ଏବେ ବାଲେଶ୍ୱରରେ ମିଳିଲାଣି ପ୍ଲେଟେଲେଟ୍ସ ସୁବିଧା

ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ୨୦ ଶଯ୍ୟାବିଶିଷ୍ଟ ସ୍ବତନ୍ତ୍ର ୱାର୍ଡ

ସ୍ବତନ୍ତ୍ର ଟିମ୍‌ ଜରିଆରେ ଚାଲିଛି ସର୍ଭେକ୍ଷଣ, ସଚେତନ, ନମୁନା ସଂଗ୍ରହ
ପରୀକ୍ଷା ହେଲାଣି ୯୨୫ ନମୁନା, ଆକ୍ରାନ୍ତଙ୍କ ସଂଖ୍ୟା ଶୂନ

ବାଲେଶ୍ବର : ରାଜ୍ୟରେ କରୋନା ସାଙ୍ଗକୁ ଏବେ ଡେଙ୍ଗୁ ସଂକ୍ରମଣ କାୟା ମେଲାଇଛି। ଭୁବନେଶ୍ବର ଭଳି ସ୍ଥାନରେ ଦିନକୁ ୩୦ରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେବା ସହ ମୁଣ୍ଡ ଗଡ଼ିଲାଣି। ଏପରି ସମୟରେ ଡେଙ୍ଗୁ ପ୍ର‌ଭାବିତ ଜିଲ୍ଲା ଭାବେ ପ୍ରତିବର୍ଷ ନାଁ ଚଢ଼ୁଥିବା ବା‌ଲେଶ୍ବର ଜିଲ୍ଲା କିନ୍ତୁ ଗତ ଦୁଇବର୍ଷ ହେଲା ବେଶ୍‌ ସତର୍କତା ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି। କରୋନା କାଳରେ ୨୦୨୦ ଏବଂ ଚଳିତବର୍ଷ ଏ ପର୍ଯ୍ୟନ୍ତ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଜିଲ୍ଲାରେ ମାତ୍ର ୯ ଜଣ ରହିଥିବା ଜଣାଯାଇଛି। ତେବେ ଡେଙ୍ଗୁ ମୁକାବିଲା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲାରେ ଗତ ୫ ବର୍ଷର ଡେଙ୍ଗୁ ସଂକ୍ରମଣ ସ୍ଥିତିକୁ ଅନୁଶୀଳନ କଲେ ୨୦୧୬ ମସିହାରେ ୨୬୬୩ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୪୪୬ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୨୦୧୭ ମସିହାରେ ଏହା ୪୬୫୧ଟି ହୋଇଥିବା ବେଳେ ସେଥିରୁ ୧୨୯୬ ପଜିଟିଭ ବାହାରିଥିଲା। ସେହିପରି ୨୦୧୮ ମସିହା‌େର ୩୫୫୬ଟି ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୨୦୩ ପଜିଟିଭ୍‌, ୨୦୧୯ ମସିହାରେ ୫୮୬୩ଟି ନମୁନାରୁ ୬୮୧ ପଜିଟିଭ୍‌ ଏବଂ ୨୦୨୦ ମସିହାରେ ୧୦୪୩ଟି ନମୁନାରୁ ୯ଟି କେସ୍‌ରେ ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ଚଳିତବର୍ଷ ଆଜି ସୁଦ୍ଧା ଜିଲ୍ଲାରେ ୯୦୦ଟିରୁ ଅଧିକ ନମୁନା ପରୀକ୍ଷା କରାଯାଇଥିବା ବେଳେ ତନ୍ମଧ୍ୟରୁ ଗୋଟିଏ ବି ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇନଥିବା ଜଣାପଡ଼ିଛି। ଗତକାଲି ଯଦିଓ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ସେ ଭୁବନେଶ୍ବର ଫେରନ୍ତା ବୋଲି ଜଣାଯାଇଛି।

