ସାହସ ବଢ଼ାଇଲା ପ୍ଲାଜ୍‌ମା : ମନ୍ତ୍ରୀମାନଙ୍କ ମଧ୍ୟରେ ଜିଲ୍ଲା ବାଣ୍ଟିଲେ ନବୀନ, ପ୍ଲାଜ୍‌ମା ଦାନ ପାଇଁ ସୁସ୍ଥ ରୋଗୀଙ୍କୁ ବୁଝାଇବେ

ଭୁବନେଶ୍ୱର : ରାଜ୍ୟରେ କରୋନା ରୋଗୀ ସଂଖ୍ୟା ଦ୍ରୁତ ହାରରେ ବୃଦ୍ଧି ପାଇବା ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି। ତେବେ ଗୁରୁତର ରୋଗୀଙ୍କ ଚିକିତ୍ସାରେ ପ୍ଲାଜ୍‌ମା ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ପ୍ଲାଜ୍‌ମା ଦାନ ପାଇଁ କିଭଳି ଅଧିକରୁ ଅଧିକ ଲୋକଙ୍କୁ ଉତ୍ସାହିତ କରିହେବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜ ମନ୍ତ୍ରୀମାନଙ୍କୁ ସେ ଦାୟିତ୍ବ ଦେଇଛନ୍ତି। କେଉଁ ଜିଲ୍ଲାକୁ କେଉଁ ମନ୍ତ୍ରୀ ଯାଇ ଲେକାଙ୍କୁ ବୁଝାସୁଝା କରିବେ, ସେ ତାଲିକା ବି ଧରାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି, ଦିିଆଯାଇଥିବା ଜିଲ୍ଲାକୁ ମନ୍ତ୍ରୀମାନେ ତୁରନ୍ତ ଗସ୍ତ କରିବେ ଓ କୋଭିଡ୍‌ ରୋଗୀଙ୍କ ସହିତ ଯୋଗାଯୋଗ କରି ସେମାନେ କିଭଳି ପ୍ଲାଜ୍‌ମା ଦାନ କରିବେ, ସେ ନେଇ ପ୍ରବର୍ତାଇବେ। ନିୟମିତ ବ୍ୟବଧାନରେ ସେ ନିଜେ ପ୍ଲାଜ୍‌ମା ଦାନର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଜି ମନ୍ତ୍ରୀମାନଙ୍କୁ ସତର୍କ କରାଇ ଦେଇଛନ୍ତି। ଏହାସହିତ ମୃତ୍ୟୁସଂଖ୍ୟାକୁ ଶୂନ କରିବା ଉପରେ ମଧ୍ୟ ସେ ଗୁରୁତ୍ବ ଆରୋପ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ପୁରୀ, ବିକ୍ରମ କେଶରୀ ଆରୁଖଙ୍କୁ କନ୍ଧମାଳ ଓ ଗଞ୍ଜାମ ଦାୟିତ୍ବ ଦିଆଯାଇଛି। ସେହିଭଳି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ବରଗଡ଼, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଭଦ୍ରକ, କେନ୍ଦ୍ରାପଡା, ପଦ୍ମନାଭ ବେହେରାଙ୍କୁ ଝାରସୁଗୁଡ଼ା, ବୌଦ୍ଧ, ପ୍ରତାପ ଜେନାଙ୍କୁ ମୟୂରଭଂଜ, କଟକ, ଡ. ଅରୁଣ କୁମାର ସାହୁଙ୍କୁ ନୟାଗଡ ଓ ଖୋର୍ଧା, ସୁଦାମ ମାରାଣ୍ଡିଙ୍କୁ ସୋନପୁର, ସୁଶାନ୍ତ ସିଂହଙ୍କୁ ବଲାଙ୍ଗୀର ଏବଂ ସମ୍ବଲପୁର ଯିବା ଲାଗି କୁହାଯାଇଛି। ଅନ୍ୟପକ୍ଷରେ ମନ୍ତ୍ରୀ ନବ କିଶୋର ଦାସଙ୍କୁ କଳାହାଣ୍ଡି ଓ ନୂଆପଡା, ମନ୍ତ୍ରୀ ଟୁକୁନି ସାହୁଙ୍କୁ ଦେବଗଡ ଓ ସୁନ୍ଦରଗଡ, ଜଗନ୍ନାଥ ସାରକାଙ୍କୁ ଗଜପତି ଓ କୋରାପୁଟ, ଦିବ୍ୟଶଙ୍କର ମିଶ୍ରଙ୍କୁ ଢେଙ୍କାନାଳ, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଅନୁଗୁଳ, ସମୀର ରଂଜନ ଦାଶଙ୍କୁ ଯାଜପୁର, ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ବାଲେଶ୍ବର, ପ୍ରେମାନନ୍ଦ ନାୟକଙ୍କୁ କେନ୍ଦୁଝର, ରଘୁନନ୍ଦନ ଦାସଙ୍କୁ ନବରଙ୍ଗପୁର, ଜଗତସିଂହପୁର, ପଦ୍ମିନୀ ଦିଆନଙ୍କୁ ରାୟଗଡା ଓ ତୁଷାରକାନ୍ତି ବେହେରାଙ୍କୁ ମାଲକାନଗିରି ଦାୟିତ୍ବ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ୍ ରୋଗର ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ଉତ୍ସାହଜନକ ସଫଳତା ଆଣିଛି। ଏହି ଚିକିତ୍ସା ପଦ୍ଧତି ଦ୍ବାରା କଟକର ଜଣେ ୪୮ବର୍ଷୀୟ ମହିଳା ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଡାକ୍ତର ଓ ରୋଗୀମାନଙ୍କ ମଧ୍ୟରେ ପ୍ଲାଜ୍‌ମା ଥେରାପି ଆଶା ସଞ୍ଚାର କରିଛି। ଆତ୍ମବିଶ୍ବାସ ବି ବଢ଼ାଇଛି।

