ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ରଙ୍ଗର ପର୍ବ ହୋଲି ହୋଇଛି ରକ୍ତରଞ୍ଜିତ। ରଙ୍ଗ ଖେଳ ଭିତରେ ନରହନ୍ତାମାନେ ଖେଳିଛନ୍ତି ରକ୍ତର ହୋଲି। ରଙ୍ଗ ପିଚକାରି ବଦଳରେ ଗର୍ଜିଛି ବନ୍ଧୁକ, ବୁଲିଛି ଛୁରି ଓ ଖଣ୍ଡା। ଖୋଦ ରାଜଧାନୀରେ ନରଘାତକମାନେ ଗଡ଼ାଇଛନ୍ତି ଦୁଇଟି ମୁଣ୍ଡ। ସେପଟେ ମୟୂରଭଞ୍ଜକୁ ସ୍ତବ୍ଧ କରିଛି ତିନିଟି ଲୋମଟାଙ୍କୁରା ହତ୍ୟାକାଣ୍ଡ। ଏଥିସହିତ କଟକ, ସମ୍ବଲପୁର, ବ୍ରହ୍ମପୁର ଓ ଅନୁଗୁଳ ଭଳି ସହରରେ ଦେଖିବାକୁ ମିଳିଛି ଜଘନ୍ୟ ହତ୍ୟାକାଣ୍ଡ। ଦୋଳ ଓ ହୋଲି ବେଳେ ଭୀଷଣ ଗଣ୍ଡଗୋଳ ହେବା ଆଶଙ୍କା କରି ନେଇ ଗୁଇନ୍ଦା ବିଭାଗ ଆଗୁଆ ସତର୍କ ସୂଚନା ଦେଇଥିଲେ ମଧ୍ୟ ପୁଲିସର ସୁରକ୍ଷା ବ୍ୟବସ୍ଥା ଫେଲ୍ ମାରିଛି। ପାର୍ବଣ ବେଳେ ଏଭଳି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିରୋଧୀ ଶାସକ ଦଳକୁ ତୀବ୍ର ଭର୍ତ୍ସନା କରିଛି। ଏହାକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।
ଭୁବନେଶ୍ବର ସହିଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିରେ ଗୋପୀ ଗୁଣି ନାମକ ଜଣେ ଯୁବକଙ୍କୁ ସେହି ବସ୍ତିର କିଛି ଦୁର୍ବୃତ୍ତ ଛୁରି ଭୁସି ହତ୍ୟା କରିଛନ୍ତି। ହୋଲି ଖେଳୁଥିବା ବେଳେ ପରିବାର ଲୋକଙ୍କ ସମ୍ମୁଖରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ। ଅବଶ୍ୟ ପୁଲିସ ୨ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହିପରି ମଞ୍ଚେଶ୍ବର ଥାନା ସମେଇଗାଡ଼ିଆ ଅଞ୍ଚଳରେ ଆୟୁଷ୍ମାନ ପତି ନାମକ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତମାନେ ଛୁରାମାଡ଼ କରି ହତ୍ୟା କରିଛନ୍ତି। ଏହି ମାମଲାରେ ପୁଲିସ ୪ଜଣଙ୍କୁ ଗିରଫ କରିଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଦୁଇଟି ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ରାଜଧାନୀରେ ଶାନ୍ତିପୂର୍ଣ୍ଣ ହୋଲି ପାଳନ ପାଇଁ କମିସନରେଟ୍ ପୁଲିସ ବ୍ୟାପକ ପ୍ରସ୍ତୁତି କରିଥିଲା ଏବଂ କଡ଼ା କଟକଣା ଜାରି କରିଥିଲା। ଏମିତିକି ବଦମାସଙ୍କୁ ସାବାଡ଼ କରିବାକୁ ପୁଲିସ ବେଶ୍ ବାହାସ୍ଫୋଟ ମାରିଥିଲା। କିନ୍ତୁ ରାଜଧାନୀ ଛାତିରେ ରକ୍ତରଞ୍ଜିତ ହୋଲି କମିସନରେଟ୍ ପୁଲିସକୁ କାଠଗଡ଼ାରେ ଠିଆ କରାଇଛି। ସେହିଭଳି କମିସନରେଟ୍ ପୁଲିସ ଅଧୀନସ୍ଥ କଟକରେ ବି ଗଡ଼ିଛି ଗୋଟିଏ ମୁଣ୍ଡ। ଏଠାରେ ଗୁଳିକାଣ୍ଡରେ ଲିଭିଯାଇଛି ବିକାଶ ମହାନ୍ତିଙ୍କ ଜୀବନଦୀପ। ପୁଲିସ ହତ୍ୟା ଅଭିଯୁକ୍ତ ପ୍ରକାଶ ସୂତାରକୁ ଗିରଫ କରିଛି। ସମ୍ବଲପୁର ସାହୁ କଲୋନିରେ ଘଟିଛି ଛାତିଥରା ହତ୍ୟାକାଣ୍ଡ। ଆଦିତ୍ୟ ସାଲିମା ନାମକ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା କରାଯାଇଛି। ସାହୁଲ୍ ସିଂ ଏହି ହତ୍ୟାକାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବ୍ରାହ୍ମଣସାହିରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡ ଛାତି ଥରାଇଦେଇଛି। ହୋଲି ଭୋଜି ବେଳେ ଯୁବ ବ୍ୟବସାୟୀ ରାମଚନ୍ଦ୍ର ପାତ୍ର ହତ୍ୟାକାଣ୍ଡର ଶିକାର ହୋଇଛନ୍ତି। ରାମଚନ୍ଦ୍ରଙ୍କ ନିକଟରେ କାମ କରୁଥିବା ଚନ୍ଦନ କୁମାର ସାବତ ଓରଫ ପପୁ ନିର୍ମମ ଭାବେ ଛୁରି ଭୁସି ତାଙ୍କୁ ହତ୍ୟା କରିଛି। ପୁଲିସ ଅଭିଯୁକ୍ତ ପପୁକୁ ଗିରଫ କରିଛି। ଅନୁଗୁଳରେ ଆଜାଦ୍ ହୁସେନ୍ଙ୍କୁ ଛୁରି ଭୁସି ନୃଶଂସ ଭାବେ ହତ୍ୟା କରିଛି ଦୁର୍ବୃତ୍ତ। ପୁଲିସ ଏହି ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ସୁଦୀପ ସାମନ୍ତରାୟକୁ ଗିରଫ କରିଛି।
ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ
ଶାସକ-ବିରୋଧୀ ମୁହାଁମୁହିଁ
ମୟୂରଭଞ୍ଜ ବାରିପଦା ସହରରେ ଠିକାଦାର ସ୍ନେହାଶିଷ ପଣ୍ଡାଙ୍କୁ ତାଙ୍କ ଘରେ ଗଳାକାଟି ହତ୍ୟା କରାଯାଇଛି। ଅଭିଯୁକ୍ତ ହିମାଂଶୁ ମହାକୁଡ଼ ଅତର୍କିତ ଭାବେ ତାଙ୍କ ଘରେ ପଶି ସ୍ନେହାଶିଷଙ୍କୁ ଖାଇବା ଥାଳି ପାଖରେ ବସିଥିବା ବେଳେ ତଣ୍ଟିକୁ କାଟି ହତ୍ୟା କରିଛି। ବାପାଙ୍କ ଅପମାନର ପ୍ରତିଶୋଧ ନେବାକୁ ହିମାଂଶୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ନିକଟରେ ସ୍ବୀକାର କରିଛି। ଏହି ଜିଲ୍ଲା ଚାନ୍ଦୁଆ ଥାନା ଟଙ୍ଗାଶୋଳ ଗାଁରେ ନରହନ୍ତା ସ୍ବାମୀ ଚରଣ ଭକ୍ତା ତାଙ୍କ ସ୍ତ୍ରୀଙ୍କୁ କାଠଫାଳିଆରେ ପିଟିପିଟି ହତ୍ୟା କରିଛି। ସ୍ତ୍ରୀ ସବିତାଙ୍କ ଚରିତ୍ରକୁ ସନ୍ଦେହ କରି ଚରଣ ଏଭଳି କାଣ୍ଡ ଭିଆଇଥିବା ମାନିଛି। ସେହିଭଳି ଏହି ଜିଲ୍ଲା ମୋରଡ଼ା ଥାନା ଚିତ୍ରଡ଼ା ଜଗନ୍ନାଥ ମନ୍ଦିର ନିକଟ ବଣ ଭିତରୁ ମିଳିଛି ଜଣେ ମହିଳା ଫକଲି ନାଏକଙ୍କ ମୃତଦେହ। ତାଙ୍କୁ ଦୁଷ୍କର୍ମ ପରେ ମାରିଦିଆଯାଇଥିବା ଜଣାପଡ଼ିଛି। ହୋଲି ଭଳି ଆନନ୍ଦର ପର୍ବରେ ଘଟିଥିବା ଏଭଳି ହତ୍ୟାକାଣ୍ଡ ସବୁକୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ ବିଜେପି ସରକାର ଆଇନଶୃଙ୍ଖଳାକୁ ବିକଳାଙ୍ଗ କରିଦେଇଥିବାରୁ ଅପରାଧୀମାନେ ଏଭଳି ସାହସ କରୁଛନ୍ତି। ଆସନ୍ତାକାଲି ବିଧାନସଭାରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବ। ସେହିଭଳି ବିଜେଡି ନେତା ଅରୁଣ ସାହୁ କହିଛନ୍ତି ଯେ ଖୋଦ୍ ସ୍ମାର୍ଟ ସିଟିରେ ଦୁଇ ଦୁଇଟି ସ୍ମାର୍ଟ ମର୍ଡର ହେଲା। ପାର୍ବଣ ବେଳେ ଦିନ ଦିପହରରେ ଏମିତି ହତ୍ୟାକାଣ୍ଡ ଘଟୁଛି। ତେଣୁ ଲୋକେ କେତେ ସୁରକ୍ଷିତ, ଜଳଜଳ ହୋଇ ଦେଖାଯାଉଛି କହି ସେ ସମାଲୋଚନା କରିଛନ୍ତି। ବିଜେପି ବିଧାୟକ ବାବୁ ସିଂ ଏସବୁ ସମାଲୋଚନାର ଜବାବ ରଖିଛନ୍ତି। ଆଇନଶୃଙ୍ଖଳା ଠିକ୍ ନଥିଲେ, ୨୪ ଘଣ୍ଟା ଭିତରେ ଅପରାଧୀ କିଭଳି ଧରାପଡ଼ୁଛନ୍ତି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।