିଷ୍ଠାକୁ ପ୍ରଶଂସା କରି ଶ୍ରୀ ପଟ୍ଟନାୟକ କହିଲେ ଯେ ବର୍ତ୍ତମାନର କୋଭିଡ୍‌ ସମୟରେ ଆମର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଯେଉଁ କଠିନ ପରିଶ୍ରମ କରି ଲୋକଙ୍କୁ ଶ୍ରେଷ୍ଠ ସେବା ଯୋଗାଇ ଦେଉଛନ୍ତି ତାହାର ତୁଳନା ନାହିଁ। ଆମେ ସେମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରିବା ଉଚିତ। ଆଜି ୪ ଜଣ ସେମାନଙ୍କ ପ୍ଲାଜ୍‌ମା ଦାନ କରିବାକୁ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। କୋଭିଡ୍‌ ରୋଗରୁ ମୁକ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ପ୍ଲାଜ୍‌ମା ଦାନ କରିବାକୁ ଆଗେଇ ଆସିବା ପାଇଁ ସେ ନିବଦନ କରିଛନ୍ତି।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଗୁରୁତର ରୋଗୀଙ୍କ ସଫଳ ଚିକିତ୍ସା କ୍ଷେତ୍ରରେ ଏହି ଥେରାପି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ କରିଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି କେ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ ଓ ଏସ୍‌ସିବି ମେଡିକାଲ କଲେଜର ଅଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ।

ରାଜ୍ୟର ପ୍ରଥମ ୪ ଜଣ ପ୍ଲାଜ୍‌ମା ଦାତା ହେଲେ ପଙ୍କଜ କୁମାର ବେହେରା, ଚିଦ୍‌ ଭୂଷଣ ପଣ୍ଡା, ମନୋଜ କୁମାର ବରାଳ ଓ ଅବିନାଶ ରାଉତ। ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ସମେତ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଥିବା ଆଉ ୧୨ ଜଣ ବ୍ୟକ୍ତି ଏହି ମିସନ୍‌ରେ ଯୋଗଦାନ କରି ପ୍ଲାଜ୍‌ମା ଦାନ କରିବାକୁ ଆଗେଇ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ପ୍ଲାଜ୍‌ମା ଥେରାପି ପାଇଁ ଏସ୍‌ସିବି ମେଡିକାଲ ଏକ ନୋଡାଲ୍‌ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଭୁବନେଶ୍ବରର ସମ୍‌ ଓ କିମ୍‌ସ୍‌ ହସ୍ପିଟାଲ୍‌ ଏବଂ କଟକର ଅଶ୍ବିନୀ ହସ୍ପିଟାଲ୍‌ ପ୍ଲାଜ୍‌ମା ଥେରାପି ଜରିଆରେ ଗୁରୁତର ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବେ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିସନର୍‌, ସ୍ବତନ୍ତ୍ର ରିଲିଫ୍‌ କମିସନର୍‌, ଶ୍ରମ ବିଭାଗର ପ୍ରମୁଖସଚିବ, ଇଟି ଓ ଆଇଟି ସଚିବ ଏବଂ ଏସ୍‌ସିବି ମେଡିକାଲ ‌କଲେଜର ପ୍ରଫେସର ଓ ଡାକ୍ତରମାନେ ଏହି କାର୍ଯ୍ୟକ୍ରମ‌େର ଯୋଗ ଦେଇଥିଲେ।

ପ୍ଲାଜ୍‌ମା ଦାନ କରିବେ କିପରି
କଟକ: ଯେଉଁମାନେ ସ୍ବେଚ୍ଛାକୃତ ଭାବେ ପ୍ଲାଜ୍‌ମା ଦାନ କରିବାକୁ ଚାହାନ୍ତି, ସେମାନେ ସ୍ବାସ୍ଥ୍ୟ ବିଭାଗର ୱେବସାଇଟ୍‌ରେ ନାମ ପଞ୍ଜୀକରଣ କରିପାରିବେ। ନାମ ପଞ୍ଜୀକରଣ ପରେ ପ୍ଲାଜ୍‌ମା ଦାତାଙ୍କୁ କାଉନସେଲିଂ କରାଯିବ ଓ ପରେ ସେମାନେ ପ୍ଲାଜ୍‌ମା ଦାନ କରିପାରିବେ। ଜଣେ ପ୍ଲାଜ୍‌ମାଦାତାଙ୍କୁ ଦାନ କରିବାକୁ ଦୁଇ ଦିନ ସମୟ ଲାଗିବ। ଗୋଟିଏ ଦିନରେ ଦାତାଙ୍କ ପରୀକ୍ଷା କରାଯିବ ଏବଂ ପରବର୍ତ୍ତୀ ଦିନରେ କାଉନସେଲିଂ ଓ ପ୍ଲାଜ୍‌ମା ଗ୍ରହଣ କରାଯିବ। ଜଣେ ଦାତା କରୋନାରୁ ସୁସ୍ଥ ହେବାର ୨୮ଦିନ ପରେ ପ୍ଲାଜ୍‌ମା ଦାନ କରିପାରିବେ ବୋଲି ସୂଚନା ଦିଆଯାଇଛି। ଦୂରଦୂରାନ୍ତର ଆସୁଥିବା ଦାତାଙ୍କ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଜଣେ ଦାତାଙ୍କ ପିଛା ପାଖାପାଖି ୯ହଜାର ଟଙ୍କା ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଯେ‌ଉଁମାନେ ଆରୋଗ୍ୟ ହେଲେଣି ସେମାନଙ୍କୁ ପ୍ଲାଜ୍‌ମା ଦାନ କରିବାକୁ ସଚେତନ କରାଯିବ। ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଏନ୍‌ଡିଆର୍‌ଏଫ୍‌ ଯବାନମାନେ ଶ୍ରୀଘ୍ର ସୁସ୍ଥହୋଇଥିବାରୁ ସେମାନଙ୍କ ମଧ୍ୟରୁ ୫୦୦ ଯବାନଙ୍କୁ ପ୍ଲାଜ୍‌ମା ଦାନ କରିବାକୁ ଅନୁରୋଧ କରାଯିବ। ଜଣଙ୍କଠୁ ନିଆଯାଉଥିବା ୪୦୦ ମିଲିଲିଟର ପ୍ଲାଜ୍‌ମାରୁ ଦୁଇଜଣ ଆକ୍ରାନ୍ତ ଆରୋଗ୍ୟ ହୋଇପାରିବେ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର