ଖେଳାଳିଙ୍କ କାମରେ ଆସୁନି କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପ

ଝାରସୁଗୁଡ଼ା: ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାର କ୍ରୀଡ଼ା କ୍ଷେତ୍ରରେ ଶିଳ୍ପସଂସ୍ଥା ଗୁଡ଼ିକର କେତ‌େ ସହଯୋଗ ଅଛି ତାହା ଜିଲ୍ଲାର କ୍ରୀଡ଼ାପ୍ରେମୀ ମାନଙ୍କୁ ଅଛପା ନାହିଁ। ଜିଲ୍ଲାରେ କ୍ରୀଡ଼ା ପ୍ରତିଭାର ମଧ୍ୟ ଅଭାବ ନାହିଁ। ରାଜ୍ୟ ଓ ଦେଶ ସବୁକ୍ଷେତ୍ରରେ ଏହି ଜିଲ୍ଲାର ଖେଳାଳି ତାଙ୍କର ପରାକାଷ୍ଠା ପ୍ରଦର୍ଶନ କରି ସାରିଛନ୍ତି। ତେବେ ଅଭ୍ୟାସ କରିବା ପାଇଁ ଜିଲ୍ଲାରେ ଘୋର ଅଭାବ ରହିଛି ଖେଳ ପଡ଼ିଆର । କ୍ରୀଡ଼ା ଭିତ୍ତିଭୂମୀର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ତେବେ ଏହା କୌଣସି କାମ‌ରେ ଆସୁନଥିବା ଜଣାଯାଉଛି। ଛୋଟ ପିଲା ମାନଙ୍କୁ ଶାରୀରିକ କ୍ରୀଡ଼ା ହେଉ ବା ଅଭ୍ୟାସ ପାଇଁ ହେଉ ଏକ ଉତ୍ତମ ଖେଳପଡ଼ିଆ ଆଜି ପର୍ଯ୍ୟନ୍ତ ଯୋଗାଇ ଦିଆଯାଇ ପାରିନାହିଁ।

ତେବେ କ୍ରୀଡ଼ାର ବିକାଶ କଥା କହି ଅନେକ ଯୋଜନା ଏଠାରେ ଦୀର୍ଘ ବର୍ଷ ହେଲା ଚାଲିଛି। ବିରାଟ ପ୍ରକଳ୍ପ ଗୁଡ଼ିକ ଆରମ୍ଭ ହୋଇଛି । କେବଳ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଏହି ପ୍ରକଳ୍ପ ଗୁଡ଼ିକ କୋଟି କୋଟି ଟଙ୍କା ବ୍ୟୟରେ କରାଯାଉଥିବା ବେଳେ ଏହା ଜଣେ ସାଧାରଣ ଖେଳାଳି ପାଇଁ କୌଣସି କାମରେ ଆସୁନାହିଁ।

