ଭିମ୍‌ସାର୍‌ରେ ‌ଖୋଲିବ ପ୍ଲାଷ୍ଟିକ୍ ସର୍ଜରି ଓପିଡି

ବୁର୍ଲା : ପଶ୍ଚିମ ଓଡ଼ିଶା ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର ବୋଲାଉ ଥିବା ବୁର୍ଲା ଭିମସାର ସଫଳତା ଆଉ ଏକ ସିଢି ଚଢ଼ିବାକୁ ଯାଉଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କିପରି ଗରିବ ରୋଗୀ ମାନେ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇ ପାରିବେ ସେଥି ନିମନ୍ତେ ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେରଙ୍କ ତତ୍ୱବାଧାନରେ ଖୁବ ଶୀଘ୍ର ପ୍ଲାଷ୍ଟିକ ସର୍ଜରି ଓପିଡି ଖୋଲିବାକୁ ଯାଉଛି । ଏଥି ପାଇଁ ଚୟନ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି। କଟକ ଏସସିବିରେ କାର୍ଯ୍ୟରତ ସହାୟକ ପ୍ରଫେସର ମହେଶ ମଣ୍ଡଳ ବୁର୍ଲା ଭିମସାରରେ ନୂଆ ପ୍ଲାଷ୍ଟିକ ସର୍ଜନ ଭାବରେ ଖୁବଶୀଘ୍ର ଯୋଗଦେବେ।

ସପ୍ତାହରେ ଦୁଇ ଦିନ ରୋଗୀ ମାନଙ୍କୁ ସେ ସେବା ଦେବା ପାଇଁ ଯୋଜନା ରହିଛି। ଏହି ଓପିଡି ପାଇଁ ଏମ୍ଆର୍‌ଆଇ କକ୍ଷ ନିକଟରେ ଏକ କକ୍ଷକୁ ପ୍ଲାଷ୍ଟିକ ସର୍ଜରି ଓପିଡି କରାଯିବ ବୋଲି ପ୍ରଫେସର ମେହେର ସୂଚନା ଦେଇଛନ୍ତି। ମୁଖ୍ୟତଃ ପଶ୍ଚିମ ଓଡ଼ିଶାରେ ପ୍ରାୟତଃ କୌଣସି ଘରୋଇ ନର୍ସିଂହୋମରେ ମଧ୍ୟ ପ୍ଲାଷ୍ଟିକ ସର୍ଜନ ନ ଥିବାରୁ ଗରିବ ରୋଗୀମାନେ ବାଧ୍ୟ ହୋଇ କଟକ ଭୁବନେଶ୍ୱରକୁ ଯାଇ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ଏହି ମାଗଣା ସେଵା ବୁର୍ଲା ଭିମସାରରେ ଆରମ୍ଭ ହେଲେ ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲା ସହିତ ପଡୋଶୀ ଛତିଶଗଡ଼ ଓ ଝାରଖଣ୍ଡର ରୋଗୀମାନେ ମଧ୍ୟ ଉପକୃତ ହୋଇ ପାରିବେ।

ପ୍ରକାଶ ଥାଉକି ବୁର୍ଲା ଡାକ୍ତରଖାନାର ବିଭିନ୍ନ ବିଭାଗରେ ଡାକ୍ତର ଅଭାବ ଥିବାରୁ କିଛିଦିନ ପୂର୍ବରୁ ଭିମସାର କର୍ତ୍ତୃପକ୍ଷ  ନୂଆ କରି ଦଶ ଜଣ ଡାକ୍ତର ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେଥି ମଧ୍ୟରୁ  ତିନିଟି ବିଭାଗରେ ନୂତନ କରି ତିନିଜଣ ସହାୟକ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ନ୍ୟୁରଲୋଜି ବିଭାଗରେ ଡା. ରାଜେଶ ମେହେର, ୟୁରୋଲୋଜି ବିଭାଗରେ ଡା. ବିଶ୍ୱଜିତ ମହାପାତ୍ର ଏବଂ ପ୍ଲାଷ୍ଟିକ ସର୍ଜରି ବିଭାଗର ଡା. ମହେଶ ମଣ୍ଡଳ। ଅନ୍ୟ ବିଭାଗମାନଙ୍କ ପାଇଁ ମଧ୍ୟ ଡାକ୍ତର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର