ଅନୁଗୁଳ: ବର୍ଷେ ନୁହେଁ କି ଦୁଇବର୍ଷ। ମହାନଦୀର ସାତକୋଶିଆ ଗଣ୍ଡରେ ବିଲୁପ୍ତପ୍ରାୟ ଘଡ଼ିଆଳ ଶାବକଟିଏ ଜନ୍ମ ହେବାକୁ ଲାଗିଗଲା ୪୦ବର୍ଷ। ସାତକୋଶିଆ କୋଳକୁ ଏହାଥିଲା ପ୍ରକୃତିର ଅନନ୍ୟ ବରଦାନ। କିନ୍ତୁ, ସାତକୋଶିଆ କର୍ତୃପକ୍ଷ ପ୍ରକୃତିର ଏ ବରଦାନକୁ ନେଇ ଯେମିତି ଖେଳିବା ଆରମ୍ଭ କରିଛନ୍ତି, ତାହା ଘଡ଼ିଆଳ ବଂଶ ପାଇଁ ବିପଜ୍ଜନକ ହୋଇଛି। ପିସିସିଏଫ୍‌ ୱାଇଲ୍‌ଡ ଲାଇଫ୍‌ଙ୍କ ନିର୍ଦ୍ଦେଶନାମା ସତ୍ତ୍ବେ ମା ଘଡ଼ିଆଳ ପାଖରୁ ଶାବକଙ୍କୁ ଛଡ଼ାଇ ଅଣାଯାଇଛି। ଏଠି ଓଡ଼ିଶା ବନ୍ୟପ୍ରାଣୀଙ୍କର ରାଜ୍ୟ ମୁଖିଆଙ୍କ ନିର୍ଦ୍ଦେଶକୁ କେବଳ ଉଲ୍ଲଂଘନ କରାଯାଇ ନାହିଁ, ବରଂ ମା-ଛୁଆଙ୍କର ପ୍ରାକୃତିକ ସମ୍ପର୍କକୁ ଭାଙ୍ଗି ନଷ୍ଟ କରି ଦିଆଯାଇଛି। ଯାହାକୁ ନେଇ ପରିବେଶବିତ୍‌ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘବର୍ଷର ଅପେକ୍ଷାରେ ସାତକୋଶିଆକୁ ଫେରି ଆସିଥିବା ଘଡ଼ିଆଳ ଶାବକଙ୍କୁ ମା କୋଳରୁ ଛଡ଼ାଇ ଆଣିବାକୁ କିଏ ଅନୁମତି ଦେଲା? ସିଡ୍ୟୁଲ୍-୧ ବନ୍ୟଜନ୍ତୁରେ ପରିଗଣିତ ଏ ବନ୍ୟପ୍ରାଣୀ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Advertisment

ସୂଚନା ମୁତାବକ, ଗତ ମେ ମାସ ୧୧ତାରିଖରେ ସାତକୋଶିଆର ବଳଦମରାଠାରେ କ୍ରମାଗତ ତୃତୀୟ ଥର ପାଇଁ ମା ଘଡ଼ିଆଳ ଅଣ୍ଡା ଫୁଟାଇ ଶାବକ ବାହାର କରାଇଥିଲା। ଗୋଟିଏ ମା କୋଳରୁ ୩୨ଗୋଟି ଶାବକ ଜନ୍ମନେଲେ। ଶାବକ ଜନ୍ମ ହେବାର ୧୦ଦିନ ପରେ ବସିଥିଲା ରାଜ୍ୟସ୍ତରୀୟ ବୈଠକ। ୩୪ଟି ଛୁଆଙ୍କ ସୁରକ୍ଷା ପାଇଁ ୧୩ଜଣ ଡିଏଫ୍‌ଓ ସହିତ ମୋଟ୍ ୨୪ଜଣ ବଡ଼ ବଡ଼ ଅଧିକାରୀଙ୍କୁ ଡକାଇ ଆଲୋଚନା ହୋଇଥିଲା। ତତ୍‌କାଳୀନ ପିସିସିଏଫ୍‌(ୱାଇଲ୍‌ଡ ଲାଇଫ୍‌) ଶଶୀ ପଲ୍ ଏଥିରେ ଅଧ୍ୟକ୍ଷତା କରିଥିଲେ। ଘଡ଼ିଆଳ ବିଶେଷଜ୍ଞ ପ୍ରଫେସର ଏସ୍‌. ମହାରଣା ଓ ନନ୍ଦନକାନନର ବିଶେଷଜ୍ଞ ବି ବୈଠକରେ ସାମିଲ ହେଲେ। ସମସ୍ତଙ୍କ ଅଭିଜ୍ଞତା ଏବଂ ଅନୁଭବକୁ ବିଚାର କରାଗଲା। ଘଡ଼ିଆଳ ଶାବକଙ୍କ ସଂରକ୍ଷଣ କେମିତି କରାଯିବ ସେନେଇ ବିସ୍ତୃତ ଆଲୋଚନା ହେଲା।

