ପୁଲିସ୍‌ ସହ ଗୁଳି ବିନିମୟ : ପିଏଲ୍‌ଏଫ୍‌ଆଇ କମାଣ୍ଡର ନିହତ

ରାଉରକେଲା : ପିପୁଲ୍‌ସ ଲିବରେସନ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ) ଏରିଆ କମାଣ୍ଡର ବିଜୟ ଡାଙ୍କ୍‌ ଓରଫ୍‌ ବିଜୟ ଟାଇଗର୍‌ (୨୬) ପୁଲିସ ଗୁଳିରେ ନିହତ ହୋଇଛି। ଗତକାଲି ରାତି ପ୍ରାୟ ୧୧ଟାରେ ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସିମଡେଗା ଜିଲ୍ଲାର କୋଲେବିରା-ଜଲଡେଗା ସୀମାବର୍ତ୍ତୀ ଝାପଲା ଜଙ୍ଗଲଠାରେ ପୁଲିସ୍‌-ପିଏଲଏଫ୍‌ଆଇ ଗୁଳି ବିନିମୟ ବେଳେ ସେ ଟଳି ପଡ଼ିଛି। ତେବେ, ବିଜୟଙ୍କ ୭ ଜଣ ସହଯୋଗୀ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି।

ଝାଡ଼ଖଣ୍ଡ ସିମଡେଗା ଜିଲ୍ଲା କୋଲେବିରା ଥାନା ଅନ୍ତର୍ଗତ ପୋଗଲୟା ଗ୍ରାମର ମୂଳବାସିନ୍ଦା ବିଜୟ ୨୦୧୨ ମସିହାରେ ପିଏଲଏଫ୍‌ଆଇ ସଂଗଠନରେ ଯୋଗ ଦେଇଥିଲା। ପିଏଲ୍ଏଫ୍‌ଆଇର ସୁପ୍ରିମୋଙ୍କ ନିର୍ଦେଶକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାରୁ ତାଙ୍କୁ ଏରିଆ କମାଣ୍ଡରକୁ ପଦୋନ୍ନତି ମିଳିଥିଲା।

ବିଜୟ ନାଁରେ ରାଏବଗା ଥାନାରେ ୩ଟି ମାମଲା ଥିବା ଜଣାପଡ଼ିଛି। ୨୦୧୭ ନଭେମ୍ବର ୧୧ ତାରିଖରେ ସୁନ୍ଦରଗଡ଼-ସୀମଡେଗା ପୁଲିସ ମିଳିତ ସର୍ଚ୍ଚ ଅପରେସନ କରୁଥିବା ‌ବେଳେ ବିଜୟଙ୍କ ଗ୍ୟାଙ୍ଗ୍‌ ପୁଲିସ ଉପରକୁ ଗୁଳି ଚଲାଇ ଥିଲା। ସେତେବେଳେ ରାଏବଗା ପୁଲିସ ୪ ପିଏଲଏଫ୍‌ଆଇ ସଦସ୍ୟ ଓ ସମର୍ଥକ ଯଥା-ଜୟପାଲ ଟପ୍ନୋ, ସୁଶୀଳ ହାଁସଦା, ଅନୀଲ ହାଁସଦା ଓ ବନଦୀପ ଡାଙ୍ଗକୁ ଧରିଥିଲା। ତେବେ ଏରିଆ କମାଣ୍ଡର ବିଜୟ ଫେରାର ହେବାରେ ସକ୍ଷମ ହୋଇଥିଲା। ବିଜୟ ଝାଡ଼ଖଣ୍ଡର ବାନୋ, ସୀ‌ମଡେଗା ଜିଲ୍ଲାର ବିଭିନ୍ନ ଥାନାରେ ୨୧ଟି ହତ୍ୟା, ଲେଭି ପାଇଁ ମାଡ଼ପିଟ, ଧମକଚମକ, ଲୁଟ୍‌, ଚୋରି, ଡକାୟତି ଆଦି ଘଟଣାରେ ସଂଶ୍ଲିଷ୍ଟ ଥିଲା। ବିଜୟ ମୁଣ୍ଡରେ ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା ଝାଡ଼ଖଣ୍ଡ ସରକାର।

ଶେଷରେ, ସୁରକ୍ଷା ଯବାନଙ୍କ ହାତରେ ମୃତ୍ୟୁବରଣ କରିଛି ବିଜୟ। ଓଡ଼ିଶାରେ ସଂଘଟିତ ପିଏଲ୍‌ଏଫଆଇ ଅପରାଧର ଛାନ୍‌ଭିନ୍ ପାଇଁ ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରଙ୍କ ନିର୍ଦ୍ଦେଶରେ ଏକ ପୁଲିସ ଦଳ ସିମଡେଗାରେ ପହଞ୍ଚିଥିବା ଜଣାପଡ଼ିଛି।

ମୃତ ବିଜୟ ପାଖରୁ ଗୋଟିଏ ଦେଶୀ ପିସ୍ତଲ ଓ ଗୋଟିଏ ଜୀବନ୍ତ ଗୁଳି, ଏ.କେ. ୪୭ର ୨ଟି ଖୋକା, ୨ଟି ମୋବାଇଲ, ବାଇକ୍‌ ଚାବି ଆଦି ଜବତ ହୋଇଛି। ବହୁ ହତ୍ୟା, ଲୁ୍‌ଟ, ଚୋରି, ଲେଭି ଆଦାୟ, ହତ୍ୟାଧମକ ଆଦି ମାମଲାରେ ଜଡ଼ିତ ଏହି ଦୁର୍ଦ୍ଦଶ ଏରିଆ କମାଣ୍ଡର୍‌ ବିଜୟ ସୁନ୍ଦରଗଡ଼ ଜିଲ୍ଲା ପୁଲିସ ଅଧିନସ୍ଥ ରାଏବଗା, ବୀରମିତ୍ରପୁର, ହାତୀବାରୀ, କୁଆରମୁଣ୍ଡା ଅଂଚଳରେ ବହୁ ଅପରାଧରେ ସମ୍ପୃକ୍ତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର