କଟକ: କଟକ ବଡ଼ଡାକ୍ତରଖାନାରେ ଠିକ୍ରେ କାମ କରୁନି ଷ୍ଟେରିଲାଇଜେସନ୍ ବ୍ୟବସ୍ଥା। ଷ୍ଟିମ୍ରେ ଚାଲୁଥିବା ୬ରୁ ୪ଟି ମେସିନ୍ ଅଚଳ ହୋଇପଡ଼ିଛି। ଯେଉଁ ୨ଟି ମେସିନ୍ ଚାଲିଛି, ସେଥିରେ ୧୮ଟି ବିଭାଗର ୫୦ରୁ ଅଧିକ ଅସ୍ତ୍ରୋପଚାର(ଓଟି) ଉପକରଣ ଷ୍ଟେରିଲାଇଜ୍ କରାଯାଉଛି। ଅନ୍ୟପଟେ ଗ୍ୟାସ୍ ଦ୍ବାରା ଯେଉଁ ମେସିନ୍ ଚାଲିଥିଲା ତାହା ବି ଦୁଇ ଦିନ ହେଲା ଅଚଳ। ଫଳରେ ରୋଗୀଙ୍କୁ ସଂକ୍ରମଣ ଆଶଙ୍କା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଅପରାହ୍ଣ ୫ଟା ପରେ ଯଦି କୌଣସି ବିଭାଗରେ ଜରୁରିକାଳୀନ ଅସ୍ତ୍ରୋପଚାର କରାଯିବ, ତାହେଲେ ସେଥିରେ ସମସ୍ୟା ରହୁଛି। ବିଭାଗ ପକ୍ଷରୁ ଓଟି ପାଇଁ ଷ୍ଟେରିଲାଇଜେସନ୍ ବ୍ୟବସ୍ଥା ଆଗୁଆ କରାଯାଇ ନଥିଲେ ଅସ୍ତ୍ରୋପଚାର ହୋଇପାରିବ ନାହିଁ। ବର୍ତ୍ତମାନ ସ୍ଥିତିରେ କେବଳ ସକାଳ ୯ଟାରୁ ୫ଟା ଭିତରେ ଓଟି ଓ ଉପକରଣର ଷ୍ଟେରିଲାଇଜେସନ୍ ହୋଇପାରୁଛି। ଏ ସଂପର୍କରେ ଚିଠି ଲେଖି ଅବଗତ କରାଯାଇଥିଲେ ବି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ବି କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି।
କଟକ ବଡ଼ ଡାକ୍ତରଖାନାରେ ରହିଛି ୧୮ଟି ଓଟି, ଶହେରୁ ଅଧିକ ଆଇସିୟୁ। ଅସ୍ତ୍ରୋପଚାର କରିବା ପାଇଁ ପ୍ରତି ଉପକରଣ ଠାରୁ ଆରମ୍ଭ କରି ରୋଗୀ ଉପରେ ପଡ଼ୁଥିବା ଟରକିସ୍ ଓ ଓଟିରେ ବ୍ୟବହାର ହେବାକୁ ଥିବା ସାମଗ୍ରୀକୁ ଷ୍ଟେରିଲାଇଜ୍ କରିବାକୁ ପଡ଼ିଥାଏ। ଏସ୍ସିବିରେ ଷ୍ଟିମ୍ ଦ୍ବାରା ଷ୍ଟେରିଲାଇଜେସନ୍ ହେବାପାଇଁ ୬ଟି ମେସିନ୍ ରହିଛି। ସେଥିରୁ ୪ଟି ମେସିନ୍ ବହୁଦିନ ହେଲା ଖରାପ ହୋଇଯାଇଛି। ଏହାର ମରାମତି ହୋଇପାରୁନି। ଯେଉଁ ୨ଟି ମେସିନ୍ ରହିଛି ସେଥିରେ କେବଳ ଛୋଟ ଡ୍ରମ୍ ହିଁ ଷ୍ଟେରିଲାଇଜେସନ୍ ବା ବିଶୋଧନ ହୋଇପାରିବ। ସେହିପରି ଗ୍ୟାସଦ୍ବାରା ଷ୍ଟେରିଲାଇଜେସନ୍ ହେଉଥିବା ମେସିନ୍ ବି ୨ଦିନ ହେଲା ଖରାପ ରହିଛି। ଯାହାଫଳରେ ଏବେ ଷ୍ଟେରିଲାଇଜେସନ୍ ପାଇଁ ଏସ୍ସିବିରେ ଦୁଇଟି ମେସିନ୍ ଭରସାରେ ୧୮ଟି ଓଟି କକ୍ଷ ଓ ଶହେରୁ ଅଧିକ ଆଇସିୟୁରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ନିର୍ଭର କରିବାକୁ ପଡ଼ୁଛି। ଆଇସିୟୁରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଡ୍ରେସିଂ ହେଉ ବା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରତି ସାମଗ୍ରୀର ବିଶୋଧନ ଜରୁରି। ପ୍ରତିଦିନ ଅତିକମ୍ରେ ଏସ୍ସିବିରେ ୫୦ରୁ ଅଧିକ ଓଟି ଓ ଆଇସିୟୁ ସବୁବେଳେ ବ୍ୟବହାର ହେଉଛି। ସେହିପରି ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ରରେ ଷ୍ଟେରିଲାଇଜେସନ୍ ୟୁନିଟ୍ ରହିଥିଲେ ବି ତାହା ବ୍ୟବହାର ହେଉନି। ସେମାନେ ବିଶୋଧାନ ପାଇଁ ଏସ୍ସିବି ଷ୍ଟେରିଲାଇଜେସନ୍ ୟୁନିଟ୍ ଉପରେ ନିର୍ଭରଶୀଳ। ଏସ୍ସିବିରେ ବହୁଦିନ ହେଲା ଏଭଳି ଅଚଳାବସ୍ଥା ଲାଗି ରହିଥିଲେ ବି ଏହାର ସମାଧାନ ହୋଇପାରୁନି। ଏସ୍ସିବି କୁଳସଚିବ ଡକ୍ଟର ଅବିନାଶ ରାଉତଙ୍କ କହିବା ଅନୁଯାୟୀ ଏ ସଂପର୍କରେ ସରକାରଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ନଦେଲେ ଆଗକୁ ହୁଏତ
ଅଚଳାବସ୍ଥା ସୃଷ୍ଟି ହେବା ଆଶଙ୍କା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/SCB-Medical.jpg)