ମଙ୍ଗଲବଜାର ଠାରେ ନିର୍ମିତ ଇଣ୍ଡୋର ଷ୍ଟାଡ଼ିୟମରେ କ୍ରୀଡ଼ା କମ୍‌ ସଭା ସମିତି ବେଶୀ ହେଉଛି। କଲ୍ୟାଣ ମଣ୍ଡପ ନିକଟରେ ନିର୍ମାଣ ହେଉଥିବା ଆଉ ଏକ ଇଣ୍ଡ‌ୋର ଷ୍ଟାଡ଼ିୟମ ୫/୬ ବର୍ଷ ହେଲା ନିର୍ମାଣ ସରିନାହିଁ। ମାଲିମୁଣ୍ଡା ନିକଟରେ ନିର୍ମାଣ ହେଉଛି ଆଉ ଏକ ବୃହତ ଷ୍ଟାଡିୟମ। ଏଚ୍‌. କଟାପାଲି ଠାରେ ‌ସ୍ପୋର୍ଟସ କମ୍ପ୍ଲେସ୍କ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଶୁଭ ଦିଆଯାଇଛି। କ୍ରୀଡ଼ାର ବିକାଶ ପାଇଁ ଝାରସୁଗୁଡ଼ାରେ ଏଭଳି କୋଟି କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଥିବା ବେଳେ ସହର ମଧ୍ୟରେ ଥିବା ଖେଳପଡ଼ିଆ ଗୁଡ଼ିକୁ ଅନ୍ୟକାମରେ ବ୍ୟବହାର କରାଯାଇ ନଷ୍ଟ କରି ଦିଆଯାଉଛି। ଏଠାରେ ଥିବା ସର୍ବପୁରାତନ ଖେଳପଡ଼ିଆ ଭାବରେ ଜଣାଶୁଣା ମନମୋହନ ସ୍କୁଲ ପଡ଼ିଆ ଅନେକ କ୍ରିଡ଼ାବିତଙ୍କୁ ଜନ୍ମ ଦେଇଥିବା ବେଳେ ଏଠାରେ ଛୋଟରୁ ବଡ଼ ସବୁ ବର୍ଗର ଲୋକ କ୍ରିଡ଼ାଭ୍ୟାସ କରିଥାନ୍ତି। ମାତ୍ର ଏହି ପଡ଼ିଆକୁ ବର୍ଷ ତମାମ ବ୍ୟବସାୟିକ କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ପଡ଼ିଆର ମାନ ନଷ୍ଟ ହୋଇ ଯାଇଥିବା ବେଳେ ଖେଳକୁଦ କରିବାରେ ମଧ୍ୟ ଘୋର ଅସୁବିଧା ଦେଖା ଦେଉଛି।

ବର୍ଷ ଆରମ୍ଭରୁ  ଏଠାରେ ଲୋକ ମହୋତ୍ସବ ଦୁଲଦୁଲି ଠାରୁ ଆରମ୍ଭ ପଲ୍ଲୀଶ୍ରୀ ମେଳା ତଥା ଦଳୀୟ ସଭା ସମିତି ମାନ ହେଉଥାଏ। ସଭା କରୁଥିବା ଉଦ୍ୟୋକ୍ତା ମାନେ ପଡ଼ିଆକୁ ମନ ଇଚ୍ଛା ଖୋଳି ପକାନ୍ତି। ବାରମ୍ବାର ସଭାସମିତି ହେଉଥିବାରୁ  ପଡ଼ିଆରେ ଆଉ ଗୋଟିଏ ମଧ୍ୟ ଘାସ ନାହିଁ। ଗତ ଏକ ମାସ ଧରି ଏଠାରେ ଏବେ ଜାତୀୟ ହସ୍ତତନ୍ତ ମେଳା ଲାଗିଛି। ସହର ମଧ୍ୟରେ ଏହି ପଡ଼ିଆ ଥିବା ଯୋଗୁଁ ଆଖପାଖର ଲୋକ ଏଠାରେ ସକଳୁ ଓ ସନ୍ଧ୍ୟାରେ ବ୍ୟାୟାମ ଯୋଗ ଆଦି କରୁଥିବା ବେଳେ ‌ଦୌଡ଼କୁଦ ମଧ୍ୟ କରିଥାନ୍ତି। ବିଭିନ୍ନ ସମୟରେ ଫୁଟବଲ ମ୍ୟାଚ୍‌ ତଥା ଅନ୍ୟାନ୍ୟ ଖେଳକୁଦ ପାଇଁ ଏହି ପଡ଼ିଆ ବ୍ୟବହାର ହେଉଥିବା ବେଳେ ବାରମ୍ବାର ‌ଟେଣ୍ଟ ମରାଯିବାକୁ ଖୋଳା ଯାଉଥିବାରୁ ପଡ଼ିଆଟି ନଷ୍ଟ ହୋଇ ଯାଉଛି। ପ୍ରଶାସନ ଏହି ପଡ଼ିଆକୁ  ବ୍ୟବସାୟ ଓ ରାଜନୈତିକ କାର୍ଯ୍ୟରେ ନଲଗାଇ କେବଳ କ୍ରିଡ଼ା କ୍ଷେତ୍ରରେ ବ୍ୟବହାର କରନ୍ତୁ ବୋଲି କ୍ରିଡ଼ାପ୍ରେମୀ ମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର