ମୟୂରଭଞ୍ଜ ଗସ୍ତ କରି ପ୍ଲାଜମା ସଂଗ୍ରହ ତ୍ବରାନ୍ବିତ କରିବାକୁ ଆଇନ ମନ୍ତ୍ରୀଙ୍କ ପରାମର୍ଶ

ଜିଲ୍ଲାରେ ସୁସ୍ଥ ହୋଇଥିବା ୪୬୫ ଆକ୍ରାନ୍ତଙ୍କ ମଧ୍ୟରୁ ୩ଶହରୁ ଊର୍ଧ୍ବ ଦେଇପାରିବେ ପ୍ଲାଜମା

ବାରିପଦା: ଓଡ଼ିଶା ତୃତୀୟ ରାଜ୍ୟ ଭାବେ କରୋନା ରୋଗୀମାନଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ସେବା ଆରମ୍ଭ କରିଥିଲେ । ବାଲେଶ୍ୱର ଓ ମୟୂରଭଞ୍ଜ କୋଭିଡ୍ ପରିଚାଳନା ଦାୟିତ୍ୱରେ ଥିବା ଆଇନ, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ଓଡ଼ିଶା ଗସ୍ତରେ ଆସି ପ୍ରଥମେ ବାଲେଶ୍ୱର ଗସ୍ତ କାର୍ଯ୍ୟକ୍ରମ ଶେଷ କରି ବାରିପଦାଠାରେ ପହଞ୍ଚିଥିଲେ । ଆଜି ଶ୍ରୀ ଜେନା ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ପିଡ଼ି ଡ଼ିଆରଡ଼ିଏ, ବାରିପଦା ଉପଜିଲ୍ଲାପାଳ, ବାରିପଦା ପିଏ ଆଇଟିଡିଏ, ବାରିପଦା ପିଆରଏମ ମେଡିକାଲ କଲେଜର ଅଧୀକ୍ଷକ ଏବଂ ସିଡିଏମ୍ଓ ପ୍ରମୁଖଙ୍କ ସହ ଜିଲ୍ଲାରେ କୋଭିଡ୍-୧୯ ପରିଚାଳନା ଓ ସ୍ଥିତାବସ୍ଥା ସମ୍ପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ କ୍ରିଟିକାଲ୍ ଅବସ୍ଥାରେ ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଜିଲ୍ଲାରୁ ସୁସ୍ଥ ହୋଇ ଘରକୁ ଫେରିଥିବା କରୋନା ସଂକ୍ରମିତଙ୍କ ନିକଟରୁ ପ୍ଲାଜମା ସଂଗ୍ରହ ଉପରେ ଆଲୋଚନା କରିଥିଲେ ।

କରୋନାକୁ ପରାସ୍ତ କରିଥିବା ବ୍ୟକ୍ତିଙ୍କ ନିକଟରୁ ପ୍ଲାଜମା ସଂଗ୍ରହ ଉପରେ ଗୁରୁତ୍ବ
୧୫୦ଜଣ ଦେଲେ ସ୍ବୀକୃତି

ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସମ୍ପର୍କରେ ସୂଚନା ଦେଇଥିଲେ। ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ଜେନା ପ୍ଲାଜମା ଥେରାପି ସେବା କରୋନା ଯୁଦ୍ଧରେ ଆଶାର କିରଣ ପାଲଟିଥିବା ସାଙ୍ଗକୁ ଏକ ସଫଳ ଚିକିତ୍ସା ପଦ୍ଧତି ରୂପେ ବିଶ୍ୱାସ ସୃଷ୍ଟି ହୋଇଛି । ଏଥି ନିମନ୍ତେ ରୋଗ ମୁକ୍ତ ହୋଇ ଫେରିଥିବା ବ୍ୟକ୍ତିମାନେ ସ୍ୱତଃପ୍ରବୃତ୍ତ ଭାବେ ନିଜର ପ୍ଲାଜମା ଦାନ କରିବା ନିମନ୍ତେ ଆଗେଇ ଆସିବାକୁ ପରାମର୍ଶ ଦେବା ସାଙ୍ଗକୁ ଜନସଚେତନତା ସୃଷ୍ଟି କରାଯିବା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ମନ୍ତ୍ରୀ ଶ୍ରୀଜେନାଙ୍କ କହିବା ଅନୁସାରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟ ୪୬୫ରୁ ଅଧିକ ରୋଗ ମୁକ୍ତ ହୋଇ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ୩ ଶହରୁ ଅଧିକ ବ୍ୟକ୍ତିମାନଙ୍କ ପ୍ଲାଜମା କରୋନା ସଂକ୍ରମିତମାନଙ୍କ ଚିକିତ୍ସା ଉପଯୋଗୀ ହୋଇପାରିବ । ତେଣୁ ରୋଗମୁକ୍ତ ହୋଇ ଫେରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ନିଜର ପ୍ଲାଜମା ଦାନ ନିମନ୍ତେ ସଚେତନ କରାଯାଇ ପାରିଲେ ଏହା କରୋନା ସଂକ୍ରମିତମାନଙ୍କ ଚିକିତ୍ସା କ୍ଷେତ୍ରରେ ବିଶେଷ ଭାବେ ସହାୟକ ହୋଇ ପାରିବ । ଏଥି ସହିତ ଜିଲ୍ଲାରେ ପ୍ରାୟ ୧୫୦ରୁ ଅଧିକ ଆରୋଗ୍ୟ ବ୍ୟକ୍ତି ସ୍ୱଇଚ୍ଛାରେ ନିଜର ପ୍ଲାଜମା ଦାନ କରିବା ନିମନ୍ତେ ନିଜର ସହମତି ପ୍ରକାଶ କରିଥିବା ସମୟରେ ଅନ୍ୟମାନଙ୍କୁ ପ୍ଲାଜମା ଦାନ କରାଇବା ନିମନ୍ତେ ସଚେତନ କରାଇବା ନିମନ୍ତେ ମନ୍ତ୍ରୀ ଶ୍ରୀ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ପୂର୍ବତନ ଏସ୍ଡିସି ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।

ସମ୍ବନ୍ଧିତ ଖବର