ଏନେଇ ବାଲେଶ୍ବର ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକ‌ାରୀ(ବାହକବାହିତ ରୋଗ) ଡାକ୍ତର ଶଶାଙ୍କ ଶେଖର ଚୌଧୁରୀଙ୍କ କହିଛନ୍ତି, ଡେଙ୍ଗୁ ମୁକାବିଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଏବଂ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଉକ୍ତ ଟିମ୍‌ରେ ଆଶା, ଅଙ୍ଗନବାଡ଼ି କର୍ମୀ ଏବଂ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟକର୍ମୀଙ୍କୁ ରଖାଯାଇଛି। ଏହି ଟିମ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଘରଘର ବୁଲି କୋଭିଡ ସହିତ ଡେଙ୍ଗୁ, ମ୍ୟାଲେରିଆ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ସର୍ବେକ୍ଷଣ, ସଚେତନତା ସହ ନମୁନା ସଂଗ୍ରହ କରୁଛି। ଉକ୍ତ ନମୁନାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଲାବ୍ରୋରେଟୋରିକୁ ପଠାଯାଉଛି। ଏଠାରେ ସେଗୁଡ଼ିକ ପରୀକ୍ଷା ହୋଇ ରିପୋର୍ଟ ପ୍ରକାଶ ପାଉଛି। ଗତ ମେ ୨୩ ତାରିଖରୁ ଏହି କାର୍ଯ୍ୟକ୍ରମ ଚାଲିଥିବା ସେ କହିଥିଲେ। ଏହାଛଡ଼ା ବାହାର ରାଜ୍ୟରୁ ଜ୍ବର କିମ୍ବା ଥଣ୍ଡା ନେଇ ଆସୁଥିବା ଲୋକେ କାଳେ କୋଭିଡ କିମ୍ବା ଡେଙ୍ଗୁରେ ସଂକ୍ରମିତ ଥାଇପାରନ୍ତି, ସେଥିପାଇଁ ତାଙ୍କୁ ଆରମ୍ଭରୁ ୧୦ ଦିନ ପର୍ଯ୍ୟନ୍ତ ମଶାରୀ ଭିତରେ ଆବଦ୍ଧ ହୋଇ ରହିବାକୁ ସଚେତନ କରାଯାଉଛି। ତାପରେ ତାଙ୍କର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଛି। ଏହାର ରିପୋର୍ଟ ବାହାରିବା ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତି ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଉଥିବା ଡାକ୍ତର ଚୌଧୁରୀ ଜଣାଇଛନ୍ତି।

ସେହିପରି ଜିଲ୍ଲାବାସୀଙ୍କ ପାଇଁ ଆଉଏକ ଖୁସି ଖବର ହେଉଛି, ଏବେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରକ୍ତ ପୃଥକୀକରଣ କେନ୍ଦ୍ର(ବ୍ଲଡ୍‌ କମ୍ପୋନେଣ୍ଟ ସେପାରେସନ ୟୁନିଟ୍‌) ଖୋଲିଛି। ବିଶେଷ କରି ଗୁରୁତର ଡେଙ୍ଗୁ, କକର୍ଟ କିମ୍ବା ଅନ୍ୟାନ୍ୟ ଗୁରୁତର ରୋଗରେ ଯେତେବେଳେ ପ୍ଲେ‌େଟଲେଟ୍ସ(ରକ୍ତ ଚକ୍ରକଣିକା)ର ଅଭାବ ଦେଖାଦେବ ସେତେବେଳେ ଏହି କେନ୍ଦ୍ରରେ ତାହା ସଂଗ୍ରହ କରିହେବ। ଏଥିପାଇଁ ଆଗରୁ କଟକ ବଡ଼ ଡାକ୍ତରଖାନାକୁ ଯିବାକୁ ପଡ଼ୁଥିଲା। ଏହାବାଦ ଡେଙ୍ଗୁ ସଂକ୍ରମିତଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଭାବେ ୨୦ ଶଯ୍ୟା ବିଶିଷ୍ଟ ଏକ ୱାର୍ଡ ଜିଲ୍ଲା ବଡ଼ ଡାକ୍ତରଖାନାରେ ଖୋଲାଯାଇଛି। ଆବଶ୍ୟକ ସ୍ଥଳେ ତାହା ବ୍ୟବହାର କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର