ପାଇକସାହି/ବଇଣ୍ଡା: ପାଠପଢ଼ା ଚାଲିଥିବା ସମୟରେ ଅଙ୍ଗନବାଡ଼ି କେନ୍ଦ୍ରର ଛାତରୁ ପ୍ଲାଷ୍ଟର୍ ଖସିଲା। ସିଧା ଛାତ୍ରଛାତ୍ରୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ମୁଣ୍ଡ ଉପରେ ପଡ଼ିବାରୁ ୫ ଶିଶୁଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଆହତ ହୋଇଛନ୍ତି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ପେଡ଼ିପଥର ପଞ୍ଚାୟତ ଝିଲ୍ଲୀମୁଣ୍ଡା ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଆଜି ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣା ଜିଲ୍ଲାରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷାଦାନର ବିକଳ ଚେହେରାକୁ ସାମ୍ନାକୁ ଆଣିଛି।
ଆଠମଲ୍ଲିକ ବ୍ଲକ୍ ଝିଲ୍ଲୀମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରରେ ଆଜି ସକାଳେ ପାଠପଢ଼ା ଚାଲିଥିଲା। ପ୍ରାୟ ୨୫ ଜଣ ଶିଶୁଙ୍କ ସହ ଅଙ୍ଗନବାଡ଼ି କର୍ମୀ ସୁବାସିନୀ ରଣା କେନ୍ଦ୍ରରେ ଥିଲେ। ଏହି ସମୟରେ ହଠାତ୍ ଛାତରୁ ପ୍ଲାଷ୍ଟର୍ ଖସିଥିଲା। ଅଙ୍ଗନବାଡ଼ି କର୍ମୀ ବସିଥିବା ପଟକୁ ଅଧିକ ପ୍ଲାଷ୍ଟର୍ ଖସିଥିଲା। ଫଳରେ ସେ ଗୁରୁତର ହୋଇଛନ୍ତି। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଛି। ଏହି ପ୍ଲାଷ୍ଟର୍ ପଡ଼ିବାରୁ ଅନ୍ୟ ୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନେ ହେଲେ ଅନନ୍ୟା ବେହେରା, କରନ ସାହୁ, ତପସ୍ୱିନୀ ବେହେରା, ସାଇରାମ ସାହୁ, ମିଲନ ସାହୁ ଓ ଶୁଭମ ଭୋଇ। ସେମାନଙ୍କୁ ବଇଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଛାତ୍ରଛାତ୍ରୀଙ୍କୁ ଛାଡ଼ି ଦିଆଯାଇଛି। ତେବେ ଅଙ୍ଗନବାଡ଼ି କର୍ମୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ପ୍ରଥମେ ଶୁଭମଙ୍କ ଉପରେ ପ୍ଲାଷ୍ଟର ଖସି ପଡ଼ିଥିଲା। କିଛି ମିନିଟ୍ ଭିତରେ ଅନ୍ୟ ୫ ଜଣ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷୟିତ୍ରୀଙ୍କ ମୁଣ୍ଡରେ ଏହି ପ୍ଲାଷ୍ଟର୍ ପଡ଼ିଥିଲା। ଅନ୍ୟ ଛାତ୍ରଛାତ୍ରୀମାନେ ଭୟରେ ବିଦ୍ୟାଳୟରୁ ବାହାରକୁ ପଳାଇ ଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପରେ ଗାଁ ଲୋକ ଛାତ୍ରଛାତ୍ରୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୨୦୦୯ ମସିହାରେ ଉକ୍ତ କେନ୍ଦ୍ର ନିର୍ମାଣ ହୋଇଥିଲା। ହେଲେ ସେହି ସମୟରେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା କାରଣରୁ ଉକ୍ତ ଘର ଅତି ନିମ୍ନମାନର ନିର୍ମାଣ ହୋଇଥିବା ଗ୍ରାମବାସୀ କହିଛନ୍ତି। ପରେ ୨୦୧୮ମସିହାରୁ ଏହି କେନ୍ଦ୍ରରେ ସାମାନ୍ୟ ବର୍ଷା ହେଲେ ପାଣି ଗଳିବା ସହ ଅନେକ ସ୍ଥାନରେ କାନ୍ଥ ଫାଟି ଯାଇ ବିପଜ୍ଜନକ ଅବସ୍ଥାରେ ରହିଛି l ଉକ୍ତ ଗୃହରେ କୁନି କୁନି ଶିଶୁଙ୍କୁ ନେଇ ପାଠପଢ଼ା ଚାଲିଛି।
ଏହି କେନ୍ଦ୍ର ବିପଜ୍ଜନକ ଅବସ୍ଥାରେ ଥିବାରୁ ଏଥିରେ ପାଠ ନ ପଢ଼ାଇବା ପାଇଁ ପେଡ଼ିପଥର ସରପଞ୍ଚ ୨୦୨୨ ମାର୍ଚ୍ଚ ମାସ ୧୨ ଓ ୨୦୨୩ ଏପ୍ରିଲ ୪ ତାରିଖରେ ଆଠମଲ୍ଲିକ ସିଡିପିଓ ଓ ବିଡିଓଙ୍କୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଇଥିଲେ। କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଏବେ ଏମିତି ଅଘଟଣ ଘଟିଲା ବୋଲି ସରପଞ୍ଚ ଭରତ ଚନ୍ଦ୍ର ସାହୁ ଅଭିଯୋଗ କରିଛନ୍ତି। ତୁରନ୍ତ ଏକ ନୂତନ କେନ୍ଦ୍ର ନିର୍ମାଣ ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଝିଲ୍ଲୀମୁଣ୍ଡା ଗ୍ରାମବାସୀ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇଁ ବହୁ ବିଳମ୍ବରେ ଆଠମଲ୍ଲିକ ସିଡିପିଓ ଓ ବିଡିଓ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଏପଟେ ଏମିତି ଅସୁରକ୍ଷିତ କୋଠାରେ ପାଠପଢ଼ା ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି କୌଣସି ବଡ଼ ଅଘଟଣ ଘଟିଥିଲେ କିଏ ଦାୟୀ ରହିଥାନ୍ତା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଅନୁଗୁଳ ଜିଲ୍ଲାରେ ମୋଟ ୧୬୮୪ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଥିଲାବେଳେ ୫୪୬ଟି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। କେଉଁଠି ଗୋଷ୍ଠୀ କେନ୍ଦ୍ରରେ ତ କେଉଁଠି ଭଡ଼ାଘରେ ଏହି କେନ୍ଦ୍ରଗୁଡ଼ିକ ଚାଲିଛି।