ପ୍ଲାଷ୍ଟିକ୍‌ ବର୍ଜ୍ୟରେ ଅଣନିଃଶ୍ବାସୀ ଚିଲିକା

ବ୍ରହ୍ମପୁର: ଏସିଆ ମହାଦେଶର ବୃହତ୍ତମ ଲୁଣା ହ୍ରଦ ଚିଲିକା ଏବେ ପ୍ଲାଷ୍ଟିକ୍‌ ବର୍ଜ୍ୟ ପାଇଁ ଅଣନିଃଶ୍ବାସୀ ହୋଇପଡ଼ିଛି। ଚିଲିକାର ଜଳଜୀବ ଓ ଜୈବ ବିବିଧତା ମଧ୍ୟ ପ୍ରଭାବିତ ହେଉଛି। ୨୦୦୨ ମସିହାରେ ଚିଲିକାରେ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ନିଷିଦ୍ଧ କରା ଯାଇଥିଲେ ହେଁ ଜନସାଧାରଣ ଓ ମତ୍ସଜୀବୀଙ୍କ ମଧ୍ୟରେ ଉପଯୁକ୍ତ ସଚେତନତା ଅଭାବରୁ ତାହା ଫଳପ୍ରଦ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ପ୍ଲାଷ୍ଟିକ୍‌ ବର୍ଜ୍ୟ ଲାଗି ଚିଲିକା ବିପଦ ଆଡ଼କୁ ଗତି କରୁଛି।

ବୃହତ୍ତମ ହ୍ରଦ ଚିଲିକା ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଏହି ତିନି ଜିଲ୍ଲାର ୧୦୯୧.୧୦ ବର୍ଗ କିମି ଇଲକାରେ ବ୍ୟାପ୍ତ ହୋଇ ରହିଛି। ଚିଲିକାରେ ୫୨ଟି ଛୋଟବଡ଼ ନଦୀ ମିଶିଛି। ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବ୍ୟବହାର ଉପରେ ସରକାର କଟକଣା ଲଗାଇଥିଲେ ହେଁ ଦିନ ଦିନକୁ ଏହାର ବ୍ୟବହାର ବୃଦ୍ଧି ପାଉଛି। ଲୋକ ବ୍ୟବହୃତ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ଏଣେତେଣେ ଫୋପାଡ଼ୁଛନ୍ତି। ସେହି ପ୍ଲାଷ୍ଟିକ୍‌ ବର୍ଷା ଜଳରେ ଯାଇ ନଦୀ ନାଳ ଦେଇ ଚିଲିକାରେ ମିଶୁଛି। ଚିଲିକା ଆସୁଥିବା ପର୍ଯ୍ୟଟକମାନେ ପଲିଥିନ୍‌ରେ ଖାଦ୍ୟ ପଦାର୍ଥ ନେଇ ଆସୁଛନ୍ତି। ତାହାକୁ ଖାଇବା ପରେ ମଧ୍ୟ ଅଧିକାଂଶ ଚିଲିକା ଜଳ ରାଶିରେ ଫିଙ୍ଗି ଦେଉଛନ୍ତି। ଚିଲିକା ଉପକୂଳରେ ୩ଟି ଜିଲ୍ଳାରେ ୧୫୪୧ଟି ଗ୍ରାମ ରହିଛି। ଚିଲିକାଠାରୁ ୨କିମି ଦୂରତା ମଧ୍ୟରେ ୪୨୫ଟି ଗାଁ ରହିଛି। ଚିଲିକା ଉପକୂଳ ଗ୍ରାମଗୁଡ଼ିକରେ ବସବାସ କରୁଥିବା ୨ଲକ୍ଷରୁ ଅଧୃକ ଲୋକ ଦୈନିକ ଜୀବନଜୀବିକା ଳାଗି ଚିଲିକା ଉପରେ ନିର୍ଭର କରି ଚଳୁଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଚିଲିକା ଉପକୂଳରେ ଥିବା ଗ୍ରାମଗୁଡ଼ିକ ଏଯାଏ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ମୁକ୍ତ ହୋଇପାରି ନାହିଁ। ଏହାର ଭୟବହତା ଉପରେ ଏବେ ବି ପାର୍ଶ୍ବବର୍ତ୍ତୀ ଲୋକେ ସଚେତନ ନୁହନ୍ତି। ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବ୍ୟବହାର କରି ଫୋପାଡ଼ିବା ପରେ ତାହା ସିଧାସଳଖ ଯାଇ ଚିଲିକାରେ ମିଶୁଛି। ଚିଲିକା ପାଣିରେ ଗଦା ଗଦା ପ୍ଲାଷ୍ଟିକ ବର୍ଜ୍ୟ ଭାସମାନ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳୁଛି। ଚିଲିକାରେ ମାଛ ଓ ଜଳଜୀବ ତାହା ଖାଉଛନ୍ତି। ମଣିଷ ଚିଲିକା ମାଛକୁ ଖାଇ ସ୍ବାସ୍ଥ୍ୟପ୍ରତି ବିପଦ ମଧ୍ୟ ଡାକି ଆଣୁଛି। ଚିଲିକା ଜଳ ଓ ମାଟିରେ ପ୍ଲାଷ୍ଟିକ୍‌ କିଛି ମାତ୍ରାରେ ମଧ୍ୟ ମିଶି ଯାଉଛି। ଚିଲିକାରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ବୃଦ୍ଧି ଯୋଗୁଁ ଜୈବ ବିବିଧତା ଧୀରେ ଧୀରେ ବିପନ୍ନ ହେବାକୁ ବସିଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କାଳିଯାଇ ମନ୍ଦିରରେ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଚିଲିକା ଉପକୂଳବର୍ତ୍ତୀ ଗାଁଗୁଡ଼ିକରେ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବ୍ୟବହାର ନ କରିବା ଲାଗି ଲୋକଙ୍କୁ ସଚେତନ କରାଯାଉଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସଚେତନତା ମୂଳକ କାର୍ଯ୍ୟକ୍ରମ ବ୍ୟାପକ କରିବା ଜରୁରୀ ହୋଇପଡ଼ିଛି।

