ଜଳେଶ୍ୱର : ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଅଧୀନ ମହମ୍ମଦନଗର ପାଟଣା ପଞ୍ଚାୟତ ଚାଳନ୍ତି ନିକଟରେ ପ୍ଲାଷ୍ଟିକ୍‌ ପଲିମର୍‌ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସଂପର୍କରେ ଜଳେଶ୍ବର ବିଧାୟକ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଆଜି ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

Advertisment

ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ମିହିର କୁମାର ବେହେରା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବସ୍ଥ ଚାଳନ୍ତି ମୌଜା ତଥା ସୁବର୍ଣ୍ଣରେଖା ନଦୀ ନିକଟ ୨୨ ଏକର ଜମି ଚିହ୍ନଟ ସହ ସୀମା ନିର୍ଦ୍ଧାରଣ କରିଛନ୍ତି। ସେହିପରି ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଚିଠି ଲେଖି ଏ ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିଛନ୍ତି। ଅନ୍ୟପଟେ ଆଗ୍ରହୀ ଥିବା ୩ ସଂସ୍ଥା ନିର୍ଦ୍ଧାରିତ ସ୍ଥାନରେ ପ୍ଲାଷ୍ଟିକ୍‌ ପଲିମର୍‌ ଶିଳ୍ପ ପ୍ରତିଷ୍ଠା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ଶିଳ୍ପ ବାବଦରେ ୧୦୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ। ଚାଳନ୍ତିଠାରେ ଶିଳ୍ପ ପ୍ରତିଷ୍ଠା ହେଲେ, ଜଳେଶ୍ୱର ବ୍ଲକ୍‌ ସହ ଜିଲ୍ଲାର ଅନେକ ବେକାର ଯୁବକ/ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଉଲ୍ଲେଖ ଥାଉକି ଜଳେଶ୍ବରରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜଳ ଓ ଗମନାଗମନ ସୁବିଧା ଥିବା ଜମି ଚିହ୍ନଟ କରିବାକୁ ଶ୍ରୀ ପାତ୍ର ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ଶିନ୍ଦେଙ୍କ ସହ କିଛି ମାସ ତଳେ ଆଲୋଚନା କରିଥିଲେ। ଯାହାକୁ ଗୁରୁତ୍ବ ଦେଇ ଜମି ଚିହ୍ନଟ ହୋଇଛି।