ଭିମ୍‌ସାର୍‌ରେ ରୋଗୀଙ୍କ ଜୀବନ ସହ ଖେଳ, ପୁଲିସ ପଞ୍ଝାରେ ୩ ଦଲାଲ

ସମ୍ବଲପୁର : ବୁର୍ଲା ଭିମ୍‌ସାର୍‌ରେ ଚାଲିଥିଲା ରୋଗୀଙ୍କ ଜୀବନ ସହ ଖେଳ। ରକ୍ତ ଦେବା ନାଁ ରେ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟ୍‌ କରା ଯାଉଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବୁର୍ଲା ବଡ଼ ଡାକ୍ତରଖାନାରେ ଖୋଲାଖୋଲି ଏହି ଲୁଟ ଜାରି ରହିଥିଲେ ବି ଏଥି ପ୍ରତି କେହି ଧ୍ୟାନ ଦେଉ ନଥିଲେ। ପ୍ରକୃତରେ କାହାରି ଦୃଷ୍ଟି ପଡ଼ୁ ନଥିଲା ନା ସବୁ କିଛି ଜାଣିଶୁଣି ଚାଲିଥିଲା ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରକ୍ତ ଦେବା ପାଇଁ ଟଙ୍କା ଲୁଟୁଥିବା ୩ ଜଣ ଦଲାଲଙ୍କୁ ବୁର୍ଲା ପୁଲିସ ଗିରଫ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, କରୋନା ସମୟରେ ବ୍ଲଡ୍‌ ବ୍ୟାଙ୍କ ଗୁଡ଼ିକରେ ରକ୍ତର ଅଭାବ ଲାଗି ରହିଥିଲାବେଳେ ଏହାର ସୁଯୋଗ ଉଠାଉଥିଲେ ଦଲାଲ। ବୁର୍ଲା ବଡ଼ ଡାକ୍ତରଖାନାକୁ ଆସୁଥିବା ଗରିବ ଅସହାୟଙ୍କୁ ରକ୍ତ ନାଁରେ ଠକି ଚାଲିଥିଲେ। ନିଜକୁ ମେଡିକାଲ୍‌ର କର୍ମଚାରୀ ବୋଲି ପରିଚୟ ଦେଇ ରକ୍ତ ଦେବା ପାଇଁ ମିଛ ପ୍ରତିଶ୍ରୁତି ଦେଉଥିଲେ ଓ ଟଙ୍କା ଲୁଟୁ ଥିଲେ। ତେବେ ଟଙ୍କା ଦେଇ ବି ରକ୍ତ ମିଳୁ ନଥିଲା। ରୋଗୀଟି ଡାକ୍ତରଖାନାରେ ମୃତ୍ୟୁ ସହ ଲଢ଼େଇ କରୁଥିବା ବେଳେ ସମ୍ପର୍କୀୟ ଜଣକ ଟଙ୍କା ଦେଇ ରକ୍ତ ପାଇଁ ଦଲାଲକୁ ଅପେକ୍ଷା କରି ରହିଥାଏ। ଦଲାଲକୁ ଅପେକ୍ଷା କରି ନିରାଶ ହେବା ପରେ ରୋଗୀଙ୍କ ସ୍ଥିତି ଗମ୍ଭୀର ହେଲେ ଅନ୍ୟତ୍ର ରକ୍ତ ଯୋଗାଡ଼ କରିଥାଏ ବା ନିଜ ପ୍ରିୟଜନକୁ ହରାଇଥାଏ। ଏହା ଜଣଙ୍କର କାହାଣୀ ନଥିଲା। ପ୍ରତି ଦିନ ଏଭଳି ଏକାଧିକ ଗରିବ ଅସହାୟଙ୍କୁ ଦଲାଲ୍‌ମାନେ ଦିନଦ୍ବିପହରେ ଲୁଟି ଚାଲିଥିଲେ।

ଏ ସଂପର୍କରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବୁର୍ଲା ଥାନା ପାଟ୍ରୋଲିଂ ଟିମ୍‌ ଭିମ୍‌ସାର୍‌ ବ୍ଲଡ୍‌ ବ୍ୟାଙ୍କ ନିକଟରେ ଚଢ଼ଉ କରିଥିଲା। ଏହା ସହିତ ରକ୍ତ ଦେବା ନାଁରେ ଦଲାଲି କରୁଥିବା ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଭିମ୍‌ସାର୍‌ ଶିଶୁ ବିଭାଗ ନିକଟ ଅଞ୍ଚଳର ଗରିବ ଲୁହା (୩୬), ଵାନ୍‌ ଆର୍‌ କଲୋନିର ଅଜିତ ନାଏକ ଓ କେନାଲପଡ଼ାର ଶଙ୍କର ବାରିକ। ଏହି ଦଲାଲ ମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ପାଖରୁ ଏକ ଅଟୋ ଏବଂ ନଗଦ ୧୫୦୦ ଟଙ୍କା ଜବତ କରିଛି।

ସମ୍ବନ୍ଧିତ ଖବର