ଶୀତଳଷଷ୍ଠୀ ଯାତ୍ରା ପାଇଁ ଉଠିଲା ଥାଳ, ସୀମିତ ସଦସ୍ୟଙ୍କ ଉପସ୍ଥିତିରେ ସଂପାଦିତ ‌ହେଲା

ସମ୍ବଲପୁର : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶନିବାର ଦିନ ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠିଛି। ଗତବର୍ଷ ଭଳି ଏଥର ମଧ୍ୟ ଶୀତଳଷଷ୍ଠୀର ଏହି ଆଦ୍ୟ ପର୍ବ ନିରାଡ଼ମ୍ବର ଭାବେ ହାତଗଣତି ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଶନିବାର ଅପରାହ୍‌ଣ ସାଢ଼େ ୪ ଟାବେଳେ ନନ୍ଦପଡ଼ାର ବଂବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ବିବାହ ପାଇଁ ଥାଳ ଉଠା ହୋଇଥିଲା। ବଂବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ବିଧିମତେ ପୂଜାର୍ଚ୍ଚନା ପରେ ବରପିତା ରାମପ୍ରସାଦ ମିଶ୍ରଙ୍କ ପକ୍ଷରୁ ତାଙ୍କ ଭାଇ ବିଭୂତି ଭୂଷଣ ମିଶ୍ର ଥାଳ ଉଠାଇ ବୈଦ୍ୟନାଥ ଛକ ନିବାସୀ କନ୍ୟାପିତା ଗୋପାଳ ଚନ୍ଦ୍ର ସାହୁ ଓ କନ୍ୟାମାତା ପ୍ରମିଳା ସାହୁଙ୍କୁ ହସ୍ତାନ୍ତର କରିଥିଲେ। ମୁଖ୍ୟପୂଜକ ଶଶାଙ୍କଶେଖର ମିଶ୍ର ଓ ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର ପୂଜାକାର୍ଯ୍ୟ ସଂପାଦନ କରିଥିଲେ।

ନିଗମାନନ୍ଦ ମିଶ୍ର, ଅମୂଲ୍ୟ ମିଶ୍ର, ପ୍ରଫୁଲ୍ଲ ହୋତା, ସନ୍ତୋଷ ମିଶ୍ର, ଚକ୍ରଧର ମିଶ୍ର, ସମୀର ରଞ୍ଜନ ବାବୁ, ଫଣିଭୂଷଣ ମିଶ୍ର, ପ୍ରଶାନ୍ତ ବରେଇ, ଅରୁଣ ମିଶ୍ର, ବିରାଜ ମିଶ୍ର ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଅନ୍ୟ ବର୍ଷ ଭଳି ପାଣ୍ଠି ସଂଗ୍ରହ ନିମନ୍ତେ ଥାଳ ବୁଲାନଯାଇ ପଡ଼ାର କଲ୍ୟାଣମଣ୍ଡପରେ ରଖିଦିଆଯାଇଥିଲା। କୋଭିଡ୍ କଟକଣା ପାଳନ କରି ସ୍ଥାନୀୟ ଲୋକେ ଆସି ଥାଳରେ ଅର୍ଥ ଦେଇଥିଲେ। ଅପରାହ୍‌ଣ ୫ଟାରେ ଝାଡ଼ୁଆପଡ଼ା ଲୋକନାଥ ବାବାଙ୍କ ମନ୍ଦିରରୁ ଥାଳ ଉଠିଥିଲା। ବାବା ଲୋକନାଥଙ୍କ ପୂଜାର୍ଚ୍ଚନା ପରେ ବରପିତା ଅମରନାଥ ସୂପକାର କନ୍ୟା ପିତାମାତା ବାସୁଦେବ ଚିନ୍ଦ୍ରା ଓ ଯାଜ୍ଞସେନୀ ଚିନ୍ଦ୍ରାଙ୍କୁ ଦେଇଥିଲେ। କମିଟିର ଅଳ୍ପ କେତେଜଣ ସଦସ୍ୟ ପଡ଼ାର ବିଭିନ୍ନ ଘରକୁ ବୁଲି ପାଣ୍ଠି ସଂଗ୍ରହ କରିଥିଲେ। ସରୋଜ ଦଳପତ, ପାର୍ଥସାରଥୀ ମିଶ୍ର, ସୁଶାନ୍ତ ପୁରୋହିତ, ପ୍ରାଣରଂଜନ ପଣ୍ଡା, ସରୋଜ ସାହୁ, ଶୁଭେନ୍ଦୁ ମିଶ୍ର, ସୀତାକାନ୍ତ ପାଣିଗ୍ରାହୀ, ଧୀନା ପ୍ରଧାନ, ଅଭିଷ‌େକ ମିଶ୍ର ପ୍ରମୁଖ ଏହି କାର୍ଯକ୍ରମରେ ସାମିଲ ହୋଇଥିଲେ। ମହେନ୍ଦ୍ର ପୂଜାରୀ, ରାମନାଥ ମହାପାତ୍ର ପୂଜା କାର୍ଯ୍ୟ ସଂପାଦନ କରିଥିଲେ।

