ସମ୍ବାଦ ଡଟ୍‌ ଇନ୍‌ ପ୍ରଭାବ: ପ୍ଲାଷ୍ଟିକ ଅଣ୍ଡା ବିକ୍ରି ନେଇ ଖବର ପ୍ରକାଶ ପାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାରେ ଶୁକ୍ରବାର ପୂର୍ବାହ୍ଣରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ନେଇ ‘ସମ୍ବାଦ ଡଟ୍‌ ଇନ୍‌’ରେ ଖବର ପ୍ରକାଶ ପାଇଥିଲା। ଏହି ଖବର ନେଇ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହୋଇଥିଲା। ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ ଡ. ବିଜନ କିଶୋର ମହାନ୍ତି ପ୍ଲାଷ୍ଟିକ ଅଣ୍ଡା ବିକ୍ରି ନେଇ ଅବଗତ ହେବା ପରେ ମାଲକାନଗିରି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ଘଟଣାର ଯାଞ୍ଚ କରି ଯଥାଶୀଘ୍ର ଏହାରି ଉପରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ ସନ୍ଦେହପୂର୍ଣ୍ଣ ଅଣ୍ଡାର ନମୂନା ପରୀକ୍ଷା କରିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ ଓଡ଼ିଶାର ଉପାନ୍ତ ଜିଲ୍ଲା ମାଲକାନଗିରି ବଜାରରେ ପ୍ଲାଷ୍ଟିକ୍‌ ଅଣ୍ଡା ମିଳିବା ପରେ ସେଠାରେ ଜୋରଦାର ଚର୍ଚ୍ଚା ହୋଇଥିଲା। ସ୍ଥାନୀୟ ହାଇଟେକ୍‌ କଲୋନିର ଦିଗାମ୍ବର ବେହେରା ନାମକ ଜଣେ ବ୍ୟକ୍ତି ଆଜି ସକାଳେ ନିକଟରେ ଥିବା ଏକ ଦୋକାନରୁ ୪ଟି ଅଣ୍ଡା କିଣିଥିଲେ। ସେଥିଭିତରୁ ତିନିଟି ପ୍ଲାଷ୍ଟିକ୍‌ ଅଣ୍ଡା ଥିବାର ସୂଚନା ରହିଛି।

ଏହି ପ୍ଲାଷ୍ଟିକ୍‌ ଅଣ୍ଡାର କେଶର ହାତରେ ଧରିଲେ ଝୁଲି ରହୁଥିବା ଦେଖାଯାଉଛି। ଖାଲି ସେତିକି ନୁହେଁ ଏହି ଅଣ୍ଡାଗୁଡ଼ିକର ଆକାର ବି ଟିକେ ଅଲଗା। ପ୍ଲାଷ୍ଟିକ୍‌ ଅଣ୍ଡାଗୁଡ଼ିକ ଟିକେ ଗୋଲ୍‌ ଦିଶୁଛି।

ଏହି ଅଣ୍ଡା ସଂପର୍କରେ ଦୋକାନୀଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ହୋଲସେଲ ଦୋକାନରୁ ସେ କିଣିଛନ୍ତି। ଏହାକୁ ନେଇ ସାରା ଜିଲ୍ଲାରେ ଆତଙ୍କ ଖେଳିଯାଇଛି।

ସମ୍ବନ୍ଧିତ ଖବର