ଭୁବନେଶ୍ୱର : ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜ୍ମା ଥେରାପି। କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ ସଂଗ୍ରହ କରାଯାଇ ଗୁରୁତର କରୋନା ରୋଗୀଙ୍କୁ ଯୋଗାଇ ଦିଆଯିବ। ଫଳରେ ଅନେକ ମୂଲ୍ୟବାନ ଜୀବନ ବଞ୍ଚିପାରିବ। ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ରାଜ୍ୟର ୪ଟି ପ୍ରମୁଖ ଚିକିତ୍ସା ଅନୁଷ୍ଠାନ ଯଥା କଟକ ଏସ୍ସିବି ମେଡିକାଲ କଲେଜ, ଅଶ୍ବିନୀ ହସ୍ପିଟାଲ, ଆଇଏମ୍ଏସ୍ ସମ୍ ହସ୍ପିଟାଲ ଓ କିମ୍ସ ହସ୍ପିଟାଲରେ ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ଆରମ୍ଭ କରାଯିବ। ତେବେ ଆସନ୍ତା ଅଗଷ୍ଟ ପରେ ହିଁ ରୋଗୀମାନେ ଏହି ସୁବିଧା ପାଇପାରିବେ।
ରୋଗୀଙ୍କ ଚିକିତ୍ସା ପଦ୍ଧତି ନିରୂପଣ କରିବା ପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ।
/sambad/media/post_attachments/wp-content/uploads/2020/07/images_1585834854300_coronavirus-300x168.jpg)
ତେବେ ରାଜ୍ୟରେ ପ୍ରଥମ ଥର ଲାଗି ଏହି ଚିକିତ୍ସା ଆରମ୍ଭ ହେବାକୁ ଯାଉଥିବା ବେଳେ ଏବେ କୌଣସି ସୁସ୍ଥ ରୋଗୀଙ୍କ ପ୍ଲାଜମା ରାଜ୍ୟରେ ସଂଗୃହୀତ ହୋଇନାହିଁ। ରୋଗୀ ସୁସ୍ଥ ହେବାର ୪ ସପ୍ତାହ ପରେ ହିଁ ସେମାନଙ୍କଠାରୁ ରକ୍ତ ସଂଗ୍ରହ କରାଯିବାର ନିୟମ ରହିଛି। ତେଣୁ ଚଳିତ ମାସରେ ସୁସ୍ଥ ବ୍ୟକ୍ତିଙ୍କ ରକ୍ତ ସଂଗ୍ରହ ଅଭିଯାନ ଆରମ୍ଭ ହୁଏ, ତାହେଲେ ଖୁବଶୀଘ୍ର ରାଜ୍ୟର କରୋନା ରୋଗୀମାନଙ୍କୁ ଏହି ସୁବିଧା ମିଳିପାରିବ ବୋଲି ଜଣାପଡ଼ିଛି। ରାଜ୍ୟରେ ଏବେ ୫୫୦୨ଜଣ କରୋନା ରୋଗୀ ସୁସ୍ଥ ହୋଇ ସାରିଛନ୍ତି। ଏଭଳି ପରିସ୍ଥିତିରେ ସୁସ୍ଥ ହୋଇଥିବା ରୋଗୀଙ୍କୁ ରକ୍ତଦାନ ପାଇଁ ପ୍ରୋତ୍ସାହିତ କରାଯିବ। ସେମାନଙ୍କ ଅନୁମତି ପରେ ରକ୍ତ ସଂଗ୍ରହ କରାଯାଇ ପ୍ଲାଜମା ବ୍ୟାଙ୍କରେ ରଖାଯିବ। ଏଥିପାଇଁ ଏ ପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇଥିବା ରୋଗୀମାନଙ୍କର ଡାଟାବେସ୍ ପ୍ରସ୍ତୁତ କରାଯାଉଛି। ଏହା ସହିତ କେତେଜଣ ରୋଗୀଙ୍କର ପ୍ଲାଜମା ଥେରାପି ଆବଶ୍ୟକ, ସେହି ଅନୁଯାୟୀ ରକ୍ତଦାତାଙ୍କୁ ଡକାଯିବ ଏବଂ ରକ୍ତ ଭଣ୍ଡାରରେ ସେମାନଙ୍କର ପ୍ଲାଜ୍ମା ସଂଗ୍ରହ କରାଯିବ। ଏହି ଚିକିତ୍ସା ପଦ୍ଧତି ନିରୂପଣ ସହ ସଫଳ ରୂପାୟନ ପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତି, ଜନ ସଚେତନତା ସୃଷ୍ଟି ଓ ଏଥିରେ କେଉଁ ରୋଗୀ ଉପକୃତ ହେବେ, ସେ ସଂପର୍କରେ ବୈଷୟିକ କମିଟି ନିର୍ଦ୍ଦିଷ୍ଟ ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ଲାଗି କୁହାଯାଇଛି।
ବୈଠକରେ ସୋଆ ବିଶ୍ବବିଦ୍ୟାଳୟର କୁଳପତି ଡା. ଅଶୋକ ମହାପାତ୍ର, କିମ୍ସ ମେଡିକାଲ କଲେଜର ନିର୍ଦ୍ଦେଶକ ଡା. ସୁବ୍ରତ ଆଚାର୍ଯ୍ୟ, ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ପ୍ରଫେସର ଡା. ସିବିକେ ମହାନ୍ତି, ଆର୍ଏମ୍ଆରସିର ନିର୍ଦେଶିକା ଡା. ସଂଘମିତ୍ରା ପତି, ଛାତିରୋଗ ବିଶେଷଜ୍ଞ ପ୍ରଫେସର ଡା. ଏମ୍.ଆର ପଟ୍ଟନାୟକ ଓ ଭେଷଜ ବିଶେଷଜ୍ଞ ପ୍ରଫେସର ଡା. ଜୟନ୍ତ ପଣ୍ଡା ପ୍ରମୁଖ ଏହି ଥେରାପି ସଂପର୍କରେ ନିଜର ମତ ରଖିଥିଲେ। ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ ଓ ସ୍ବାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହା ପୂର୍ବରୁ ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ନିକଟରେ ରେମଡିସିଭିର ଓ ଫାଭି ଫ୍ଲୁ ଔଷଧର ପ୍ରୟୋଗ ଗୁରୁତର ଓ ଅତି ଗୁରୁତର ରୋଗୀଙ୍କ ପାଇଁ ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।
/sambad/media/post_attachments/wp-content/uploads/2020/07/faf679907052267be412fc3b434345c6-300x200.jpg)
ପ୍ଲାଜମା ଚିକିତ୍ସା ପଦ୍ଧତି କ’ଣ?
ପ୍ଲାଜମା ଏକ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି। କରୋନା ସଂକ୍ରମିତମାନେ ସୁସ୍ଥ ହେବା ପରେ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ସେମାନଙ୍କ ରକ୍ତରୁ ପ୍ଲାଜମା ସଂଗ୍ରହ କରାଯାଇ ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କ ଶରୀରରେ ଏହାକୁ ପ୍ରଦାନ କରାଯାଇଥାଏ। ଦେଶବ୍ୟାପୀ ଅନ୍ୟ ରାଜ୍ୟରେ ଏହି ଚିକିତ୍ସା ବେଶ୍ ଫଳପ୍ରଦ ହୋଇଥିବା ନଜରକୁ ଆସିଛି। ଏପରିକି ଗତକାଲି ଦିଲ୍ଲୀ ସରକାର ଏକ ପ୍ଲାଜ୍ମା ବ୍ୟାଙ୍କ ପ୍ରତିଷ୍ଠା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ଲାଗି ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ଗତ ଏପ୍ରିଲ ମାସରେ ପ୍ଲାଜମା ଥେରାପିର କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟମାନେ ମଧ୍ୟ ଏହି ଥେରାପିକୁ ନେଇ ପରୀକ୍ଷାନିରୀକ୍ଷା ଆରମ୍ଭ କରିଥିଲେ। ତେବେ ଆଇସିଏମ୍ଆର୍ ତରଫରୁ ଏହାକୁ ଅନୁମୋଦନ ଦିଆ ଯାଇ ନ ଥିଲା। ଶେଷରେ ଗତ ମେ’ ମାସରେ ଦେଶର ୨୧ଟି ହସ୍ପିଟାଲକୁ ପ୍ଲାଜ୍ମା ଥେରାପି ପାଇଁ ଆଇସିଏମ୍ଆର୍ର ଅନୁମୋଦନ ମିଳିଥିଲା। ଏଥିରେ ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, କର୍ଣ୍ଣାଟକ, ତେଲେଙ୍ଗାନା ଓ ଚଣ୍ଡୀଗଡ଼ର କେତୋଟି ବଛା ବଛା ହସ୍ପିଟାଲ ସାମିଲ ଥିଲା।
/sambad/media/post_attachments/wp-content/uploads/2020/05/scb-300x188.jpg)
ଏସ୍ସିବିରେ ପ୍ରତିଷ୍ଠା ହେବ ପ୍ଲାଜ୍ମା ବ୍ୟାଙ୍କ
ରାଜ୍ୟରେ ଏସ୍ସିବି ମେଡିକାଲ କଲେଜରେ ପ୍ରଥମେ ପ୍ଲାଜ୍ମା ବ୍ୟାଙ୍କ ପ୍ରତିଷ୍ଠା ହେବ। ପରବର୍ତୀ ସମୟରେ ଆଇଏମ୍ଏସ୍ ସମ୍ ହସ୍ପିଟାଲ, କିମ୍ସ ହସ୍ପିଟାଲ ଓ କଟକସ୍ଥିତ ଅଶ୍ବିନୀ ହସ୍ପିଟାଲଙ୍କୁ ନିଜ ନିଜର ପ୍ଲାଜ୍ମା ବ୍ୟାଙ୍କ ପ୍ରତିଷ୍ଠା କରିବା ଲାଗି ପ୍ରୋତ୍ସାହିତ କରାଯିବ। ଏସ୍ସିବିରେ ରକ୍ତ ସଂଗ୍ରହ କରାଯାଇ ପରେ ଅନ୍ୟ ହସ୍ପିଟାଲଗୁଡ଼ିକୁ ସଂରକ୍ଷିତ ରଖିବା ଲାଗି ପଠାଯିବ।
ରାଜ୍ୟରେ ପ୍ଲାଜ୍ମା ଥେରାପି କିଭଳି କାର୍ଯ୍ୟ କରିବ, ସେଥିଲାଗି ଡିଏମ୍ଇଟି ପ୍ରଫେସର ସିବିକେ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଷୟିକ କମିଟି ଗଠନ କରାଯିବ। ଏଥିରେ ଏସ୍ସିବି ମେଡିକାଲର ଡିନ୍ ତଥା ଅଧ୍ୟକ୍ଷ, ଏସ୍ସିବି ଟ୍ରାନ୍ସଫ୍ୟୁଜ୍ ମେଡିସିନ୍ର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ, ଆଇଏମ୍ଏସ୍ ସମ୍ ହସ୍ପିଟାଲର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ, ଅଶ୍ବିନୀ ହସ୍ପିଟାଲର ଡା. ସମ୍ପତ ଦାସ, ସମ୍ ହସ୍ପିଟାଲର ଭେଷଜ ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡା. ସମୀର ସାହୁ ଓ ଏସ୍ସିବି ମେଡିକାଲର ଆସୋସିଏଟ୍ ପ୍ରଫେସର ଡା. ସ୍ମିତା ମହାପାତ୍ରଙ୍କୁ ସାମିଲ କରାଯାଇଛି।
ସେହିପରି କରୋନାରୁ ମୁକ୍ତ ହେଉଥିବା ରୋଗୀମାନଙ୍କ ସବିଶେଷ ତଥ୍ୟ ଓ ପ୍ଲାଜ୍ମା ଦେବା ଲାଗି ଆଗ୍ରହୀ ବ୍ୟକ୍ତିଙ୍କ ସମ୍ବଳିତ ଏକ କେନ୍ଦ୍ରୀୟ ଡାଟାବେସ୍ ଏସ୍ସିବି ମେଡିକାଲ କଲେଜରେ ପ୍ରସ୍ତୁତ କରାଯିବ। ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲଗୁଡ଼ିକ ପ୍ଲାଜ୍ମା ଦେବା ଲାଗି ଆଗ୍ରହୀ ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରିବେ। ଏହାକୁ ନୋଡାଲ ଅଧିକାରୀଙ୍କ ନିକଟକୁ ପଠାଇବେ। ଏସ୍ସିବିର ଟ୍ରାନ୍ସଫ୍ୟୁଜ୍ ମେଡିସିନ୍ର ଆସୋସିଏଟ୍ ପ୍ରଫେସର ଡା. ସ୍ମିତା ମହାପାତ୍ରଙ୍କୁ ପ୍ଲାଜ୍ମା ଥେରାପିର ନୋଡାଲ ଅଧିକାରୀ ଭାବେ ଘୋଷଣା କରାଯାଇଛି। ଏଥିପାଇଁ ତାଙ୍କୁ ଆବଶ୍ୟକ ଡାଟା ଏଣ୍ଟ୍ରି ଅପରେଟର୍, କମ୍ପ୍ୟୁଟର୍ ଓ ଇଣ୍ଟରନେଟ୍ ସଂଯୋଗ ଯୋଗାଇଦେବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।