କଟକ : କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଆରମ୍ଭ ହୋଇଥିବା ପ୍ଲାଜ୍ମା ଚିକିତ୍ସାରେ ଆଜି ସୁଦ୍ଧା ୫ଜଣ ରୋଗୀଙ୍କୁ ଏହାର ସୁବିଧା ଉପଲବ୍ଧ ହୋଇପାରିଛି। ଗତକାଲି ଏସ୍ସିବିରେ ପ୍ଲାଜ୍ମା ବ୍ୟାଙ୍କ ଉଦ୍ଘାଟନ ହେବା ପରେ ଅଶ୍ବିନୀ ହସ୍ପିଟାଲ୍ରେ ଥିବା ଜଣେ ଗୁରୁତର ରୋଗୀଙ୍କୁ ରାତିରେ ଗୋଟିଏ ପ୍ୟାକେଟ୍ ପ୍ଲାଜ୍ମା ଦିଆଯାଇଥିଲା। ଆଜି ଭୁବନେଶ୍ବର ସମ୍ ହସ୍ପିଟାଲ୍କୁ ଆଉ ୪ ପ୍ୟାକେଟ ପ୍ଲାଜ୍ମା ବ୍ୟାଗ୍ ପଠାଯାଇଛି। ଆଜି କିନ୍ତୁ ଆଉ କୌଣସି ପ୍ଲାଜ୍ମା ଦାତା ଆସିନଥିବାରୁ ଏସ୍ସିବି ପ୍ଲାଜ୍ମା ବ୍ୟାଙ୍କ୍ରେ ଆଉ ମାତ୍ର ୩ଟି ପ୍ୟାକେଟ୍ ମହଜୁଦ୍ ରହିଛି। ଜଣେ ଦାତା ମେଡିକାଲ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିବା ବେଳେ ଆସନ୍ତାକାଲି ତାଙ୍କର ଫିଟ୍ନେସ ପରୀକ୍ଷା କରାଯିବ। ଯଦି ତାଙ୍କର ସବୁ କିଛି ଠିକ ରୁହେ ତେବେ ଶନିବାର ଦିନ ତାଙ୍କଠାରୁ ପ୍ଲାଜ୍ମା ଗ୍ରହଣ କରାଯିବ। ଆଜି ସମ୍ ହସ୍ପିଟାଲକୁ ପଠା ଯାଇଥିବା ୪ଟି ପ୍ୟାକେଟ ଭିତରେ ରହିଛି ବି ପଜିଟିଭ୍ ଗ୍ରୁପର ଗୋଟିଏ, ଏବି ପଜିଟିଭ୍ ଗ୍ରୁପର ଗୋଟିଏ ଏବଂ ଓ ପଜିଟିଭ୍ ଗ୍ରୁପର ୨ଟି ପ୍ଲାଜମା। ପ୍ଲାଜମା ବ୍ୟାଙ୍କରେ ଗୋଟିଏ ଏବି ପଜିଟିଭ୍ ଗ୍ରୁପ୍ ଓ ୨ଟି ଏବି ପଜିଟିଭ୍ ଗ୍ରୁପ୍ ଗଚ୍ଛିତ ରହିଛି।
ସୂଚନାଯୋଗ୍ୟ, ଜଣେ ଦାତାଙ୍କଠୁ ୪୦୦ ମିଲିଲିଟର ପ୍ଲାଜ୍ମା ସଂଗ୍ରହ କରାଯାଉଛି। ସେଗୁଡିକୁ ୨୦୦ ମିଲିଲିଟର ଲେଖାଏଁ ଦୁଇଟି ପ୍ୟାକେଟରେ ସଂରକ୍ଷିତ କରି ରଖାଯାଉଛି। ଏହି ପ୍ରକ୍ରିୟାରେ ପ୍ରଥମ ଦିନ ୪ ଜଣ ପ୍ଲାଜମା ଦାନ କରିଥିବା ବେଳେ ସେଥିରୁ ୮ଟି ପ୍ୟାକେଟ ପ୍ରସ୍ତୁତ ହୋଇଛି। ୫ଟି ବ୍ୟବହାର ହୋଇଥିବା ବେଳେ ଆଉ ୩ଟି ଗଚ୍ଛିତ ରହିଛି। ଯେଉଁ କୋଭିଡ୍ ହସ୍ପିଟାଲ୍ରେ ପ୍ଲାଜ୍ମା ଆବଶ୍ୟକ ହେବ, ସେଠାକୁ ତୁରନ୍ତ ପ୍ୟାକେଟ୍ ପଠାଯିବା ପାଇଁ ପ୍ଲାଜ୍ମା ବ୍ୟାଙ୍କ ପକ୍ଷରୁ ପଦକ୍ଷେପ ନିଆଯିବ। ଦିଲ୍ଲୀ ଓ ମହାରାଷ୍ଟ୍ର ପରେ ଓଡ଼ିଶା ତୃତୀୟ ରାଜ୍ୟ ଭାବେ ଏହାକୁ ଆରମ୍ଭ କରିଛି।