The Conversation

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ଗତ ସପ୍ତାହରୁ ପ୍ଲାଜ୍‌ମା ଥେରାପି ଆରମ୍ଭ କରାଯାଇଥିଲା। କଟକରେ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ମୋ ପାଇଁ ପ୍ରତିଟି ଲୋକର ଜୀବନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଓଡ଼ିଶାବାସୀଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବା ମୋର ଲକ୍ଷ୍ୟ।’’ ଏହି କ୍ରମରେ କଟକ ଓ ରାଉରକେଲାରେ ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା ହେବା ସହିତ ଇତିମଧ୍ୟରେ କଟକ, ଭୁବନେଶ୍ବର ଓ ବ୍ରହ୍ମପୁରରେ ପ୍ଲାଜ୍‌ମା ଥେରାପି ଆରମ୍ଭ ହୋଇଯାଇଛି। ଭୁବନେଶ୍ବର ଓ ବ୍ରହ୍ମପୁରରେ ମଧ୍ୟ ପ୍ଲାଜ୍‌ମା ବ୍ୟାଙ୍କ କରାଯିବା ପାଇଁ ସ୍ଥିର କରାଯାଇଛି।

ଜଣେ କୋଭିଡ୍ ରୋଗୀ ସୁସ୍ଥ ହେବାର ଚାରି ସପ୍ତାହ ପରେ ପ୍ଲାଜ୍‌ମା ଦାନ କରିପାରିବେ। ଜଣେ ବ୍ୟକ୍ତି ଚାହିଁଲେ ଏକାଧିକବାର (ପ୍ରତି ଦୁଇ ସପ୍ତାହରେ ଥରେ) ପ୍ଲାଜ୍‌ମା ଦେଇପାରିବେ। ଗୋଟିଏ ୟୁନିଟ୍ ପ୍ଲାଜ୍‌ମା ଦ୍ବାରା ଦୁଇଜଣଙ୍କ ଚିକିତ୍ସା କରାଯାଇପାରିବ।

ସମ୍ବନ୍ଧିତ ଖବର