ଏସ୍ସିବିରେ ପ୍ଲାଜ୍ମାଦାତାଙ୍କ ସଂଖ୍ୟା ଶହେ ଟପିଲା
ଟୁଇଟ୍ ଯୋଗେ ସ୍ବାସ୍ଥ୍ୟ ବିଭାଗର ଶୁଭେଚ୍ଛା
କଟକ : ଏସ୍ସିବି ପୁଣି ପ୍ଲାଜ୍ମା ଦାନ କ୍ଷେତ୍ରରେ ସୃଷ୍ଟି କରିଛି ନୂଆ ରେକର୍ଡ। ଠିକ୍ ମାସକ ତଳେ ଅର୍ଥାତ୍ ଗତମାସ ୧୫ ତାରିଖ ଦିନ ଭିଡିଓ କନ୍ଫରେନ୍ସରେ ମୁଖ୍ୟମନ୍ତ୍ରୀ ଉଦ୍ଘାଟିତ କରିଥିଲେ ଏସ୍ସିବି ପ୍ଲାଜମା ବ୍ୟାଙ୍କ। ମାସକ ମଧ୍ୟରେ କରୋନାରୁ ସୁସ୍ଥ ହୋଇଥିବା ୧୦୫ ଜଣ ସଂକ୍ରମିତ ପ୍ଲାଜ୍ମା ଦାନ କରି ରେକର୍ଡ ସୃଷ୍ଟି କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ସଫଳ କରିବା ସହ ପ୍ଲାଜ୍ମା ଦାନକୁ ଏକ ଆନ୍ଦୋଳନର ରୂପ ଦେଇଛନ୍ତି। ଏଭଳି କାର୍ଯ୍ୟ ପାଇଁ ଆଜି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ମାଧ୍ୟମରେ ଏସ୍ସିବି ଟିମ୍କୁ ପ୍ରଶଂସା କରାଯାଇଛି। ଏଥିରେ ଅଧିକ ସଂଖ୍ୟାକ ପୁଲିସ, ଯବାନ ଓ ଅଗ୍ନିଶମ କର୍ମଚାରୀ ପ୍ଲାଜ୍ମା ଦାନ କରିଛନ୍ତି। ସେହିପରି ଜଣେ ଡାକ୍ତର ଓ ପ୍ରଥମ ମହିଳାଭାବେ ଡାକ୍ତରୀ ଛାତ୍ରୀ ପ୍ଲାଜ୍ମା ଦାନ କରି ନୂଆ ରେକର୍ଡ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏସ୍ସିବି ପ୍ଲାଜ୍ମା ବ୍ୟାଙ୍କ ମାଧ୍ୟମରେ ୧୦୫ଜଣ କରୋନାରୁ ସୁସ୍ଥ ହୋଇଥିବା ଯୋଦ୍ଧା ପ୍ଲାଜମା ଦାନ କରିଛନ୍ତି। ଯେଉଁଥିରୁ ୨୧୦ ୟୁନିଟ୍ ପ୍ଲାଜ୍ମା ସଂଗ୍ରହ ହୋଇଥିବାବେଳେ ସେଥିରୁ ୧୬୮ ୟୁନିଟ୍ ବିଭିନ୍ନ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ରେ ପ୍ଲାଜ୍ମା ବ୍ୟାଙ୍କର ନୋଡାଲ ଅଧିକାରୀ ତଥା ଟ୍ରାନ୍ସଫ୍ୟୁଜନ ମେଡିସିନ୍ ବିଭାଗ ଡାକ୍ତର ସ୍ମିତା ମହାପାତ୍ରଙ୍କୁ ତାଙ୍କ କାର୍ଯ୍ୟ ପାଇଁ ଧନ୍ୟବାଦ ଦେଇଛନ୍ତି।