ଖୁବ୍‌ ଆନନ୍ଦରେ ବିରାଟ ବାହିନୀ ଜଳଖିଆରେ ଖାଇଲେ ଚକୁଳି ଓ ମଣ୍ଡା ପିଠା

ଭୁବନେଶ୍ୱର: ରବିବାର ଖେଳାଯିବାକୁ ଥିବା ବହୁ ପ୍ରତୀକ୍ଷିତ ବାରବାଟୀ ଦିନିକିଆ ଲାଗି ଉଭୟ ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ଦଳର ଖେଳାଳିମାନେ ଗତ ଗୁରୁବାର ଭୁବନେଶ୍ୱରର ମେ’ ଫେୟାର ହୋଟେଲରେ ପହଞ୍ଚିଥିଲେ। ଏଠାରେ ଦୁଇ ଦେଶର ଖେଳାଳିଙ୍କ ରହିବା ଓ ଖାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଜି ଜଳଖିଆରେ ଖେଳାଳିଙ୍କୁ ଓଡ଼ିଆ ଖାଦ୍ୟ ଚକୁଳି ଓ ମଣ୍ଡା ପିଠା ପରଶା ଯାଇଥିଲା। ଏହାକୁ ସେମାନେ ଖୁବ ଆନନ୍ଦରେ ଖାଇଥିଲେ। ଏପରିକି ଖାଇବା ଟେବୁଲରୁ ସବୁ ଖାଇବା ଶେଷ ହୋଇଯାଇଥିବା ହୋଟେଲ କର୍ତ୍ତୃପକ୍ଷ କହିଛନ୍ତି।

ଏଥିସହ ଓଡ଼ିଶାର ପାରମ୍ପରିକ କଂସା ଓ ପିତ୍ତଳର ଥାଳି, ଗ୍ଲାସ ସାଙ୍ଗକୁ ଚାମଚରେ ଖେଳାଳିଙ୍କୁ ଖାଦ୍ୟ ପରଶା ଯାଉଛି। ବିଶେଷ କରି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସମ୍ପୂର୍ଣ୍ଣ ନିରାମିଷାଶୀ । ତେଣୁ କୋହଲିଙ୍କ ପାଇଁ ଖାଣ୍ଟି ଓଡ଼ିଆ ନିରାମିଷ ଖାଦ୍ୟ ତିଆରି ହେଉଛି।

ହୋଟେଲ୍‌ ସେଫଙ୍କ ଅନୁସାରେ ଅନ୍ୟାନ୍ୟ ଖାଦ୍ୟ ସହ ଖେଳାଳିଙ୍କ ମେନୁରେ ରହିଛି ମଟନ କଷା, ମଟନ ହାଣ୍ଡି, ଦେଶୀ କୁକୁଡା ମାଂସ ଝୋଳ, ଚିଙ୍ଗୁଡି ଓ ପାମ୍ପ୍ଲେଟ୍‌ ମାଛ ଭଳି ଆମିଷ ଖାଦ୍ୟ। ଆଉ ନିରାମିଷରେ କାନିକା ଭାତ, ଡାଲମା, ବଡ଼ିଚୁରା, ଖଟା, ଖିରି, ଜହ୍ନି ପୋସ୍ତ, ଛତୁ ବେସର ଓ ଶାଗ ଭଳି ସୁଆଦିଆ ଓଡ଼ିଆ ବ୍ୟଞ୍ଜନ। ଏହାଛଡା ସିରିଜ ବିଜୟୀ ଟିମ୍ ପାଇଁ କେକ୍ ଅର୍ଡର ଦିଆଯାଇଥିବା କହିଛନ୍ତି ମେ ଫେୟାର ହୋଟେଲ କର୍ତ୍ତୃପକ୍ଷ । ସିରିଜ ବିଜୟ ପରେ ସେଲିବ୍ରେସନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ସମ୍ବନ୍ଧିତ ଖବର