ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ ୭୦୦୦ ପରୀକ୍ଷଣ କରାଯାଉଥିବା ବେଳେ ଆଗାମୀ ଏକ ସପ୍ତାହ ମଧ୍ୟରେ ଏହାକୁ ୯୦୦୦କୁ ବୃଦ୍ଧି କରାଯିବ। ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ, ସେଥିପାଇଁ ଅଧିକ ଘରୋଇ ଚିକିତ୍ସାଳୟକୁ ମଧ୍ୟ ଅନୁମତି ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରକାଶ କରିଛନ୍ତି । ଏଥିସହ ଆସନ୍ତାକାଲି ଠାରୁ ରାଜ୍ୟରେ ପ୍ଲାଜମା ଥେରାପୀ ଭୁବନେଶ୍ବରର ସମ୍, କିମ୍ସ ଓ କଟକର ଅଶ୍ବିନୀ ହସ୍ପିଟାଲରେ ଆରମ୍ଭ କରାଯିବ। କଟକ ଏସସିବି ପ୍ଲାଜମା ଥେରାପୀର ନୋଡାଲ ସେଣ୍ଟର ଭାବରେ କାମ କରିବ ବୋଲି ସୂଚନା ଦିଆଯାଇଥିଲା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ୍ ମୁକାବିଲା ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସବୁ ସୂଚନା ଦିଅାଯାଇଥିଲା। ରାଜ୍ୟରେ ବିଶେଷତଃ କଟକ, ଭୁବନେଶ୍ବର ଓ ଗଞ୍ଜାମରେ ଥିବା କୋଭିଡ ଚିକିତ୍ସାଳୟରେ ଶଯ୍ୟା ଓ ଆଇ.ସି.ୟୁର କୌଣସି ଅଭାବ ନାହିଁ ।ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହିସବୁ ସହର ମାନଙ୍କରେ ଆହୁରି ୨୦୦ ଆଇ.ସି.ୟୁ ବେଡ ସହିତ ଶଯ୍ୟା ସଂଖ୍ୟା ଆଗାମୀ ୭ ଦିନ ମଧ୍ୟରେ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଇଛି।
ପୁରୀ ସହରରେ ସେରୋ ସର୍ଭିଲାନ୍ସ ସଂପୂର୍ଣ୍ଣ ହୋଇଥିବା ବେଳେ ଭୁବନେଶ୍ବରରେ କମୁନିଟି ସେରୋ ସର୍ଭିଲାନ୍ସ ସଂପୂର୍ଣ୍ଣ ହୋଇଛି । ତା ସହିତ ହାଇରିସ୍କ ପପୁଲେସନ୍ ସେରୋ ସର୍ଭିଲାନ୍ସ ଜାରି ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସର୍ବଭାରତୀୟ ସ୍ତରରେ ସୁସ୍ଥତା ହାର ୬୩ ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୬୪.୮୮ ପ୍ରତିଶତ ପହଞ୍ଚିଛି । ମୃତ୍ୟୁ ହାର ସର୍ବାଭାରତୀୟ ସ୍ତରରେ ୨.୬ ଥିବାବେଳେ, ଓଡିଶାରେ ଏହା ୦.୫ ପ୍ରତିଶତରେ ରହିଛି। ଆକ୍ରାନ୍ତଙ୍କ ମଧ୍ୟରେ ଯୁବ ବର୍ଗଙ୍କ ସଂଖ୍ୟା ୬୬ ପ୍ରତିଶତ ବୋଲି ଜଣାଯାଇଛି।
ରାଜ୍ୟ ସରକାରଙ୍କର ନିଷ୍ପତ୍ତିକ୍ରମେ ସ୍ବଳ୍ପ ଲକ୍ଷଣଯୁକ୍ତ ରୋଗୀ ମାନଙ୍କୁ ଏଣିକି ଘରେ ରହି ଚିକିତ୍ସା ପାଇଁ ଅନୁମତି ଦିଆଯିବ। ତା ସହିତ ବିଭିନ୍ନ କର୍ପୋରେଟ ସଂସ୍ଥାଗୁଡିକୁ ମଧ୍ୟ କୋଭିଡ କେୟାର ସେଣ୍ଟର ଖୋଲିବାକୁ ମଧ୍ୟ ଅନୁମତି ଦିଆଯିବ। ତେଣୁ ଏଗୁଡିକର ପରିଚାଳନାକୁ ଉପଯୁକ୍ତ ଭାବରେ ତଦାରଖ କରିବା ସହିତ ସେଗୁଡିକ ମଧ୍ୟ ମୋ ସରକାର ଅଧୀନରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।