ଶିଶୁ ଜୀବନ ସହ ଖେଳ!

ପିଚାରେ ଅଟକିଛି ଛୁଞ୍ଚି; ଯନ୍ତ୍ରଣାରେ ଛଟପଟ ଶୁଭଙ୍କର, ଶିଶୁଭବନରୁ ଏସ୍‌ସିବି ଦୌଡ଼ୁଛନ୍ତି ପରିବାର

କଟକ: ପିଚାରେ ଅଟକିଛି ଛୁଞ୍ଚି। ୪ଦିନ ବିତିଲାଣି। ଯନ୍ତ୍ରଣାରେ ଛଟପଟ ହେଉଛି ୪ବର୍ଷର ଏହି ଶିଶୁ। ଅଥଚ ଶିଶୁଭବନରୁ ଏସ୍‌ସିବି ପର୍ଯ୍ୟନ୍ତ ପରିବା‌ର ଲୋକ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି, ବାହାରି ପାରୁନି ଛୁଞ୍ଚି। ଦୁଇ ଦିନ ଚିକିତ୍ସା କରିବା ପରେ ଶିଶୁଭବନ କର୍ତ୍ତୃପକ୍ଷ ଏସ୍‌ସିବିକୁ ପଠାଇ ଦେଇଥିବା ବେଳେ ଏଠାରେ ମେସିନ୍‌ ଖରାପ ଦର୍ଶାଯାଇ ଅପେକ୍ଷା କରିବାକୁ କୁହାଯାଉଛି। ଏଭଳି ସ୍ଥିତିରେ ଅସହ୍ୟ ଖରା ଓ ଗୁଳୁଗୁଳିରେ ଅର୍ଥପେଡିକ୍‌ ୱାର୍ଡ‌ରେ ଛଟପଟ ହେଉଛି ୪ବର୍ଷର ଶିଶୁ ଶୁଭଙ୍କର ବେହେରା। ନର୍ସଙ୍କ ଅସାବଧାନତା ହିଁ ଶୁଭଙ୍କର ଜୀବନକୁ ଏପରି ଯନ୍ତ୍ରଣା ମୁହଁକୁ ଠେଲି ଦେଇଛି।

ଉଲ୍ଲେଖଯୋଗ୍ୟ, ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଗଡ଼ତରାସ ଗାଁର ନିରାକାର ବେହେରାଙ୍କ ପୁଅ ହେଉଛନ୍ତି ଶୁଭଙ୍କର। ଶନିବାର ଘରେ ଖେଳୁଥିବା ବେ‌େଳ ସେ ତଳେ ପଡ଼ି ଯାଇଥିଲେ। ପାଟି ଖଣ୍ଡିଆ ହୋଇଯାଇଥିଲେ। ଜିଭରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ପରିବାର ଲୋକେ ପୁଅକୁ ବନ୍ତଳା ପ୍ରାଥମିକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ଶୁଭଙ୍କରଙ୍କୁ ଦେଖିବା ପ‌େର କାର୍ଯ୍ୟରତ ନର୍ସଙ୍କୁ ୨ଟି ଇଞ୍ଜେକ୍ସନ ଦେବାକୁ କହିଥିଲେ। କିନ୍ତୁ ଅସାବଧାନତାବଶତଃ ଛୁଞ୍ଚି ପୋଡ଼ିଲା ବେଳେ ସିରିଞ୍ଜ ହାତରୁ ଖସି ପଡ଼ିଥିଲା। ଛୁଞ୍ଚି ପିଚାରେ ପଶି ବଙ୍କା ହେଇଯାଇଥିଲା। ନର୍ସ ଛୁଞ୍ଚି କାଢ଼ି‌ଦେଲେ। ହେଲେ ତାକୁ ନ ବଦଳାଇ ବଙ୍କା ଛୁଞ୍ଚିକୁ ସିଧା କରି ପୁଣି ପିଚାକୁ ଫୋଡ଼ିଦେଲେ। ଫଳରେ ଛୁଞ୍ଚିର କିଛି ଅଂଶ ଭାଂଗି ଯାଇ ପିଚାରେ ରହିଯାଇଥିଲା। ତେବେ ନର୍ସଙ୍କ ଅବହେଳା ଯୋଗୁ ଏପ୍ରକାର ଘଟିଲା ବୋଲି ପରିବାର ଲୋକ ଅଭିଯୋଗ କଲେ। ଏହାକୁ ନେଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏପଟେ ପୁଅ ଯନ୍ତ୍ରଣାରେ ଛଟପଟ ହେଉଥିବାରୁ ବାପା ନିରାକାର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। କିନ୍ତୁ ସେଠାରେ ‘୩-ଡି’ କିମ୍ବା ‘ସି-ଆର୍ମ’ ଏକ୍ସରେ ବ୍ୟବସ୍ଥା ନ ଥିବାରୁ ଅସ୍ତ୍ରୋପଚାର ସମ୍ଭବ ନୁହେଁ ବୋଲି ଦର୍ଶାଇ ଡାକ୍ତର ଶିଶୁଭବନକୁ ରେଫର୍ କରିଦେଇଥିଲେ। ଶିଶୁଭବନରେ ଶୁଭଙ୍କର ଭର୍ତ୍ତି ହେବା ପରେ ଏଠାରେ ଚିକିତ୍ସା ହେଲା ସତ କିନ୍ତୁ ଦୁଇ ଦିନ ପରେ ଅପରେସନ୍‌ ସମ୍ଭବ ନୁହେଁ ଦର୍ଶାଇ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରିଦେଇଥିଲେ। ଗତକାଲି ଦିନ ୩ଟାରେ ଶୁଭଙ୍କର ଏସ୍‌ସିବି ଅର୍ଥପେଡିକ୍‌ ବିଭାଗରେ ଭର୍ତ୍ତି ହୋଇଛନ୍ତି। ଡାକ୍ତର ଆଜି ଦେଖିବା ପରେ ମେସିନ୍‌ ଠିକ୍‌ ନାହିଁ ଏବଂ ଚାଲୁ ହେବା ପରେ ଛୁଞ୍ଚିକୁ ବାହାର କରାଯିବ ବୋଲି କହିଥିବା ବାପା ନିରାକାର କହିଛନ୍ତି। ଅନ୍ୟପକ୍ଷରେ ଏସଂପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କୁ ପଚାରିବାରୁ କୌଣସି ମେସିନ୍‌ ଅଚଳ ନାହିଁ। ସଂକ୍ରମଣ ଥିବାରୁ ବୋଧହୁଏ ଛୁଞ୍ଚି କଢାଯାଇନଥିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର