ଗୋଟିଏ ଦିନରେ ନାଟ୍ୟକାର ବଟରାଜ ଓ ପତ୍ନୀଙ୍କ ପରଲୋକ

ପୁରୀ : ସ୍ବନାମଧନ୍ୟ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ ବଟରାଜ ଦେବ ଗୋସ୍ବାମୀ ଓ ତାଙ୍କ ପତ୍ନୀ ରାଧାରାଣୀଙ୍କର ଆଜି କୋଲକାତାଠାରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଏହି ଖବର ପ୍ରଚାର ହେବା ପରେ ନାଟ୍ୟ ଜଗତରେ ଆଗ୍ରହ ରଖିଥିବା କଳାକାରମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

କୋଲକାତାରେ ଥିବା ଝିଅ ଘରକୁ ୫ ଦିନ ତଳେ ବଟରାଜ ଓ ତାଙ୍କ ପତ୍ନୀ ରାଧାରାଣୀ ଯାଇଥିଲେ। ‌ସେଠାରେ କରୋନାରେ ସଂକ୍ରମିତ ହୋଇ ନାରାୟଣୀ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ମଧ୍ୟାହ୍ନରେ ସେଠାରେ ବଟରାଜଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଏହି ଦୁଃଖଦ ଖବରକୁ ପରିବାର ଲୋକେ ଶୁଣି ଭାଙ୍ଗିପଡ଼ିଥିବାବେଳେ ସନ୍ଧ୍ୟା ବେଳକୁ କୋଲକାତାରୁ ରାଧାରାଣୀଙ୍କର ପରଲୋକ ଖବର ପୁରୀରେ ପହଞ୍ଚିବା ପରେ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା। କାନ୍ଦ ବୋବାଳିରେ ତାଙ୍କ ଘର ଫାଟି ପଡ଼ୁଥିଲା। ବଟରାଜ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ର ନିର୍ଦ୍ଦେଶକ, ପ୍ରଯୋଜକ ମୋହନ ସୁନ୍ଦର ଦେବ ଗୋସ୍ବାମୀଙ୍କ ଅଣନାତି ଅଟନ୍ତି। ବଟରାଜ ୧୯୪୮ ମସିହା ଅଗଷ୍ଟ ମାସରେ ପିତା ଗୌରସୁନ୍ଦର ଦେବ ଗୋସ୍ବାମୀ ଓ ମାତା ଜ୍ୟୋତିର୍ମୟୀ ଗୋସ୍ବାମୀଙ୍କ କୋଳମଣ୍ଡନ କରି ମରିଚିକୋଟ ଲେନ୍‌ସ୍ଥିତ ଗୋସ୍ବାମୀ ଭବନରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଧର୍ମପତ୍ନୀ ରାଧାରାଣୀ, ପୁତ୍ର ଶମ୍ଭୁନାଥ ଏବଂ ୨ କନ୍ୟା ନମ୍ରତା ଓ ଅମ୍ରିତା ଅଛନ୍ତି।

ପ୍ରକାଶଥାଉକି, ନାଟ୍ୟକାର ବଟରାଜ ଅନେକ ନୂଆ ପ୍ରତିଭାଙ୍କୁ ତାଙ୍କ ନାଟକରେ ଅଭିନୟ ପାଇଁ ସୁଯୋଗ ଦେଇଛନ୍ତି। ଓଡ଼ିଶା ଓ ବାହାରେ ବିଭିନ୍ନ ମଞ୍ଚରେ ତାଙ୍କର ନାଟକ ମଞ୍ଚସ୍ଥ ହୋଇ କଳାପ୍ରେମୀ ମହଲରେ ବେଶ ଆଦୃତି ଲାଭ କରିଥି‌ଲା। ବେତାର ଓ ଦୂରଦର୍ଶନରେ ମଧ୍ୟ ତାଙ୍କ ନାଟକ ପ୍ରଚାରିତ ଓ ପ୍ରସାରିତ ହୋଇଛି। ତାଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ମଧ୍ୟରେ ମୋ ସ୍ତ୍ରୀ ବାହାଘର, କୋଣାର୍କର ଆର୍ତ୍ତନାଦ, ଅନୁରାଗ, ଦଶରୁ ପାଞ୍ଚ ସବୁ ଓଲଟା, ଷୋହଳରୁ ଷାଠିଏ, ଗହଣା, ନ ଦେଖିବା ଲୋକ ଦେଖ, ଅଠର ପୂରିଲା, ମହାସଂଗ୍ରାମ ଆଦି ଅନ୍ତର୍ଭୁକ୍ତ। ତାଙ୍କ ମୃତ୍ୟୁରେ ନାଟ୍ୟ ଓ କଳାପ୍ରେମୀ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପରଲୋକ ନାଟ୍ୟ ଜଗତ ପାଇଁ ଏକ ଅପୂରଣରୀୟ କ୍ଷତି ବୋଲି ଅଭିନନ୍ଦନିକାର ପ୍ରତିଷ୍ଠାତା ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି କହିଛନ୍ତି।

ସମ୍ବନ୍ଧିତ ଖବର