ସମଗ୍ର ଶିକ୍ଷା ଯୋଜନା-୨.୦କୁ କେନ୍ଦ୍ର କ୍ୟାବିନେଟ୍‌ ମୋହର: ସରକାରୀ ସ୍କୁଲରେ ହେବ ପ୍ଲେ ସ୍କୁଲ

ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ବତନ୍ତ୍ର ତାଲିମ
ସ୍କୁଲରେ ପାଳନ ହେବ ବ୍ୟାଗମୁକ୍ତ ଦିବସ
୫ ବର୍ଷରେ ଖର୍ଚ୍ଚ ହେବ ୨ ଲକ୍ଷ ୯୪ ହଜାର କୋଟି

ଭୁବନେଶ୍ବର : ଦେଶର ସମଗ୍ର ଶିକ୍ଷା ଯୋଜନା ୨.୦କୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛି। ଏହି ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ୨ ଲକ୍ଷ ୯୪ ହଜାର ୨୮୩ କୋଟି ଟଙ୍କାରେ କେନ୍ଦ୍ରର ଅଂଶ ୧ ଲକ୍ଷ ୮୫ ହଜାର ୩୯୮ କୋଟି ରହିବ। ୨୦୨୧ ଏପ୍ରିଲ ୧ରୁ ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଦୀର୍ଘ ୫ ବର୍ଷ ଧରି ଏହା କାର୍ଯ୍ୟକାରୀ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ସ୍କୁଲ ଶିକ୍ଷା କ୍ଷେତ୍ରରେ ଏଭଳି ଐତିହାସିକ ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରି-ସ୍କୁଲରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହି ଯୋଜନା ସାମିଲ ହେବ। ସାର୍ବଜନୀନ ଶିକ୍ଷା ସହ ସ୍କୁଲର ଭିତ୍ତିଭୂମି ଓ ପିଲାମାନେ କିଭଳି ଅଧାରୁ ସ୍କୁଲ ଛାଡ଼ି ଯିବେ ନାହିଁ ତାହା ଉପରେ ଗୁରୁତ୍ବ ଦିଆଯିବ। ଡିଜିଟାଲ ବିକାଶ, ଶିକ୍ଷା ଅଧିକାରରେ ୟୁନିଫର୍ମ ଓ ପାଠ୍ୟପୁସ୍ତକ, ଧନ୍ଦାମୂଳକ ଶିକ୍ଷା, କ୍ରୀଡ଼ା ଓ ଶାରୀରିକ ଶିକ୍ଷା, ଶିକ୍ଷକ ଶିକ୍ଷା ଏହି ଯୋଜନାରେ ସବୁଠାରୁ ଅଧିକ ଗୁରୁତ୍ବ ବହନ କରିବ। ସରକାରୀ ସ୍କୁଲରେ ପ୍ଲେ ସ୍କୁଲ ଆରମ୍ଭ ହେବ। ଶିକ୍ଷା ପାଇଁ ନିରନ୍ତର ବିକାଶ ଯୋଜନା ବା ଏସ୍‌ଡିଜି-୪ ଲକ୍ଷ୍ୟ ନୂଆ ଶିକ୍ଷାନୀତି-୨୦୨୦ର ଅନ୍ତର୍ଭୁକ୍ତିକରଣ ଓ ସ୍କୁଲ ଶିକ୍ଷା କ୍ଷେତ୍ରରେ ସମସ୍ତଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରିବାରେ ସଫଳ ହେବ। ବିଭିନ୍ନ ପୃଷ୍ଠଭୂମିରୁ ଆସୁଥିବା ସମସ୍ତ ଶ୍ରେଣୀର ପିଲାଙ୍କୁ ଉପଯୁକ୍ତ ଶ୍ରେଣୀଗୃହ ଶିକ୍ଷା ଦେବା ସମଗ୍ର ଶିକ୍ଷା-୨.