ପ୍ଲାଷ୍ଟିକ ବର୍ଜ୍ୟ ସାଙ୍ଗକୁ ଘେରି, ଶହ ଶହ ଡିଜେଲ ଚାଳିତ ଡଙ୍ଗାର ବ୍ୟବହାର, ପ୍ରଦୂଷଣ, ଆଦି କାରଣରୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଚିଲିକା ନଷ୍ଟ ହେବାରେ ଲାଗିଛି। ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ତିଆ ୧୯୧୬ ମସିହାରେ ଚିଲିକାର ଜୈବ ବିବଧତା ଉପରେ ପୂର୍ଣ୍ଣାଙ୍ଗ ସର୍ଭେ କରିଥିଲା। ସେତେବେଳେ ୫ଶହ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ ଚିଲିକାରେ ରହିଥିବା ଜଣା ପଡ଼ିଥିଲା। ୧୯୯୫ ମସିହାରେ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ତିଆ ପକ୍ଷରୁ ପୁନଃସର୍ଭେ କରା ଯାଇଥିଲା। ଏହି ସର୍ଭେରେ ୨୭ଟି ଶ୍ରେଣୀର ୧୨୫୮ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ ଥିବା ଜଣା ପଡ଼ିଥିଲା। ୧୯୧୬ରେ ହୋଇଥିବା ସର୍ଭେ ବେଳେ ଦେଖା ଯାଇଥିବା କିଛି ପ୍ରାଣୀ ଓ ଉଦ୍ଭିଦ ଦେଖାଯାଇ ନ ଥିଲା। ଗେଣ୍ତା ଓ ଶାମୁକା ଦେଖିବାକୁ ମିଳି ନ ଥିଲା। ମଧୁର ମାଛ ଚିଲିକାରେ ଦେଖିବାକୁ ମିଳିଥିଲା। ଚିଲିକା ପାଣିର ଲବଣାକ୍ତ ଅ˚ଶ କମୁଥିବା ଓ ପରିବେଶଗତ ସଙ୍କଟ ସୃଷ୍ଟି ହୋଇଥିବା ଉକ୍ତ ସ˚ସ୍ଥା ପକ୍ଷରୁ ସ୍ପଷ୍ଟ ରିପୋର୍ଟ ଦିଆ ଯାଇଥିଲା। ଏହି ରିପୋର୍ଟ ଆଧାରରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ୨୦୦୩-୦୪ରେ ଚିଲିକା ମୁହାଣ ଖୋଳିବା ପରେ ଚିଲିକା ପାଣିର ଲବଣାକ୍ତ ସ୍ଥିତିରେ କିଛିଟା ସୁଧାର ଆସିଥିଲା। ପୂର୍ଣ୍ଣାଙ୍ଗ ସର୍ଭେର ଶହେ ବର୍ଷ ପରେ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ତିଆ ପକ୍ଷରୁ ଚିଲିକାର ଜୈବ ବିବଧତା ଉପରେ ୨୦୧୬ରେ ସର୍ଭେ ହୋଇଛି। ୨୫ ଜଣ ବୈଜ୍ଞାନିକ ସାମିଲ୍‌ ହୋଇ ଏହି ସର୍ଭେ କରିଛନ୍ତି। ହେଲେ ଏହି ସର୍ଭେ ରିପୋର୍ଟ ଚଳିତ ବର୍ଷ ପ୍ରକାଶ ପାଇବାର ରହିଛି। ରିପୋର୍ଟ ପ୍ରକାଶ ପାଇବା ପରେ ଚିଲିକାର ଜୈବ ବିବିଧତା ସ˚କ୍ରାନ୍ତୀୟ ବହୁ ରୋଚକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ଚିଲିକା ହ୍ରଦର ପରିଚାଳନା ସ˚କ୍ରାନ୍ତରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଜଙ୍ଗଲ ପରିବେଶ ଓ ଋତୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏକ ଦୀର୍ଘମିଆଦି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର