ମାଲକାନଗିରି : ନକ୍ସଲ ସଂଗଠନରେ ହୋଇ ବଡ଼ଧରଣର କ୍ଷମତା ପରିବର୍ତ୍ତନ। ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା ପିଏଲଜିଏ କମାଣ୍ଡର ହିଡ଼ମାଙ୍କୁ ଦିଆଯାଇଛି ସଂଗଠନର ପ୍ରମୁଖ ପଦବି। ଛତିଶଗଡ଼ ରାଜ୍ୟ ପାଇଁ ସଂଗଠନର ମୁଖ୍ୟ ଭାବେ କେନ୍ଦ୍ରୀୟ କମିଟି ତାଙ୍କୁ ନୂଆ ଦାୟିତ୍ବ ଦେଇଛି। ଆଗକୁ ସେ ସଂଗଠନକୁ ବିସ୍ତାର କରିବା ସହ ସମସ୍ତ କାର୍ଯ୍ୟକଳାପର ନେତୃତ୍ବ ନେବେ ବୋଲି ସୂଚନା ମିଳିଛି।
ଗତ ଡିସେମ୍ବର ମାସରେ ସଂଗଠନକୁ ଲାଗିଥିବା ଶକ୍ତ ଧକ୍କା। ମାଓନେତା ରାମାନ୍ନା ଓରଫ ଆର. ଶ୍ରୀନିବାସନଙ୍କ ହଠାତ୍ ମୃତ୍ୟୁ ହୋଇଥିଲା। ଟାଇଫଏଡରେ ଆକ୍ରାନ୍ତ ହୋଇ ରାମାନ୍ନା ପ୍ରାଣ ହରାଇଥିଲେ। ଏହାପରେ ସଂଗଠନରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା। କେନ୍ଦ୍ରୀୟ କମିଟି ବିଚାର ବିମର୍ଶ କରିବା ଶେଷରେ ହିଡ଼ମାଙ୍କ ନାମକୁ ଆଗକୁ ବଢ଼ାଇଥିଲେ। ଶେଷ ନିଷ୍ପତ୍ତି ଅନୁଯାୟୀ ଛତିଶଗଡ଼ ରାଜ୍ୟ ପାଇଁ ତାଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି। ସୁକମା ଜିଲ୍ଲାରେ ହେଉଥିବା ଅଧିକାଂଶ ମାଓ ହିଂସାକାଣ୍ଡରେ ହିଡ଼ମା ମୁଖ୍ୟ ଭୂମିକା ଗ୍ରହଣ କରୁଥିଲା। ଏକ୍ସନ ଟିମ୍ ଏବଂ ମିଲିସିଆ ଦଳର ସେ ମୁଖ୍ୟ ଭାବେ ମନୋନୀତ ହୋଇଛନ୍ତି। ଛତିଶଗଡ଼ରେ ଆଗାମୀ ଦିନରେ ଯେତେ ସବୁ ମାଓ ଗତିବିଧି, ହିଂସା ଏବଂ ନିଯୁକ୍ତି ଆଦି ଦିଆଯିବ ତାହାର ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ ରହିଛି। ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ପୁଲିସ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇ ଆଗାମୀ ଦିନ ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଅନ୍ୟପଟେ ହିଡ଼ମା ଜଣେ କୁଖ୍ୟାତ ମାଓନେତା ହୋଇଥିବାରୁ ନିଜ ପତିଆରାକୁ ଜାହିର କରିବାକୁ ଆଗକୁ କିଛି ବଡ଼ଧରଣର କାଣ୍ଡ କରିବେ ବୋଲି ଅନୁମାନ କରାଯାଉଛି। ତେଣୁ ସୁରକ୍ଷାକର୍ମୀ ଏବଂ ପୁଲିସ ଏହାକୁ ନେଇ ଚିନ୍ତିତ ଥିବା ମଧ୍ୟ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/hidma.jpg)