ସମ୍ବଲପୁର: ସମ୍ବଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ବନ୍ଦ କରିବାକୁ ଚାଲିଛି ଷଡ୍‌ଯନ୍ତ୍ର। ବାହାରକୁ ଖୋଲା ଦେଖାଯାଉଥିବା ଏହି ମୁକ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ହୋଇଯିବା ଉପରେ। ସରକାରୀ ଅବହେଳା ଓ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଅବସ୍ଥା ଖରାପ ହୋଇଗଲାଣି। ଏବେ ବିଶ୍ୱବିଦ୍ୟାଳୟର ସମ୍ମାନ ବଂଚାଇବା ପାଇଁ ବ୍ୟବସ୍ଥା କରୁଥିବା ଅଭିନୟ କରୁଛନ୍ତି ସରକାର। ସ୍ଥିତି ଏମିତି ହୋଇଛି ଯେ ସବୁଦିନ ପାଇଁ ବନ୍ଦ ହୋଇଯାଇପାରେ ସ୍ନାତକ ଓ ସ୍ନାତକୋତ୍ତରର ବିଭିନ୍ନ ପାଠ୍ୟକ୍ରମ।

Advertisment

୨୦୧୫ ମସିହାରେ ଓଏସଓୟୁ ସମ୍ବଲପୁରରେ ସ୍ଥାପନ ହୋଇଥିଲା। ଜିଏମୟୁ କ୍ୟାମ୍ପସରେ ଅସ୍ଥାୟୀ ଭାବେ ଏହା ଡିପ୍ଲୋମା କୋର୍ସ ସହ ଆରମ୍ଭ କରାଗଲା। ୨୦୧୭ରୁ ଓଏସଓୟୁରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ୫ବର୍ଷ ପାଇଁ ଅନୁମତି ମିଳିଥିଲା। ଏହା ପରେ ସ୍ନାତକର ୧୧ଟି ପାଠ୍ୟକ୍ରମ ଓ ସ୍ନାତକୋତ୍ତରର ୧୪ଟି ପାଠ୍ୟକ୍ରମରେ ପାଠପଢ଼ା ଚାଲିଥିଲା। କିନ୍ତୁ ୨୦୨୨ ମସିହା ଯାଏ ଶିକ୍ଷକ ଓ ଅଣଶିକ୍ଷକ ପଦ ସୃଷ୍ଟି ନ ହେବାରୁ ଠିକ୍ ସମୟରେ ନାକ୍ ମାନ୍ୟତା ପାଇଁ ବିଶ୍ୱବିଦ୍ୟାଳୟ ଆବେଦନ କରିପାରିନଥିଲା। ନାକ୍ ମାନ୍ୟତା ନଥିବାରୁ ୟୁଜିସି ଚଳିତ ବର୍ଷ ସ୍ନାତକ ଓ ସ୍ନାତକୋତ୍ତରର ୨୫ଟି ପାଠ୍ୟକ୍ରମରେ ନାମଲେଖା ଅନୁମତି ଦେଲା ନାହିଁ। ଅନୁମତି ନମିଳିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନାଁକୁ ମାତ୍ର ନାକ୍ ଟିମ୍ ଆସିବାକୁ ଏକ ଆବେଦନ ଅନ୍‌ଲାଇନରେ ବିଳମ୍ବରେ କରିଥିବା ସୂଚନା ମିଳିଛି।

