ରାଉରକେଲା : ଶିଳ୍ପପତି, ବ୍ୟବସାୟୀଙ୍କ ଠାରୁ ମୋଟା ଅଙ୍କର ଦାଦା ବଟି ଆଦାୟର ମାଷ୍ଟରମାଇଣ୍ଡ ପିଏଲ୍ଏଫ୍ଆଇ ଜୋନାଲ କମାଣ୍ଡର ଅର୍ଜୁନ ରାଣା ଓରଫ କପିଲ ପାଠକକୁ ରାଉରକେଲା ପୁଲିସ ଗିରଫ କରିଛି। ତା ନିକଟରୁ ପୁଲିସ ଗୋଟିଏ ସେମି ଅଟୋମେଟିକ୍ ବନ୍ଧୁକ, ୫ଟି ଅଫୁଟା ଗୁଳି ଜବତ କରିଛି। ସେ ପିଏଲ୍ଏଫ୍ଆଇ ସୁପ୍ରିମୋ ଦିନେଶ ଗୋପର ଘନିଷ୍ଠ ସହଯୋଗୀ ଥିଲା। ଗତ କିଛି ବର୍ଷ ତଳେ ସେ ଝାଡ଼ଖଣ୍ଡ ପୁଲିସ ଦ୍ବାରା ଗିରଫ ହୋଇ ଜେଲ ଥିଲା। ଜେଲରୁ ବାହାରିବା ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ନିଜର ନେଟ୍ୱାର୍କ ଚଳାଇଥିଲା। ଓଡ଼ିଶା-ଝାଡ଼ଖଣ୍ଡ ବୀରମିତ୍ରପୁର ସୀମାନ୍ତ ଧମକପୂର୍ଣ୍ଣ ପୋଷ୍ଟର ମାରିବା ଘଟଣାରେ ସମ୍ପୃକ୍ତ ଥିଲା।
ରାଉରକେଲାର ଅମିତ କୁମାର ସାହୁ ସମେତ ଅନ୍ୟ କିଛି ସହଯୋଗୀଙ୍କ ସହାୟତାରେ ବୀରମିତ୍ରପୁର ଓ ରାଉରକେଲା ବ୍ୟବସାୟୀ ଓ ଶିଳ୍ପପତିଙ୍କୁ ମୋବାଇଲ ନମ୍ବର ସଂଗ୍ରହ କରୁଥିଲା। ପରେ ସେମାନଙ୍କୁ ନିଜର ଧମକପୂର୍ଣ୍ଣ ଭିଡିଓ କ୍ଲିପ୍ ପଠାଇ ଭୟଭୀତ କରି ମୋଟା ଅଙ୍କର ବଟି ମାଗୁଥିଲା। ଗତ କିଛି ମାସ ତଳେ ଅର୍ଜୁନର ସହଯାଗୀ ଅମିତ କୁମାର ସାହୁ ଓ ଅନ୍ୟ ଦୁଇ ଜଣଙ୍କୁ ରଘୁନାଥପାଲୀ ପୁଲିସ ଗିରଫ କରିଥିଲା। ସେତେବେଳେ ଏମାନଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ, ଗୋଟିଏ ପିସ୍ତଲ, ୧୨ଟି ଅଫୁଟା ଗୁଳି, ପୋଜେରୋ କାର୍, ମୋଟରବାଇକ୍ ଜବତ ହୋଇଥିଲା। ସେହିପରି ବୀରମିତ୍ରପୁର ଜଣେ ବ୍ୟବସାୟୀ ଅପହରଣ ମାମଲାରେ ମଧ୍ୟ ମାଷ୍ଟରମାଇଣ୍ଡ ଥିଲା ଅର୍ଜୁନ। ତାର ୧୩ ସହଯୋଗୀଙ୍କୁ ପୁଲିସ ଗିରଫ କରିଥିଲେ ହେଁ ଅର୍ଜୁନ ଫେରାର ହୋଇଯାଇଥିଲା। ଏମାନଙ୍କ ନିକଟରୁ ୨ଟି ପିସ୍ତଲ, ତିନିଟି ବନ୍ଧୁକ ସହ ୫ ଅଫୁଟା ଗୁଳି ଜବତ ହୋଇଥିଲା।
ଶନିବାର ଦିନ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଭୁକେଶ କୁମାର ଭାମୋ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂର୍ବରୁ ଗିରଫ ହୋଇଥିବା ଅମିତ ସାହୁ ଅର୍ଜୁନ ରାଣାକୁ ବ୍ରିଜା କାର୍ ଦେଇଥିଲା। ଯେଉଁ କାରକୁ ଆସାମର ଡେମଜି ଜିଲ୍ଲା ଅନ୍ତର୍ଗତ ଗୋଗାମୁଖ ଥାନା ଜବତ କରିଛି। ତା ଗ୍ୟାଙ୍ଗର ଅନ୍ୟ ସହଯୋଗୀକୁ ଗିରଫ କରିବାକୁ ପୁଲିସ ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/rkl.jpg)