ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନ୍‌ କଡ଼ାକଡ଼ି ହେବ, ପ୍ଲାଷ୍ଟିକ୍‌କୁ ରାସ୍ତା ନିର୍ମାଣ ଉପଯୋଗୀ କରାଯିବ

ଭୁବନେଶ୍ବର : ରାଜ୍ୟର ୧୧୪ଟି ସହରାଞ୍ଚଳର ୨୦୨୪ ୱାର୍ଡରୁ ଦିନକୁ ୧୫୦ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟ ବାହାରୁଛି। ପରିବେଶ ପାଇଁ କ୍ଷତିକାରଣ ସାବ୍ୟସ୍ତ ହେଉଥିବା ଏହି ପ୍ଲାଷ୍ଟିକ୍ ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନ୍‌କୁ କଡ଼ାକଡ଼ି କରିବା ପାଇଁ ସରକାର ନିଷ୍ପତ୍ତି ‌େନଇଛନ୍ତି। ଏହା ସହ ରାସ୍ତା ନିର୍ମାଣ ଓ ସିମେଣ୍ଟ କାରଖାନାରେ ଏହାର ପୁନଃବିନିଯୋଗ କରିବାକୁ ସରକାର ଯୋଜନା କରୁଛନ୍ତି।

ପ୍ଲାଷ୍ଟିକ୍ ବର୍ଜ୍ୟର ଉପଯୁକ୍ତ ପରିଚାଳନା ଓ ପୁନଃବ୍ୟବହାର ନିମନ୍ତେ ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ପ୍ରସ୍ତୁତ ନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ସ୍ବଚ୍ଛ ପରିବେଶ ବିକାଶ ଦିଗରେ ରାଜ୍ୟରେ ସୃଷ୍ଟି ହେଉଥିବା ପ୍ଲାଷ୍ଟିକ୍ ବର୍ଜ୍ୟର ଉପଯୁକ୍ତ ପରିଚାଳନା ଉପରେ ଶ୍ରୀ ତ୍ରିପାଠୀ ଗୁରୁତ୍ବାରୋପ କରିଥିଲେ।

ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ୍ ବ୍ୟବହାର ବଢ଼ାଇବା ପାଇଁ ଏହାର ‌ବୈଷୟିକ, ଆର୍ଥିକ ଓ କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ସବିଶେଷ କାର୍ଯ୍ୟପନ୍ଥା ଓ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଥିଲା। ଏହାକୁ ରାସ୍ତା ନିର୍ମାଣ ପ୍ରକଳ୍ପର ଦର ତାଲିକା ସୂଚାଙ୍କରେ ଅନ୍ତର୍ଭୁକ୍ତ କରିବା ସହ ବାର୍ଷିକ କେତେ ପରିମାଣରେ ପ୍ଲାଷ୍ଟିକ୍ ବର୍ଜ୍ୟ ରାସ୍ତା ନିର୍ମାଣ‌େର ବ୍ୟବହାର ହୋଇପାରିବ, ତାହାର ଆକଳନ କରିବାକୁ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାସ୍ତା ନିର୍ମାଣରେ ବ୍ୟବହାର ନିମନ୍ତେ ପ୍ଲାଷ୍ଟିକ୍‌ର ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାକରଣ ଆବଶ୍ୟକ। ଏଥି ପାଇଁ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଓଡ଼ିଆ ଯୁବକ, ଯୁବତୀଙ୍କୁ ପ୍ରୋତ୍ସାହନ ଦିଆଯିବାକୁ ବୈଠକରେ ସ୍ଥିର ହୋଇଥିଲା। ଏପରି ଉଦ୍ୟୋଗ ପ୍ରଧାନମନ୍ତ୍ରୀ ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମରେ ପ୍ରତିଷ୍ଠା ହୋଇପାରିବ ବୋଲି ଶିଳ୍ପ ସଚିବ ଜଣାଇଥିଲେ। ପଞ୍ଚାୟତିରାଜ ବିଭାଗ ମାଧ୍ୟମରେ ଗ୍ରାମାଞ୍ଚଳରୁ ସଂଗୃହୀତ ପ୍ଲ‌ାଷ୍ଟିକ୍ ବର୍ଜ୍ୟ ନିର୍ଦ୍ଧାରିତ ସ୍ଥାନମାନଙ୍କରେ ନଗର ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯିବ। ତାହା ପରେ ସେଗୁଡ଼ିକର ବର୍ଗୀକରଣ କରାଯାଇ ରାସ୍ତା ନିର୍ମାଣ ଓ ସିମେଣ୍ଟ ପ୍ରସ୍ତୁତିରେ ପୁନଃବିନିଯୋଗ କରାଯିବ। ୫୦ ମାଇକ୍ରୋନ୍‌ରୁ କମ୍ ପ୍ଲାଷ୍ଟିକ୍ ବ୍ୟାଗ୍, ବୋତଲ, ପ୍ୟାକିଂ ଦ୍ରବ୍ୟ, ଥର୍ମୋକୁଲ୍‌ ପ୍ରସ୍ତୁତ ସାଜସଜ୍ଜା ସାମଗ୍ରୀ ଆଦିର ଉତ୍ପାଦନ ଓ ବ୍ୟବହାରକୁ ପୂର୍ଣ୍ଣ ଭାବେ ନିୟନ୍ତ୍ରିତ କରିବା ନିମନ୍ତେ ଏ ସମ୍ବନ୍ଧିତ ନିୟମଗୁଡ଼ିକୁ କ୍ଷେତ୍ର ସ୍ତରରେ କଡ଼ାକଡ଼ି ଭାବେ ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡକୁ ନିର୍ଦ୍ଦେଶ ‌େଦଇଥିଲେ। ବୈଠକରେ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥାନନ୍‌, ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ମୋନା ଶର୍ମା, ପଞ୍ଚାୟତିରାଜ ବିଭାଗର ସଚିବ ଦେଓ ରଞ୍ଜନ କୁମାରୁ ସିଂହ, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର