ଦାଦାବଟି ନ ଦେବାରୁ ନିଲମ୍ବିତ ସରପଞ୍ଚଙ୍କୁ ଉଠାଇନେଲେ : ମାଡ଼ ମାରି ଛାଡ଼ିଦେଲା ପିଏଲ୍‌ଏଫ୍‌ଆଇ!

ଘଟଣାସ୍ଥଳରେ ୧୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା, ୧୦ ଖୋକା, ୨ ଅଫୁଟା ଗୁଳି ଜବତ

ରାଉରକେଲା/ନୂଆଗାଁ : ୩ ଲକ୍ଷ ଟଙ୍କା ଦାଦା ବଟି ନ ଦେବାରୁ ଜଣେ ନିଲମ୍ବିତ ସରପଞ୍ଚଙ୍କୁ ଘରୁ ଉଠାଇ ନେଇ ମାଡ଼ମାରି ଛାଡ଼ି ଦେଇଛନ୍ତି କୁଖ୍ୟାତ ପିପୁଲସ୍ ଲିବରେସନ୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ) କିଛି ସଦସ୍ୟ। ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ତାଙ୍କୁ ମାଡ଼ ମାରିଥିଲେ ଓ ହତ୍ୟା ଧମକ ଦେଇ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ। ସେମାନେ ଗ୍ରାମବାସୀଙ୍କୁ ଭୟଭୀତ କରିବାକୁ ଘଟଣାସ୍ଥଳରେ ୧୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ପରେ ଦୁଇଟି ମୋଟର ବାଇକ୍‌ରେ ଝାଡ଼ଖଣ୍ଡ ପୋଡବା ଜଙ୍ଗଲ ଭିତରକୁ ଚାଲିଯାଇଥିଲେ। ଗତକାଲି ରାତି ପ୍ରାୟ ୯ଟାରେ ନୂଆଗାଁ ବ୍ଳକ ଅନ୍ତର୍ଗତ ଜାମଦାରା ଗାଁରେ ଏହି ଘଟଣା ଘଟିବା ପରେ ଆତଙ୍କ ଖେଳିଯାଇଛି।

ହାତୀବାରୀ ଥାନା ଓ ନୂଆଗାଁ ଫାଣ୍ଡି ପୁଲିସ ଘଟଣାସ୍ଥଳରୁ ୧୦ ଟି ଖୋକା, ୨ଟି ଅଫୁଟା ଗୁଳି ଜବତ କରିବା ସହିତ ଜଙ୍ଗଲରୁ ସରପଞ୍ଚ ଆଗ୍ନେସିୟୁସ ହରୋ (୫୦)ଙ୍କୁ ମଧ୍ୟ ଉଦ୍ଧାର କରିଥିଲେ। ସେପଟେ ଗ୍ରାମବାସୀଙ୍କ ସୂଚନା ଆଧାରରେ ସେମାନଙ୍କୁ ଧରିବାକୁ ହାତୀବାରୀ ଥାନା ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଆଜି ନିଲମ୍ବିତ ସରପଞ୍ଚ ଆଗ୍ନେସିୟସଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ଗ୍ରାମବାସୀମାନେ ଏହା ପିଲ୍‌ଏଫ୍‌ଆଇର କାଣ୍ଡ ବୋଲି କହିଛନ୍ତି। ପୁଲିସ କିନ୍ତୁ ଏ କଥାକୁ ଅସ୍ବୀକାର ନକଲେ ମଧ୍ୟ ଏହି କାଣ୍ଡ ପିଏଲ୍‌ଏଫ୍‌ଆଇ ନା ଅନ୍ୟ ଅପରାଧୀ କରିଛନ୍ତି ଏଯାଏ ସ୍ପଷ୍ଟ ହୋଇନାହିଁ ବୋଲି କହିଛି। ନିଲମ୍ବିତ ସରପଞ୍ଚ ଓ ସ୍ଥାନୀୟ ଗ୍ରାମବାସୀଙ୍କ ବୟାନ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ ଯେ ନୂଆଗାଁ ବ୍ଲକ୍‌ କର୍କଟନାସାର ପଞ୍ଚାୟତର ନିଲମ୍ବିତ ସରପଞ୍ଚ ଜାମଧାରାରେ ରହନ୍ତି। ସେ ପୋଟବ ଗାଁରେ ନିର୍ମାଣ ହୋଇଥିବା ପାଣିଟାଙ୍କି କାମ ଠିକା ନେଇଥିଲେ। ଗତକାଲି ରାତି ପ୍ରାୟ ୯ଟାରେ ଦୁଇଟି ମୋଟର ବାଇକ୍‌ରେ ୪ ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟ ହରୋଙ୍କ ଘରେ ପହଞ୍ଚି କବାଟ ବାଡ଼େଇଥିଲେ। ଭୟରେ ହରୋ କବାଟ ଖୋଲି ନଥିଲେ। ପରେ ୨ ପିଏଲ୍‌ଏଫ୍‌ଆଇ ସଦସ୍ୟ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ, ଅନ୍ୟ ଦୁଇଜଣ ଘର ବାହାରେ ଛିଡ଼ା ହୋଇଥିଲେ। ସେମାନେ ବନ୍ଧୁକ ଦେଖାଇ ହରୋଙ୍କୁ ଘର ବାହାକୁ ନେଇ ଆସିଥିଲେ। ପରେ ମୋଟର ବାଇକ ବସାଇ ପୋଟବ ଗାଁର ପାଣିଟାଙ୍କି ନିକଟକୁ ନେଇ ଯାଇଥିଲେ। ସେଠାରେ ହରୋଙ୍କୁ ଭୟଭୀତ କରିବା ପାଇଁ ପାଣିଟାଙ୍କି ଉପରକୁ ୧୨ ରାଉଣ୍ଡ ଗୁଳି ଚଳାଇଥିଲେ। ପ୍ରାୟ ୪୦ ମିନିଟ୍‌ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଗୁଳି ଚଳାଇ ସେମାନେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ। ପାଣିଟାଙ୍କି ନିର୍ମାଣ କାମ ବାବଦରେ ସେମାନେ ୩ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ହରୋ ଅକ୍ଷମତା ପ୍ରକାଶ କରିବାରକୁ ତାଙ୍କୁ ବାଇକ୍‌ରେ ବସାଇ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ମାଡ ମାରିବା ସହ ହତ୍ୟା ଧମକ ଦେଇ ଛାଡ଼ି ଚାଲି ଯାଇଥିଲେ। ପିଏଲ୍‌ଏଫ୍‌ଆଇ ଆତଙ୍କ ସୃ୍ଷ୍ଟି କରି ଚାଲିଯିବା ପରେ ଗ୍ରାମବାସୀମାନେ ଏ ସଂକ୍ରାନ୍ତରେ ନୂଆଗାଁ ଫାଣ୍ଡି ଓ ହାତୀବାରି ଥାନାକୁ ସୂଚନା ଦେଇଥିଲେ। ଉଲ୍ଳେଖଯୋଗ୍ୟ, ହରୋ ସୋଲାର ଲାଇଟ୍‌ କିଣା ଦୁର୍ନୀତି ଅଭିଯୋଗରେ ଗତ ୪ ମାସ ତଳେ ସରପଞ୍ଚ ପଦରୁ ନିଲମ୍ବିତ ହୋଇଥିଲେ।

ସମ୍ବନ୍ଧିତ ଖବର