କୋଇଡ଼ା/ଲହୁଣିପଡ଼ା : କଂକ୍ରିଟ ନୁହେଁ ବରଂ କସମେଟିକ୍ ପରି ଚାଲିଛି ସରକାରୀ କାର୍ଯ୍ୟ। ୫ଟି ଅଧୀନରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ନିମ୍ନମାନର କାର୍ଯ୍ୟ ଓ ଦୁର୍ନୀତିର ଗନ୍ଧ ସବୁଠି। ଭିତ୍ତିଭୂମି ସୁଦୃଢ ନ କରି କେବଳ ଚାଲିଛି କସମେଟିକ୍ କାମ। ନିକଟରେ ୫ଟି ଅଧୀନରେ ଚାଲିଥିବା ଲହୁଣିପଡ଼ା ବ୍ଲକ୍ ଅନ୍ତର୍ଗତ ଖୁଣ୍ଟଗାଁରେ ଅବସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ ଅତଡ଼ା ଖସିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଥାଉକି ଖୁଣ୍ଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନେକ ଦିନ ହେବ ବିଦ୍ୟାଳୟ ରୂପନ୍ତରଣ କାର୍ଯ୍ୟ ଚାଲୁଛି। ଇତି ମଧ୍ୟରେ ପୂର୍ବରୁ ଥିବା ସ୍କୁଲ କୋଠାର ମରାମତି କାର୍ଯ୍ୟ ଶେଷ ହୋଇଥିବାବେଳେ ନୂତନ କୋଠା ନିର୍ମାଣ ଚାଲିଛି। ପୁରୁଣା କୋଠାଟି ମରାମତି ଶେଷ ହୋଇଥିବାରୁ ଗୋଟାଏ କୋଠରିରେ ନବମ ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ଉକ୍ତ କୋଠାର ଛାତରୁ ପ୍ଲାଷ୍ଟର ତଳକୁ ଖସି ପଡ଼ିଛି। ସୌଭାଗ୍ୟବଶତଃ ପ୍ଲାଷ୍ଟର ଖସିବା ସମୟରେ ଛାତ୍ରଛାତ୍ରୀ ନ ଥିବାରୁ ଏକ ବଡ଼ ବିପଦରୁ ବର୍ତ୍ତି ଯାଇଥିଲେ। ଏଇଠୁ ସ୍ପଷ୍ଟ ପ୍ରମାଣ ମିଳେ ଯେ ଉକ୍ତ ସ୍କୁଲ ରୂପନ୍ତରଣ କାର୍ଯ୍ୟ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବଣାଇ ତତ୍ତ୍ୱାବଧାନରେ ଚାଲିଥିବାବେଳେ ଏତେ ନିମ୍ନମାନର କାର୍ଯ୍ୟ କେମିତି ହେଉଛି ବୋଲି ଅଭିଭାବକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ପ୍ରଧାନ ଶିକ୍ଷୟିତ୍ରୀ ମହିମା ହେମ୍ବ୍ରମଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ ଶନିବାର ଦିନ ସ୍ୱାଭାବିକ ଭାବେ ଚାଲିଥିଲା। ଛାତରୁ ପ୍ଲାଷ୍ଟର ଖସିଛି ବୋଧେ ରବିବାର ଦିନ ସ୍କୁଲ ବନ୍ଦ ଥିବା ଅବସ୍ଥାରେ । ସୋମବାର ଦିନ ବିଦ୍ୟାଳୟ ଖୋଲିବାରୁ ଆମେ ଦେଖିବାକୁ ପାଇଥିଲୁ। ଘଟଣା ସମ୍ପର୍କରେ ପିଏଆଇଟିଡିଏ ଅଧିକାରୀଙ୍କୁ ମଧ୍ୟ ଜଣାଇ ଥିବା ସେ ସୂଚନା ଦେଇଛନ୍ତି। ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରେ ଯେ ବିଦ୍ୟାଳୟ ରୂପନ୍ତରଣ କାର୍ଯ୍ୟ ନାମରେ ଠିକାଦାର ମାନେ ମନୋମୁଖୀ ଓ ନିମ୍ନମାନର କାର୍ଯ୍ୟ କରୁଛନ୍ତି। ସୌଭାଗ୍ୟବଶତଃ ଛାତ୍ରଛାତ୍ରୀ ଏଥିରୁ ବର୍ତ୍ତି ଯାଇଥିଲାବେଳେ ପାଠ ପଢ଼ିବା ସମୟରେ ଯଦି ଏହି ଘଟଣା ଘଟିଥାନ୍ତା ତେବେ ଏଥିପାଇଁ ଦାୟୀ କିଏ ହୋଇଥାନ୍ତା ବୋଲି ସ୍କୁଲ ପରିଚାଳନା ସଭାପତି ରେବତୀ ମୋହନ ମହାପାତ୍ର ତଥା ସଭ୍ୟ ସଭ୍ୟା ଅଭିଭାବକ ଅଭିଭାବିକା ଓ ଗ୍ରାମବାସୀ ପ୍ରଶ୍ନ କରିବା ସହିତ ଏହାର ଉପଯୁକ୍ତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।