ଅମାନିଆ ହେଲେ, ପିସିସିଏଫ୍‌ଙ୍କ ନିର୍ଦ୍ଦେଶକୁ ବି ଉଡ଼ାଇଦେଲେ
ମନକୁ କରିନାହୁଁ, ପିସିସିଏଫ୍‌ଙ୍କର ଅନୁମତି ନେଇଛୁ: ଡିଏଫ୍‌ଓ

ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହେଲା, ପ୍ରକୃତିରେ ଜନ୍ମିତ ଶାବକଙ୍କୁ ପ୍ରକୃତିରେ ବଢ଼ିବାକୁ ଛାଡ଼ି ଦିଆଯିବ। ମାଠାରୁ ଛୁଆଙ୍କୁ କୌଣସି ମତେ ଅଲଗା କରାଯିବ ନାହିଁ। କିନ୍ତୁ, ପିସିସିଏଫ୍‌ଙ୍କ ଏ ନିଷ୍ପତ୍ତିକୁ ପୂରା ଉଲ୍ଲଂଘନ କରାଗଲା। ମା କୋଳରୁ ଛୁଆଙ୍କୁ ଅଲଗା କରାଗଲା। ପ୍ରକୃତିରେ ବଢ଼ୁଥିବା ଛୁଆ ପୋଷା ମନାଗଲା। ସେଥିରୁ ଅନେକ ଛୁଆ ବି ମରିଗଲେ। ସାତକୋଶିଆ କର୍ତୃପକ୍ଷ ମନଇଚ୍ଛା ମୂଲ୍ୟବାନ ଶାବକଙ୍କୁ ନେଇ ଖେଳ ଖେଳିଲା। ଯାହା ଏକ ପ୍ରକାର ବନ୍ୟପ୍ରାଣୀ ଅପରାଧ। ଘଡ଼ିଆଳ ଶାବକ ଭଳି ମୂଲ୍ୟବାନ ପ୍ରକୃତିର ଉପହାର ପ୍ରତି ଏମିତି ଖେଳ ଖେଳିବାକୁ ଅନୁମତି ଦେଲା କିଏ? ପିସିସିଏଫ୍‌ଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଏତେ ବଡ଼ ଭୁଲ୍‌ କିଏ କଲା? ତାଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯିବ ନାହିଁ ବୋଲି ପରିବେଶବିତ୍‌ଙ୍କ ମହଲ ପ୍ରଶ୍ନ ଉଠିଛି। ଏ ପ୍ରସଙ୍ଗରେ ସାତକୋଶିଆ ଡିଏଫ୍‌ଓ ସରୋଜ ପଣ୍ଡା କହିଛନ୍ତି, ଗଣ୍ଡରୁ ଘଡ଼ିଆଳକୁ ଆମେ ମନେ ମନେ କୁଣ୍ଡକୁ ଆଣି ନାହୁଁ। କୁଣ୍ଡକୁ ଆଣିବା ପୂର୍ବରୁ ପିସିସିଏଫ୍‌ଙ୍କଠାରୁ ଅନୁମତି ନିଆଯାଇଛି। ତା ଛଡ଼ା ଆମେ ମା କୋଳରୁ ଛୁଆକୁ ଛଡ଼ାଇ ଆଣିନାହୁଁ। ବରଂ ବନ୍ୟାପାଣିରେ ଭାସିଯାଉଥିବା ବେଳେ ଆଣିଛୁ ବୋଲି କହିଛନ୍ତି।