ମିଳିଥିବା ସୂଚନାନୁଯାୟୀ, ବିଶ୍ୱବିଦ୍ୟାଳୟର କୁଳପତି ବହୁବାର ରାଜ୍ୟ ସରକାରଙ୍କୁ ଶିକ୍ଷକ ପଦ ସୃଷ୍ଟି ପାଇଁ ଅନୁରୋଧ କରିଥିଲେ। ଗତ ଏପ୍ରିଲ ବୈଠକରେ ବି ଶିକ୍ଷକ ପଦବି ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଶିକ୍ଷକ ପଦବି ସୃଷ୍ଟି କରାଗଲା ନାହିଁ। ଆଜିକାଲି ହେବ କହି ସରକାର ସମୟ ଗଡ଼ାଇ ଚାଲିଲେ। ଏପଟେ ନାକ ମନ୍ୟତା ପାଇଁ ଆବେଦନର ସମୟ ବିତି ଚାଲିଥିଲା। ଏପଟେ ପୂର୍ବରୁ କାର୍ଯ୍ୟରତ ଶିକ୍ଷକମାନଙ୍କ ପାଇଁ ଏଭଳି ସୃଷ୍ଟି କରାଯାଇଛି ଯେ ଅନେକ ଶିକ୍ଷକ ନିଜେ ଛାଡ଼ି ଚାଲି ଯାଇଛନ୍ତି କିମ୍ବା ସେମାନଙ୍କୁ ବିଭିନ୍ନ କାରଣରୁ ଦର୍ଶାଇ ବିଦା କରାଯାଇଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଲୋକଦେଖାଣିଆ ଭାବେ ୨୮ଜଣ ଅବସରପ୍ରାପ୍ତ ପ୍ରଫେସରଙ୍କୁ ଠିକା ଭିତ୍ତିରେ ନିଯୁକ୍ତି ଦେଇ ନାକ୍ ମାନ୍ୟତା ପାଇଁ ଆବେଦନ କରିଥିଲେ। ତାହା ବି ଦୋଷ ଲୁଚାଇବାକୁ ବହୁ ବିଳମ୍ବରେ ଏବେ କରାଯାଇଛି। ନାକ୍ ମାନ୍ୟତା ପାଇବାକୁ ହେଲେ ସ୍ନାତକ ଓ ସ୍ନାତକୋତ୍ତରର ୨୫ଟି ପାଠ୍ୟକ୍ରମ ପାଇଁ ୬୪ଟି ଶିକ୍ଷକ ପଦ ଦରକାର।

ତା’ ସ୍ଥାନରେ ୨୮ ପଦବିରେ ଅବସରପ୍ରାପ୍ତ ପ୍ରଫେସରଙ୍କୁ ଦେଖାଯାଇ ଆବେଦନ କରାଯାଇଥିବା ସୂଚନା ମିଳିଛି। ଏବେ ଯଦି ବି ନାକ୍ ଟିମ ଆସିବ, ତେବେ କେତୋଟି ପାଠ୍ୟକ୍ରମକୁ ଅନୁମତି ଦେବ? ଦରକାରରୁ ଅଧାରୁ କମ୍‌ ଶିକ୍ଷକ ପଦବି ଦେଖିଲେ ନାକ୍ ଟିମ୍ ଅନୁମତି ଦେବ ତ? ମିଳିଥିବା ତଥ୍ୟ ଅନୁସାରେ, ନାକ୍ ଟିମ୍ ଠିକା ଭିତ୍ତିରେ ଥିବା ୨୮ ପ୍ରଫେସରଙ୍କୁ ବିଚାରକୁ ନେଲେ ଯଦି ବି ଅନୁମତି ଦେବ ତାହେଲେ ୨୫ ପାଠ୍ୟକ୍ରମରୁ ମାତ୍ର ୯ଟିକୁ ଅନୁମତି ଦେଇପାରିବ। ବାକି ୧୬ଟି ପାଠ୍ୟକ୍ରମ ସବୁଦିନ ପାଇଁ ବନ୍ଦ ହୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏପଟେ ବିଶ୍ୱିଦ୍ୟାଳୟ କୁଳପତି ଏହି ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି। କିଛି ଦିନ ହେଲା ସେ ଛୁଟିରେ ଥିବା ତାଙ୍କ କାର୍ଯ୍ୟାଳୟକୁ ଗଲେ କହାଯାଉଥିବା ବେଳେ ଫୋନ୍ କଲେ ବି ଉଠାଉ ନାହାନ୍ତି। ଏଣୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି।