ଏସ୍‌ସିବିର ‘୭୫ରେ ୭୫’ କାର୍ଯ୍ୟକ୍ରମ: ନିଜ ପେସାକୁ ଭଲ ପାଇଲେ ସୁନାମ ମିଳେ

କଟକ : ପେସାକୁ ଭଲ ପାଉଥିବା ବ୍ୟକ୍ତି ହିଁ ସୁନାମଧନ୍ୟ ହୁଅନ୍ତି। ଏଣୁ ପ୍ରତ୍ୟେକ ଡାକ୍ତର ନିଜର ପେସାକୁ ଭଲ ପାଇବା ଆବଶ୍ୟକ। ଓଡ଼ିଶାରେ ଏବେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ନିଶା ନିବାରଣ ସଚେତନତା କାର୍ଯ୍ୟ ତ୍ବରାନ୍ବିତ ହେବା ଆବଶ୍ୟକ। ଏସ୍‌ସିବି ମେଡିକାଲ କଲେଜର ପ୍ଲାଟିନମ ଜୁବୁଲି ପାଳନ ଅବସରରେ ଆୟୋଜିତ ‘୭୫ରେ ୭୫’ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ମତବ୍ୟକ୍ତ କରିଛନ୍ତି ଓଡ଼ିଆ ସିନେ ଜଗତ ସହ ଜଡ଼ିତ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ। ଏସ୍‌ସିବିର ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରଶାନ୍ତ ନନ୍ଦ, ଅଭିନେତ୍ରୀ ଝରଣା ଦାସ, ପଦ୍ମଶ୍ରୀ ସାଧୁ ମେହେର, ସବ୍ୟସାଚୀ ମହାପାତ୍ର, ପଦ୍ମଶ୍ରୀ ନିଳମାଧବ ପଣ୍ଡା ପ୍ରମୁଖ ‌ଯୋଗ ଦେଇଥିଲେ।

ସାଂସଦ ପ୍ରଶାନ୍ତ ନନ୍ଦ ତାଙ୍କ ବକ୍ତବ୍ୟରେ ଏସ୍‌ସିବି ମେଡ଼ିକାଲରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ ହୋଇଛି ବୋଲି କହିଥିଲେ। ୬୩ବର୍ଷ ପୂର୍ବେ ଏସ୍‌ସିବି ମେଡ଼ିକାଲରେ ହୋଇଥିବା ଏକ ଡ୍ରାମାରେ ସେ କୁନି କଳାକାର ଭାବେ ଅଭିନୟ କରିଥିଲେ। ଝରଣା ଦାସ ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ଡାକ୍ତର ନିଜର ପେସାକୁ ପ୍ରଥମେ ଭଲ ପାଇବାକୁ ପରାମର୍ଶ ଦେଇଥିଲେ। ସବ୍ୟସାଚୀ ମହାପାତ୍ର କହିଥିଲେ ଯେ ବଡ଼ ମେଡ଼ିକାଲ ହେଉଛି ଗୋଟିଏ ବିଶ୍ୱାସ। ଏହାର ଭବିଷ୍ୟତ ବି ବେଶ୍ ଉଜ୍ଜଳମୟ। ପଦ୍ମଶ୍ରୀ ସାଧୁ ମେହେର ଭର୍ଚୁଆଲ ମାଧ୍ୟମରେ ବକ୍ତବ୍ୟ ରଖି ବମ୍ବେକୁ ଓଡ଼ିଶାରୁ ସର୍ବାଧିକ କ୍ୟାନ୍‌ସର ରୋଗୀ ଯାଉଛନ୍ତି ବୋଲି କହିବା ସହିତ ଓଡ଼ିଶାରେ ନିଶା ନିବାରଣ ସଚେତନତା କାର୍ଯ୍ୟ କରିବାକୁ ସରକାରଙ୍କୁ ନିବେଦନ କରିଥିଲେ। ପଦ୍ମଶ୍ରୀ ନୀଳମାଧବ ପଣ୍ଡା ମଧ୍ୟ ଭର୍ଚୁଆଲ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ। ଆଜିର କାର୍ଯ୍ୟକ୍ରମକୁ ପ୍ରଫେସର ଡାକ୍ତର ଚିତ୍ତ ରଞ୍ଜନ ଷଡଙ୍ଗୀ ଓ ପ୍ରଫେସର ଡାକ୍ତର ଶୁଭବ୍ରତା ପରିଡା ସଂଯୋଜନା କରିଥିବାବେଳ ଆସୋସିଏଟ୍‌ ପ୍ରଫେସର ଡାକ୍ତର ପ୍ରଭାତ ଥାଟ୍ଟୋଇ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର