ଅସ୍ତରଙ୍ଗ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ତାଳଦା ପଢ଼ିଆରୀ ବିଦ୍ୟାପୀଠର ଅଫିସ୍ ଗୃହରୁ ବୁଧବାର ଦିନ ପ୍ଲାଷ୍ଟର୍ ଖସି ଜଣେ ଶିକ୍ଷୟିତ୍ରୀ ଓ ସିଆର୍ସିସି ଆହତ ହୋଇଛନ୍ତି। ଉଭୟଙ୍କୁ ଜଗତସିଂହପୁର ଜିଲ୍ଲା ମାଛଗାଁରେ ଆଶୁ ଚିକିତ୍ସା କରାଯାଇଛି। ତେବେ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସିଆର୍ସିସି ତ୍ରିଲୋଚନ ବେହେରାଙ୍କ ମୁଣ୍ଡ ଫାଟଥିବା ବେଳେ ତାଙ୍କୁ ଆଶୁ ଚିକିତ୍ସା ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ଏହି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ମାତ୍ର ୬ ମାସ ପୂର୍ବରୁ ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଏଡ଼ବାଂଶ ପଢ଼ିଆରୀ ବିଦ୍ୟାପୀଠରେ ଆଜି କ୍ଲଷ୍ଟର୍ସ୍ତରୀୟ ବୈଠକ ହେବାର ଥିଲା। ଏଥିପାଇଁ ମଧ୍ୟାହ୍ନ ଭୋଜନ ପରେ ସିଆର୍ସିସି ତ୍ରିଲୋଚନ ବେହେରା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଡାକିଥିଲେ। ଶ୍ରୀ ବେହେରା ଓ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତି ଅଫିସ୍ ଗୃହରେ ବସିଥିଲେ। ଏହି ସମୟରେ ଛାତରୁ ହଠାତ୍ ପ୍ଲାଷ୍ଟର ଖସି ଉଭୟଙ୍କ ମୁଣ୍ଡ ଉପରେ ପଡ଼ିଥିଲା। ଉଭୟଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅନ୍ୟ ଶିକ୍ଷକ ଓ ସ୍ଥାନୀୟ ଲୋକେ ଜଗତସିଂହପୁର ଜିଲ୍ଲା ମାଛଗାଁରେ ଥିବା ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଉଭୟଙ୍କ ମୁଣ୍ଡରେ ଷ୍ଟିଚ୍ ପକାଇବା ସହ ଡ୍ରେସିଂ କରାଯାଇଥିଲା। ଆହତ ସିଆର୍ସିସି ଶ୍ରୀ ବେହେରାଙ୍କୁ ଯୋଗାଯୋଗ କରିବାରେ ସେ କହିଛନ୍ତି ଭଗବାନ ବଞ୍ଚାଇଦେଲେ। କିନ୍ତୁ ଶିକ୍ଷୟିତ୍ରୀ ଜଣକ ଗୁରୁତର ଥିବା ସେ ସୂଚନା ଦେଇଛନ୍ତି।
ଖବର ମୁତାବକ, ବିଦ୍ୟାଳୟ ରୂପାନ୍ତରଣ ସମୟରେ ନିମ୍ନମାନର କାମ ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ହେଲେ ଏଥିପ୍ରତି କେହି କର୍ଣ୍ଣପାତ କରି ନଥିଲେ। ଏପରିକି କାମ ନ ସାରି ଭର୍ଚୁଆଲ୍ ମୋଡ୍ରେ ତରବରିଆ ଭାବେ ଏହାକୁ ଉଦ୍ଘାଟନ କରିବା ନେଇ ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଆଜିର ଏହି ଦୁର୍ଘଟଣା ପରେ ଛାତ୍ରଛାତ୍ରୀ ଏଠାରେ ପାଠପଢ଼ିବା ସୁରକ୍ଷିତ ନୁହେଁ ବୋଲି ବହୁ ଅବିଭାବକ କହିଛନ୍ତି। ତେବେ ଏଭଳି ଦୁର୍ଘଟଣା ପାଇଁ ସମ୍ପୃକ୍ତ ଠିକାଦାର, କନିଷ୍ଠ ଯନ୍ତ୍ରୀ ଓ ବ୍ଲକ୍ ସହକାରୀ ଯନ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଦାୟୀ କରୁଥିଲା ବେଳେ ଘଟଣାର ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/astaranga-school.jpg)