ଭୁବନେଶ୍ୱର : ଗୁରୁତର କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ହ୍ରାସ କରିବାରେ ପ୍ରଭାବୀ ହୋଇପାରୁନି ପ୍ଲାଜ୍ମା ଥେରାପି। ତେଣୁ ଏହି ଚିକିତ୍ସାକୁ ଜାତୀୟ କରୋନା ପ୍ରୋଟୋକଲରୁ ହଟାଇ ଦେବା ଲାଗି ଭାରତୀୟ ଭେଷଜ ଗବେଷଣା ପରିଷଦ ବା ଆଇସିଏମ୍ଆର ବିଚାର କରୁଥିବା ସୂଚନା ଦେଇଛନ୍ତି ଆଇସିଏମ୍ଆର ମହାନିର୍ଦେଶକ ଡା.ବଳରାମ ଭାର୍ଗବ।
ଗତ ଏପ୍ରିଲରୁ ଜୁଲାଇ ମାସ ଭିତରେ ଦେଶ ୧୪ଟି ରାଜ୍ୟର ୩୯ଟି ହସ୍ପିଟାଲରେ ୪୬୪ଜଣ ରୋଗୀଙ୍କ ପ୍ଲାଜ୍ମା ଥେରାପି ନେଇ ଆଇସିଏମ୍ଆର ପକ୍ଷରୁ ଅଧ୍ୟୟନ କରାଯାଇଥିଲା। ଏହି ରୋଗୀମାନଙ୍କର ନିଶ୍ବାସ ପ୍ରଶ୍ବାସ ଜନିତ ସମସ୍ୟା ସହିତ ଅକ୍ସିଜେନ୍ ସ୍ତର ୯୩ ପ୍ରତିଶତରୁ କମ୍ ରହିଥିଲା। ସେମାନଙ୍କ ମଧ୍ୟରୁ ୨୩୫ଜଣଙ୍କୁ ପ୍ଲାଜ୍ମା ଥେରାପି ପ୍ରଦାନ କରାଯାଇଥିଲା। ୨୪ଘଣ୍ଟା ବ୍ୟବଧାନରେ ୨ଶହ ମି.ଲିର ୨ଟି ଡୋଜ୍ ଦିଆଯାଇଥିଲା। ଅପରପକ୍ଷରେ ତହିଁରୁ ୨୨୯ଜଣଙ୍କୁ ସାଧାରଣ ଚିକିତ୍ସା ଦିଆଯାଇଥିଲା। ମାତ୍ର ପ୍ଲାଜ୍ମା ଥେରାପି ମଧ୍ୟମରୁ ଗୁରୁତର କରୋନା ରୋଗୀଙ୍କ ଜୀବନ ରକ୍ଷା କରିବା ଓ ରୋଗ ନିୟନ୍ତ୍ରଣରେ ଏହା ଫଳପ୍ରଦ ହେଉ ନ ଥିବା ଜଣାପଡ଼ିଥିଲା।
ଯେଉଁ ୩୪ଜଣ ବା ୧୩.୬ ପ୍ରତିଶତ ରୋଗୀଙ୍କୁ ପ୍ଲାଜ୍ମା ଥେରାପି ଦିଆଯାଇଥିଲା ସେମାନେ ପ୍ରାଣ ହରାଇଥିଲେ। ତେବେ ଯେଉଁ ୩୧ ରୋଗୀ ବା ୧୪.୬ ରୋଗୀଙ୍କ ପ୍ଲାଜ୍ମା ଥେରାପି ଦିଆଯାଇ ନ ଥିଲା ସେମାନେ ମଧ୍ୟ ଭୂତାଣରୁ ଶିକାର ହୋଇଥିଲେ। ଅପରପକ୍ଷରେ ପ୍ଲାଜ୍ମା ଥେରାପି ନେଇ ନ ଥିବା ଓ ନେଇଥିବା ରୋଗୀଙ୍କ ମଧ୍ୟରେ ୧୭ଜଣ ରୋଗୀ ସୁସ୍ଥ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଥିଲା। ଆଗକୁ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜ୍ମା ଥେରାପି ବଦଳରେ ଆଣ୍ଟିସେରୋ(ହର୍ସ ସେରୋ)କୁ ବିକଳ୍ପ ଭାବେ ବ୍ୟବହାର କରାଯିବ। ତେବେ ଓଡ଼ିଶା ସମେତ କିଛି ରାଜ୍ୟ ଏବେ କରୋନା ରୋଗୀଙ୍କ କ୍ଷେତ୍ରରେ ପ୍ଲାଜ୍ମା ଥେରାପିକୁ ବ୍ୟବହାର କରୁଛନ୍ତି। ତେଣୁ ଆଇସିଏମ୍ଆର ପକ୍ଷରୁ ଏଭଳି ସୂଚନା ଦିଆଯିବା ପରେ ଏହି ଚିକିତ୍ସାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/plasam-theraphy.jpg)