୦ର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଏହି ଯୋଜନାରେ ମାଷ୍ଟର ଟ୍ରେନ୍‌ରମାନଙ୍କର ଉପଯୁକ୍ତ ତାଲିମ, ଅଙ୍ଗନବାଡ଼ି କର୍ମୀଙ୍କ ବିଶେଷ ତାଲିମ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ସରକାରୀ ସ୍କୁଲରେ ପିଲାଙ୍କ ମୁଣ୍ଡପିଛା ୫୦୦ ଟଙ୍କା‌ ବ୍ୟୟରେ ଶିକ୍ଷା ଉପକରଣ ‌ଯୋଗାଇଦେବାର ପ୍ରି-ପ୍ରାଇମେରି ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ୩ୟରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀ ଯେପରି ପଢ଼ିବା, ଲେଖିବା‌ ଓ ହିସାବ କରିପାରିବେ ସେଥିପାଇଁ ଛାତ୍ର ମୁଣ୍ଡପିଛା ୫୦୦ ଟଙ୍କା ଓ ଶିକ୍ଷକଙ୍କ ପାଇଁ ମୁଣ୍ଡପିଛା ୧୫୦ ଟଙ୍କାର ଟିଚର ମାନୁଆଲ୍‌ ଯୋଗାଇ ଦିଆଯିବ। ପ୍ରତି ଜିଲ୍ଲାରେ ଏହା ସଫଳ ରୂପାୟନ ହୋଇଛି କି ନାହିଁ ଏହାର ମୂଲ୍ୟାଙ୍କନ ପାଇଁ ଜିଲ୍ଲା ପିଛା ୧୦ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ସ୍କୁଲଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଯାତାୟାତ ପାଇଁ ବାର୍ଷିକ ମୁଣ୍ଡପିଛା ୬ ହଜାର ଟଙ୍କାର ବ୍ୟବସ୍ଥା ହୋଇଛି। ସ୍କୁଲ ବାହାରେ ଥିବା ୬ରୁ ୧୯ ବର୍ଷର ଅନୁସୂଚିତ ଜାତି ଓ ଜନଜାତିର ପିଲାଙ୍କ ପାଇଁ ବିଶେଷ ଅର୍ଥ, ଖେଳ ପାଇଁ ବିଶେଷ ଯୋଜନା ହୋଇଛି। ସ୍କୁଲ ପିଲାମାନେ ‌ଯେପରି କିଛି ଦିନ ବିନା ବ୍ୟାଗ୍‌ରେ ଆସି ସ୍ଥାନୀୟ ହସ୍ତକଳା କାରିଗରଙ୍କଠାରୁ ଶିକ୍ଷାଗ୍ରହଣ କରିପାରିବେ ସେଥିପାଇଁ ଯୋଜନା କରାଯାଇଛି। ଛାତ୍ରୀନିବାସ ପାଇଁ ଆର୍ଥିକ ସୁବିଧା, ଛାତ୍ରୀଙ୍କ ଲାଗି ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ବାବଦରେ ମୁଣ୍ଡପିଛା ଖର୍ଚ୍ଚ ୩ରୁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଯେଉଁ ଆର୍ଥିକ ସୁବିଧା ପାଇବେ ତାହା ଡିବିଟି ମାଧ୍ୟମରେ କିଭଳି ବ୍ୟାଙ୍କ ଖାତାରେ ପହଞ୍ଚିବ ସେନେଇ ବ୍ୟବସ୍ଥା ହୋଇଛି। ଏହି ବ୍ୟବସ୍ଥାରେ ବର୍ଷକୁ ୨୦ ପ୍ରତିଶତ ହିସାବରେ ୫ ବର୍ଷରେ ଶତ ପ୍ରତିଶତ ସ୍କୁଲର ସୋସିଆଲ୍‌ ଅଡିଟ୍‌ ବ୍ୟବସ୍ଥା କରାଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର