ସମ୍ବଲପୁର : ଆଗକୁ ଆସୁଛି ଗଣେଶ ପୂଜା। ଆସନ୍ତା ୩୧ ତାରିଖରେ ଏହା ପଡ଼ୁଥିବା ବେଳେ ସମ୍ବଲପୁରର ରାସ୍ତା କଡ଼ରେ ଏବେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ର ଗଣେଶ ମୂର୍ତ୍ତି ବିକ୍ରି ହେବା ଆରମ୍ଭ ହୋଇଛି। ଟାଉନ୍ ଥାନା ସମ୍ମୁଖରେ ଲମ୍ବା ଧାଡ଼ିରେ ବ୍ୟବସାୟୀମାନେ ଏହି ମୂର୍ତ୍ତିକୁ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ସମ୍ବଲପୁରରେ ପ୍ରଥମଥର ପାଇଁ ଏହି ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍ର ମୂର୍ତ୍ତି ବିକ୍ରି ହେଉଥିବା ବେଳେ ଆଗକୁ ଗଣେଶ ପୂଜା ଥିବାରୁ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି। ମୂର୍ତ୍ତିଗୁଡ଼ିକ ଦେଖିବା ପାଇଁ ବହୁତ ସୁନ୍ଦର ହୋଇଥିବାରୁ ଲୋକେ ମଧ୍ୟ ଏହା ଦେଖିବାକୁ ଭିଡ଼ ଜମାଇଥିଲେ।
ଏହି ମୂର୍ତ୍ତିଗୁଡ଼ିକୁ ବ୍ୟବସାୟୀମାନେ ୧୦୦ରୁ ୩୫୦୦ ଟଙ୍କା ଯାଏ ବିକ୍ରି କରୁଛନ୍ତି। ରାଜସ୍ଥାନରୁ ଆସିଥିବା ବ୍ୟବସାୟୀମାନେ କୋଲକାତାରୁ ଏହି ମୂର୍ତ୍ତି କିଣି ପୂରା ପଶ୍ଚିମ ଓଡ଼ିଶାରେ ବିକ୍ରି କରୁଥିବା କହିଛନ୍ତି। ସମ୍ବଲପୁରରେ ଶୁକ୍ରବାର ଠାରୁ ଏହି ମୂର୍ତ୍ତି ବିକ୍ରି ଆରମ୍ଭ ହୋଇଛି। ମୂର୍ତ୍ତିଗୁଡ଼ିକ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ତିଆରି ହୋଇଥିବା ବେଳେ ପାଖାପାଖି ୨ ବର୍ଷ ଯାଏ ଏଥିରେ ରଙ୍ଗ ରହିବ ବୋଲି ବ୍ୟବସାୟୀମାନେ କହିଛନ୍ତି।