ମୁଦିପଡ଼ା ଜାଗେଶ୍ବର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ମଧ୍ୟ କିଛି ସଦସ୍ୟଙ୍କ ଉପସ୍ଥିତିରେ ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଥିଲା। ଜାଗେଶ୍ବର ବାବାଙ୍କ ନିକଟରେ ପୂଜାର୍ଚ୍ଚନା ପରେ ବରପିତା ମଧୁସୂଦନ ନେଗି କନ୍ୟାପିତାମାତା ଗୁରୁପଡ଼ାର ସୁମନ୍ତ ସ୍ବାଇଁ ଓ ତାଙ୍କ ସହଧର୍ମିଣୀ ବନ୍ଦିତା ସ୍ବାଇଁଙ୍କ ହାତରେ ଶାଳପତ୍ର ଦେଇଥିଲେ। ମନ୍ଦିର ପୂଜକ ଗୋବିନ୍ଦ ପଣ୍ଡା ତଥା ପୁରୋହିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପୂଜାକାର୍ଯ୍ୟ ସମ୍ପାଦନ ହୋଇଥିଲା। କମିଟି ସଭାପତି ସୁନୀଲ ଦାଶ, ସମ୍ପାଦକ ଗତିକୃଷ୍ଣ ଷଡଙ୍ଗୀ, ଈଶ୍ବର ପ୍ରସାଦ ମିଶ୍ର, ନୃସିଂହ ଚରଣ ଦାସ, ଜଗଦୀଶ ପଣ୍ଡା, ବନମାଳୀ ପଟେଲ, ଖଡ଼ିରତ୍ନ ବେହେରା, ଅଶୋକ ପଟେଲ, ଅଭିରାମ ପଟେଲ, ବ୍ୟୋମକେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଦିନ ୧୧ଟାରେ ବଡ଼ବଜାର ଶୀତଳେଶ୍ବର ବାବାଙ୍କ ମନ୍ଦିରରୁ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠିଥିଲା। ବରପିତା ସୁରେନ୍ଦ୍ର ମହାନ୍ତି ପରମ୍ପରା ମୁତାବକ କନ୍ୟା ପିତାମାତା ଅଶୋକ ନାୟକ ଓ ସୂଚିସ୍ମିତା ନାୟକଙ୍କୁ ହସ୍ତାନ୍ତର ପରେ ପଡ଼ାରେ ପାଣ୍ଠି ସଂଗ୍ରହ ହୋଇଥିଲା। ପଣ୍ଡିତ ଯୋଗେଶ୍ବର ନନ୍ଦ ଓ ସଂଜୟ ବଡ଼ମାଳୀ ପୂଜା କାର୍ଯ୍ୟ ସଂପାଦନା କରିଥିବା ବେଳେ ସଂପାଦକ ସରୋଜ ସାହୁ,କୋଷାଧ୍ୟକ୍ଷ ପଞ୍ଚାନନ ତ୍ରିପାଠୀ, ସଂଜୀବ ନନ୍ଦ, ସଂଜୟ ଷଡ଼ଂଗୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଠାକୁରପଡ଼ା ଗୁପ୍ତେଶ୍ବର ବାବା ମନ୍ଦିରରେ ଲୋକନାଥ ମହାପାତ୍ର, ଆଶୁତୋଷ ପୁରୋହିତଙ୍କ ଦ୍ବାରା ପୂଜା କାର୍ଯ୍ୟ ଶେଷ ହେବା ପରେ ଥାଳ ଉଠିଥିଲା। ଗିରୀଶ ଚନ୍ଦ୍ର ବାରିକ ବରପିତା ଏବଂ ସୁରେନ୍ଦ୍ର ପୁରୋହିତ ଓ ମିନତି ପୁରୋହିତ ବର ପିତାମାତା ଦାୟିତ୍ବ ତୁଳାଇ ଥିଲେ। କମିଟିର ସଭାପତି ଶିବ ପ୍ରଧାନ, ସଂପାଦକ ଆନନ୍ଦ ଜାଲଙ୍କ ସହିତ ଭବାନୀଶଙ୍କର ବାବୁ, ସଂଜୟ ଷଣ୍ଢ, ନାରାୟ ସାହୁ, ସନ୍ଦୀପ ନାଏକ, କାଳିଆ ଦୋରା, ସୁରଜ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର