ଡିସେମ୍ବର ୨ରୁ ପିଏଲଜିଏ ସପ୍ତାହ

ଛତିଶଗଡ଼ରେ ମରିଛନ୍ତି ୧୫୫ ନକ୍ସଲ

ମାଲକାନଗିରି : ଡିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ନକ୍ସଲ ପାଳନ କରିବାକୁ ଯାଉଛନ୍ତି ପିଏଲଜିଏ ସପ୍ତାହ। ପୁଲିସ ଗୁଳିରେ ପ୍ରାଣ ହରାଇଥିବା ନକ୍ସଲଙ୍କ ସ୍ମୃତି ଚାରଣ ପାଇଁ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଚାଲିଛି ପ୍ରସ୍ତୁତି। ଏଭଳି ସ୍ଥିତିରେ ମାଓବାଦୀଙ୍କ ଦକ୍ଷିଣ ବସ୍ତର ଡିଭିଜନ ପକ୍ଷରୁ ଗଣମାଧ୍ୟମକୁ ଚିଠି ପଠାଯାଇଛି। ଛତିଶଗଡ଼ରେ ସୁରକ୍ଷା କର୍ମୀଙ୍କ ଦ୍ୱାରା ଚାଲିଥିବା ମିସନ୍‌-୨୦୧୭ ରେ ଏ ଯାଏଁ ନକ୍ସଲ ସଂଗଠନର ୧୫୫ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ସେ ମଧ୍ୟରୁ ୧୧୫ଜଣ ଦଣ୍ଡକାରଣ୍ୟ ଅଞ୍ଚଳର। ଏଥିସହ ଏହି ମୃତ ନକ୍ସଲଙ୍କ ମଧ୍ୟରେ ୪୫ଜଣ ଆଗଧାଡ଼ିର ନେତା ଥିଲେ ଏହି ଚିଠିରେ ଦର୍ଶାଯାଇଛି। ଅନ୍ୟ ପକ୍ଷରେ ନକ୍ସଲଙ୍କ ଆକ୍ରମଣରେ ୬୨ଜଣ ସୁରକ୍ଷା କର୍ମୀ ମରିଥିବା ବେଳେ ୬୮ଜଣ ଆହତ ହୋଇଛନ୍ତି। ସୁରକ୍ଷା କର୍ମୀଙ୍କ ଠାରୁ ନକ୍ସଲ ୩୫ଟି ଅତ୍ୟାଧୁନିକ ଅସ୍ତ୍ର ଏବଂ ୩୫ଶହ ଗୁଳି ଜବତ କରାଯାଇଛି। ଏହି ସମୟ ମଧ୍ୟରେ ପୁଲିସ ଇନଫର୍ମର ସାଜିଥିବା ୨୦ ଜଣଙ୍କୁ ହତ୍ୟା କରାଯାଇଥିବା ନକ୍ସଲଙ୍କ ଏହି ଚିଠିରେ ଉଲ୍ଲେଖ କରାଯାଇଛି।

ଆସନ୍ତା ଡିସେମ୍ବର ୨ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରିବାକୁ ସଂଗଠନ ଆହ୍ଵାନ ଦେବା ସହ ଏହି ଅବସରରେ ଗାଁ ଗାଁରେ ଲୋକେ ସରକାରଙ୍କ ଅସଲି ଚେହେରା ଦେଖିବା ବୋଲି କହିଛନ୍ତି। ସରକାର ମିଶନ- ୨୦୧୭ ଚଳାଇ ନକ୍ସଲଙ୍କୁ ସଂପୂର୍ଣ୍ଣ ରୂପେ ଦମନ କରିବେ ବୋଲି ଯେଉଁ ଆଶା ବାନ୍ଧିଛନ୍ତି ତାହା କେବେ ମଧ୍ୟ ପୂରଣ ହେବ ନାହିଁ। ସଂଗଠନ ଆହୁରି ମଜବୁତ ହେବ ବୋଲି କୁହାଯାଇଛି। ସଂଗଠନରେ ପ୍ରତିଦିନ ବହୁ ଯୁବକଯୁବତୀ ସାମିଲ ହେଉଥିବା କୁହାଯାଇଛି। ତେବେ ଏହି ମିଶନରେ ନକ୍ସଲ ସଂଗଠନର ଆଗଧାଡିର ନେତା ନାରାୟଣ ସନ୍ୟାଲ,କୁପ୍ପୁ ଦେବରାଜ,ରଘୁନାଥ ମହନ୍ତ,ହିମାଦ୍ରି ରାୟ,ଅଜିତା, ଭୀମା,ବିଜ୍ଜେ,ଅନିଲ,ରବି,ଲଖୁ ପ୍ରମୁଖ ମୃତ୍ୟୁବରଣ କରିଥିବା କୁହାଯାଇଛି।

ଏହି ଚିଠିରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ଛତିଶଗଡ ସରକାର ଗୋଟିଏ ପଟେ ଗୁଳି ନଚଳାଇବା ପାଇଁ କହୁଥିବା ବେଳେ ଅନ୍ୟ ପଟେ ଗ୍ରାମରେ ପଶି ଲୋକଙ୍କୁ ହଇରାଣ କରୁଛନ୍ତି। ଅପରେସନ ପ୍ରହାର-୨ ନାମରେ ଲୋକଙ୍କୁ ନିର୍ଯାତନା ଦିଆଯାଉଛି। ଲୋକଙ୍କ ସୁବିଧା ପାଇଁ ଓଡିଶା ଏବଂ ଛତିଶଗଡ ସରକାର କୌଣସି ଧ୍ୟାନ ନଦେଇ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।ବର୍ତ୍ତମାନ ଛତିଶଗଡରେ ୧୧୧ ଜଣ ଚାଷୀ ମରିଥିବା ବେଳେ ଓଡିଶାରେ ମଧ୍ୟ ମୃତ୍ୟୁସଂଖ୍ୟା କମ୍‌ ନୁହେଁ। ଚାଷୀଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରାଯାଉ ନାହିଁ ବୋଲି ଅଭିଯୋଗ କରାଯାଇଛି।

ସମ୍ବନ୍ଧିତ ଖବର