ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରି କୋଭିଡ ଯୁଦ୍ଧ ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।

Advertisment

କୋଭିଡ ରୋଗର ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ସଫଳତାର ସହ କାମ କରୁଛି।  କଟକ ଏସସିବି ପରେ ଏବେ ପଶ୍ଚିମ ଓଡିଶା ପାଇଁ ରାଉରକେଲାର ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସିତ ଗୁରୁତର ରୋଗୀ ମାନଙ୍କୁ ରାଉରକେଲାର ଆଇଜିଏଚ ହସ୍‌ପିଟାଲରୁ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ। ଏଥିସହିତ ରାଉରକେଲାର କୋଭିଡ କେୟାର ସେଣ୍ଟର ଗୁଡିକର ଶଯ୍ୟା ସଂଖ୍ୟା ୭୦୦ରୁ ୧୭୦୦କୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସୁନ୍ଦରଗଡ ଜିଲ୍ଲାରେ କୋଭିଡ ଯୋଦ୍ଧାମାନଙ୍କର ନିରନ୍ତର ଉଦ୍ୟମ ଓ ସେବା ପାଇଁ ଜିଲ୍ଲାରେ ଆରୋଗ୍ୟ ହାର ୮୫ ପ୍ରତିଶତରେ ପହଞ୍ଚିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ।

ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ବର୍ତ୍ତମାନ ସୁଦ୍ଧା ଡିଏମଏଫ୍ ସୁନ୍ଦରଗଡରେ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟର ଗୁଡିକର ଭିତ୍ତିଭୂମି ବିକାଶ ପାଇଁ ଆଉ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ୫ କୋଟି ଟଙ୍କା ମଞ୍ଜୁର କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

publive-image

ରାଉରକେଲାର ବସ୍ତି ଅଞ୍ଚଳ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳ ଉପରେ ଅଧିକ ଫୋକସ୍‌ କରିବା ସହିତ ଘରକୁ ଘର ବୁଲି ପର୍ଯ୍ୟବେକ୍ଷଣ ଓ କଣ୍ଟେଟମେଣ୍ଟ ଜୋନ୍‌ରେ ଟେଷ୍ଟିଂ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ।

ଜିଲ୍ଲାରେ କୋଭିଡ କେୟାର ହୋମ୍‌ ଓ କୋଭିଡ କେୟାର ସେଣ୍ଟର ପାଇଁ ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ବଢାଇଥିବାରୁ ମୁଖ୍ୟମନ୍ତ୍ରୀ ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ଏନଟିପିସି, ଏମସିଏଲ ଓ ଓସିଏଲକୁ  ଧନ୍ୟବାଦ ଜଣାଇଥିଲେ।

ଯାଜପୁର ଜିଲ୍ଲାକୁ ଗତ କିଛି ଦିନ ମଧ୍ୟରେ ୨୬ ହଜାରରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଥିବାରୁ ଏବଂ ଆରୋଗ୍ୟ ହାରକୁ ୮୬.୫ ପ୍ରତିଶତରେ ପହଞ୍ଚାଇ ପାରିଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ।

ଏପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ପ୍ରଶାସନ ଡିଏମଏଫ୍ କୋଭିଡ ପରିଚାଳନା ପାଇଁ ୧୩.୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଜିଲ୍ଲାପାଇଁ ୫ କୋଟି ଟଙ୍କା ମଞ୍ଜୁର ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଏହାସହିତ ଜିଲ୍ଲାରେ କୋଭିଡ ଚିକିତ୍ସା ପାଇଁ ଅଧିକ ୨୫୦ ଶଯ୍ୟା ବୃଦ୍ଧି କରିବା ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ବିଭିନ୍ନ କର୍ପୋରେଟ ଓ ଶିଳ୍ପ ସଂସ୍ଥା ସହଯୋଗରେ ଜିଲ୍ଲାରେ ଅଧିକ କୋଭିଡ କେୟାର ହୋମ୍‌ ଓ କୋଭିଡ କେୟାର ସେଣ୍ଟର ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ତଥା ଧାର୍ମିକ ସାମାଜିକ ସଂଗଠନ ଓ କର୍ପୋରେଟ ସଂସ୍ଥା ମାନଙ୍କୁ କୋଭିଡ କେୟାର ହୋମ୍  ଓ କୋଭିଡ କେୟାର ସେଣ୍ଟର ସ୍ଥାପନ ପାଇଁ ସହଯୋଗ କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ।

ଯାଜପୁର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ମନ୍ତ୍ରୀ ସମୀର ଦାଶ ଏବଂ ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ନାୟକ ସେମାନଙ୍କ ଜିଲ୍ଲାରେ କୋଭିଡ ପରିଚାଳନା ସଂପର୍କରେ ସୁଚିନ୍ତିତ ମତାମତ ଦେଇଥିଲେ। ସୁନ୍ଦରଗଡ ଓ ଯାଜପୁରର ଜିଲ୍ଲାପାଳ ଏବଂ ରାଉରକେଲାର ମ୍ୟୁନିସ୍‌ପାଲ କମିସନର ସେମାନଙ୍କ ଅଞ୍ଚଳରେ କୋଭିଡ ପରିଚାଳନା ବିଷୟରେ ଉପସ୍ଥାପନା କରିଥିଲେ ଏବଂ ପରିସ୍ଥିତିରେ ଉନ୍ନତି ଆସୁଥିବା ବିଷୟ ସୂଚନା ଦେଇଥିଲେ।

ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।