ଭୁବନେଶ୍ୱର: ପ୍ଲାଷ୍ଟିକ ଯୋଗୁଁ ପରିବେଶ ପ୍ରଦୂଷଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେତେକ ରାଜ୍ୟ ସରକାର ପ୍ଲାଷ୍ଟିକକୁ ବ୍ୟାନ କରି ଦେଇଛନ୍ତି। ଅକ୍ଟୋବର ମାସ ୨ ତାରିଖ ଗାନ୍ଧୀ ଜୟନ୍ତୀଠାରୁ ଓଡ଼ିଶାରେ ପ୍ଲାଷ୍ଟିକ, ପଲିଥିନ୍ ବ୍ୟାଗ୍ ଓ ଥର୍ମୋକୁଲ୍ ବ୍ୟବହାର ବନ୍ଦ ହୋଇଯାଇଛି। ଦୀର୍ଘ ୨୦ ବର୍ଷ ପରେ ପୁଣି ବଜାରକୁ କାଗଜ ଠୁଙ୍ଗାର ପ୍ରବେଶ ହେବ।
ପ୍ରଥମ ପର୍ଯ୍ୟାୟରେ ୫ଟି ମହାନଗର ନିଗମ-ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଏବଂ ପର୍ଯ୍ୟଟନ କ୍ଷେତ୍ର ପୁରୀରେ କଡାକଡି ଭାବେ ଏହି କଟକଣା ଲାଗୁ ହେବ । ପ୍ଲାଷ୍ଟିକ ବିକ୍ରି, ଉତ୍ପାଦନ, ବ୍ୟବହାର ଓ ଗଚ୍ଛିତ ରଖିବାକୁ ନିଷେଧ ହେବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ତେବେ ପିଇବା ପାଣି ପାଉଚ୍ଠାରୁ ଆରମ୍ଭ କରି ୫୦୦ ମିଲିମିଟରରୁ କମ୍ ପାଣି ବୋତଲ, ପଲିଥିନ୍ ବ୍ୟାଗ୍, ଡିସ୍ପୋଜେବଲ ପ୍ଲାଷ୍ଟିକ କପ୍, ପ୍ଲେଟ୍, ଗ୍ଲାସ, ବାଉଲ, ଚାମଚ, ଥର୍ମୋକୁଲ କପ୍, ପ୍ଲେଟ୍, ଗ୍ଲାସ, ବାଉଲ୍, ହୋଟେଲରେ ଖାଦ୍ୟ ପ୍ୟାକିଙ୍ଗ ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଡିସ୍, ମୃଦୁ ପାନୀୟରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଷ୍ଟ୍ର ବ୍ୟାନ୍ ହୋଇଯିବ।
ସେହିପରି ରକ୍ତ ଥଳି ଓ ହସପିଟାଲରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ, ହଟିକଲ୍ଚର ଓ ଫଟିର୍ଲାଇଜରରେ ବ୍ୟବହୃତ ପ୍ଲାଷ୍ଟିକ, ୫୦ ମାଇକ୍ରୋନରୁ ଅଧିକ ଓ ୨୦ପ୍ରତିଶତ ପୁନଃ ବ୍ୟବହାରକ୍ଷମ ପ୍ଲାଷ୍ଟିକ କଟକଣାମୁକ୍ତ ରହିଛି। ୫୦୦ମିଲିଲିଟର ଓ ତାଠୁ ଅଧିକ କ୍ଷମତା ବିଶିଷ୍ଟ ପାଣି ବୋତଲ, ଖାଲି ବୋତଲ ଫେରାଇଲେ ବ୍ୟବହାରକାରୀଙ୍କୁ ସେ ବାବଦରେ ଟଙ୍କା ମିଳିବ। ଇଲେକଟ୍ରୋନିକ୍ସ ସାମଗ୍ରୀରେ ବ୍ୟବହାର ହେଉଥିବା ଥର୍ମୋକୁଲ ମଧ୍ୟ ଫେରସ୍ତ ହେବ।
ଏଣିକି ଆପଣ ପଲିଥିନ ବ୍ୟାଗ ଧରି ମାର୍କେଟକୁ ଯାଇପାରିବେ ନାହିଁ ଏଭଳି କଲେ ଆପଣଙ୍କୁ ଜରିମାନା ଦେବାକୁ ହେବ । ଏହି ଆଇନ ଖିଲାପ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ୫ ବର୍ଷ ଜେଲ ସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି । ଏହା ସହ ଦିନକୁ ୫ ହଜାର ଟଙ୍କା ଅତିରିକ୍ତ ଫାଇନ ଆଦାୟ କରିବା ଲାଗି ବ୍ୟବସ୍ଥା କରାଯାଇଛି ।