ପୁରୀ: ବଣଭୋଜି ସ୍ଥଳକୁ ଛୁଟୁଛି ଗାଡ଼ି। ଦେବୀ ପୀଠଠୁ ନେଇ ଜଙ୍ଗଲରେ ଜମୁଛି ଭୋଜିଭାତର ଆସର। ମାତ୍ର ମଣିଷର ଖୁସି ଭିତରେ କ୍ଷତାକ୍ତ ହେଉଛି ପରିବେଶ। ବଣଭୋଜି ସ୍ଥଳକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ଘୋଷଣା ହେଲା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏନେଇ ନୋଟିସ ଜାରି କଲା। ଅଥଚ ବାସ୍ତବ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଲା ନାହିଁ। ସବୁ କିଛି ଘୋଷଣାନାମାରେ ରହିଗଲା। ମା’ ରାମଚଣ୍ଡୀ ପୀଠ ସଂଲଗ୍ନ ବଣଭୋଜି ସ୍ଥଳ ହେଉ ଅବା ବାଲିହରଚଣ୍ଡୀ ପୀଠ। ଏବେ ବି ସେଠାରେ ପଡ଼ିଥିବା ପ୍ଲାଷ୍ଟିକ ବର୍ଜ୍ୟ, ଗୋମାତାଙ୍କ ଆହାର ପାଲଟୁଛି। ଏଣେତେଣେ ଉଡ଼ି ପରିବେଶକୁ ପ୍ରଦୂଷିତ କରୁଛି। ବର୍ଷାରେ ଭାସି ସମୁଦ୍ରରେ ମିଶି ସମୁଦ୍ର ଜୀବଙ୍କ ପାଇଁ ବିପଦ ସୃଷ୍ଟି କରୁଛି।
ଗୁରୁତ୍ବପୂର୍ଣ୍ଣ କଥା ହେଲା, ପରିବେଶ ପ୍ରତି ପର୍ଯ୍ୟଟକଙ୍କୁ ସେମାନଙ୍କ ଦାୟିତ୍ବବୋଧ ବାବଦରେ ସଚେତନ କରାଇବା ସହ ଉକ୍ତ ସ୍ଥାନକୁ ଏକକ ବ୍ୟବହୃତ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଦୁଇଟି ପର୍ଯ୍ୟାୟରେ ପୁରୀର ୧୦ଟି ବଣଭୋଜି ସ୍ଥଳରେ ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ନିଷେଧ କରାଯାଇଥିଲା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ପୁରୀର ରାମଚଣ୍ଡୀ, ଚନ୍ଦ୍ରଭାଗା ଇକୋ ରିଟ୍ରିଟ, ଟଭାଗୋଲରା ଓ କୁତାମଚଣ୍ଡୀ ବଣଭୋଜି ସ୍ଥଳ ସ୍ଥାନ ପାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ବେଲଦଳ ନିକଟସ୍ଥ ପାଳଙ୍ଗ ଭିଏସ୍ଏସ୍, ଲୋଟସ୍ ହୋଟେଲ ନିକଟସ୍ଥ ଅଞ୍ଚଳ, ଲାଇଟ ହାଉସ ନିକଟସ୍ଥ ଅଞ୍ଚଳ, ଜାହାନିଆ, ଗଙ୍ଗାଦେବୀ ଓ ରାଜହଂସରେ ଏହି ନିୟମ ଜାରି ହୋଇଥିଲା। ପରିବେଶକୁ କ୍ଷତି ପହଞ୍ଚାଉଥିବା ପଲିଥିନ କିମ୍ବା ଅନ୍ୟ କୌଣସି ପ୍ଲାଷ୍ଟିକ ପକାଇ ଦୂଷିତ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ୟୁଥ ଫର୍ ୱାଟର’ ସହଯୋଗରେ ଏହି ବ୍ୟବସ୍ଥା ଉପରେ ନଜର ରଖାଯିବ ବୋଲି ଘୋଷଣା ହୋଇଥିଲା। ସ୍ବେଚ୍ଛାସେବୀଙ୍କ ସମେତ ଇକୋ କ୍ଲବ୍, ସ୍ବୟଂସହାୟକ ଗୋଷ୍ଠୀ, ଡିଇଏସ୍ ଓ ଗ୍ରାମ ପଞ୍ଚାୟତ ମାଧ୍ୟମରେ ବଣଭୋଜି ସ୍ଥଳରେ ସଚେତନ କରାଯିବ ବୋଲି କୁହାଯାଇଥିଲା। ପଲିଥିନ ବ୍ୟବହାର ବାରଣକୁ କଡାକଡି ପାଳନ କରିବା ପାଇଁ ଯୋଜନା ହୋଇଥିଲା। ଲୋକଙ୍କ ବ୍ୟବହାରିକ ପରିବର୍ତ୍ତନ ଥିଲା ମୁଖ୍ୟ ଉଦ୍ଦେଶ୍ୟ। କିନ୍ତୁ ଅମାନିଆଙ୍କ ଯୋଗୁ ସ୍ଥିତିରେ ସୁଧାର ଆସୁନାହିଁ। ଫଳରେ ଏବେ ବି ବଣଭୋଜି ସ୍ଥଳରେ ପଲିଥିନ ଓ ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ଆଦି ପୁଣି ଜମା ହେବା ଆରମ୍ଭ ହେଲାଣି। ବଣଭୋଜି ଋତୁ ଆସିଲେ ପ୍ଲାଷ୍ଟିକ ଓ ଅନ୍ୟ ବର୍ଜ୍ୟରେ ପ୍ରଦୂଷଣର ମାତ୍ରା ବଢ଼ିଯାଏ। ବିଶେଷକରି ପୁରୀର ଅଧିକାଂଶ ବଣଭୋଜିସ୍ଥଳ ସମୁଦ୍ର ସଂଲଗ୍ନ ହୋଇଥିବାରୁ ଏଗୁଡ଼ିକ ସମୁଦ୍ରକୁ ଭାସିଯାଇ ପ୍ରଦୂଷଣ କରିଥାଏ। ସମୁଦ୍ରକୁ ପ୍ଲାଷ୍ଟିକ ବର୍ଜ୍ୟ ନିର୍ଗତ ହେଉଥିବାରୁ ଏହାକୁ ଜେଲିଫିସ୍ ମନେକରି ମାଛମାନେ ଖାଇଦିଅନ୍ତି। ଉକ୍ତ ମାଛକୁ ମଣିଷ ଖାଇବା ଦ୍ବାରା ରୋଗାକ୍ରାନ୍ତ ହୁଅନ୍ତି। ବଣଭୋଜି ସ୍ଥଳରେ ଭୋଜି ଆୟୋଜନ ହେତୁ ବହୁ ଗାଈଗୋରୁ ବୁଲନ୍ତି। ସେମାନେ ପଲିଥିନ ଗିଳି ଦେଉଥିବାରୁ ଯୋଗୁ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏନେଇ ପୁରୀର ବାସିନ୍ଦା ସତ୍ୟନାରାୟଣ ସାହୁ କହିଛନ୍ତି, ନିୟମ ଲାଗୁ ହେବା ସ୍ବାଗତଯୋଗ୍ୟ। ନିୟମ ଅନୁପାଳନର ଦୁଇଟି ବାଟ ହେଲା, ଜରିମାନା ନଚେତ୍ ସଠିକ୍ ଢଙ୍ଗରେ ବୁଝାଇବା ପାଇଁ ସଚେତନ ନାଗରିକମାନେ ସ୍ବତଃ ଆଗେଇ ଆସିବା। ସଚେତନ ଜନସାଧାରଣ ନିଜେ ଜଣେ ଜଣେ ବ୍ରାଣ୍ଡ ଆମ୍ବାସଡର୍ ସାଜି ପରିବେଶକୁ ହାନୀ ପହଞ୍ଚାଉଥିବା ବ୍ୟକ୍ତିବିଶେଷଙ୍କ ସହ ଏ ବିଷୟରେ ଆଲୋଚନା କଲେ ମଧ୍ୟ ଏହାର ସକରାତ୍ମକ ପ୍ରଭାବ ପଡ଼ିବ।