ଫୁଲବାଣୀ/ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ଅଞ୍ଚଳରେ ଗତକାଲି ‌କେ‌କେବିଏନ୍‌ ମାଓ ସଂଗଠନ ପକ୍ଷରୁ ପୋଷ୍ଟର ଲାଗିଥିବା ବେଳେ ଆଜି କୋଟଗଡ଼ ଥାନା ଯୋଡ଼ାବାଲି ଛକ ନିକଟରେ ଗଛରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଗଛ କାଟି ପକାଇ ଜାତୀୟ ରାଜପଥକୁ ଅବରୋଧ କରିବା ସହ ମାଓବାଦୀଙ୍କ ପକ୍ଷରୁ ୩ଟି ପୋଷ୍ଟର୍‌ ଲାଗିଥିବା ଦେଖିବାକୁ ମିଳିଛି। ଖବରପାଇ ସକାଳେ କୋଟଗଡ଼ ପୁଲିସ ପହଞ୍ଚି ପୋଷ୍ଟର୍‌ ଜବତ କରିଥିଲା। ଦୀର୍ଘ ସମୟ ରାସ୍ତାରେ ଗଛ ପଡି ରହିଥିବା ବେଳେ କିଛି ବ୍ୟକ୍ତିଙ୍କ ଦ୍ବାରା ଏହାକୁ ରାସ୍ତାରୁ ହଟାଯାଇଛି। ବର୍ତ୍ତମାନ ଏହି ରାସ୍ତାରେ ଯାତାୟାତ ସ୍ବାଭାବିକ ଥିବା ବେଳେ କୋଟଗଡ଼ ପୁଲିସ କେସ ନଂ ୯୧/୨୦ରେ ମାମଲା ରୁଜୁ କରି ଅଧିକ ତନାଘନା ଚଳାଇଥିବା ଏସ୍‌ଡିପିଓ ମାନସ ରଂଜନ ବାରିକ ସୂଚନା ଦେଇଛନ୍ତି।

Advertisment

publive-image

ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାରେ ମାଓ ଦମନ ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସମୟରେ କମ୍ବିଂ ଅପରେସନ ଜାରି ରହିଛି। ଗତ ମାସକ ମଧ୍ୟରେ ପୁଲିସ ଓ ମାଓ ମଧ୍ୟରେ ଦୁଇଦୁଇ ଥର ମୁହାଁମୁହିଁ ହୋଇଥିବା ବେଳେ ଜଣେ ମହିଳା ମାଓ କ୍ୟାଡ଼ରଙ୍କ ମୃତ୍ୟୁ ହୋଇଛି। ଗତ ୬ ମାସ ମଧ୍ୟରେ ପୁଲିସ ଗୁଳିରେ ୧୩ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ଯାହା ଫଳରେ ମାଓବାଦୀ ରକ୍ତମୁଖା ହୋଇ ପଡିଛନ୍ତି। ସାହସ ଜୁଟୁ ନଥିଲେ ବି ଦମ୍ ଦେଖାଇ ଉପସ୍ଥିତି ଜାହିର କରିବାକୁ ମାଓବାଦୀ ଉଦ୍ୟମ ଚଳାଇଛନ୍ତି। ପୁଲିସ ପକ୍ଷରୁ ମାଓବାଦୀଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି। ହେଲେ ମାଓ ସଂଗଠନ ପୁଲିସର କାର୍ଯ୍ୟାନୁଷ୍ଠାନରେ ପ୍ରତିହିଂସା ପରାୟଣ ହୋଇ ବଡ଼ ଧରଣର ହିଂସା ଘଟାଇବାକୁ ଉଦ୍ୟମ କରୁଛନ୍ତି। ବିଭିନ୍ନ ସମୟରେ ପୋଷ୍ଟର ମାରି ନିଜର ସ୍ଥିତି ଜାହିର କରୁଛନ୍ତି। ଗତକାଲି ଛାଡ଼ି ଯାଇଥିବା ପୋଷ୍ଟର୍‌ରେ ‘ପୁଲିସ ଇନଫର୍ମର ହୁଅ ନାହିଁ, ପୁଲିସର ଚାମଚଗିରି କର ନାହିଁ, ହେଲେ ପରିସ୍ଥିତି ଭୟା‌ବହ ହେବ’ ବୋଲି ସତର୍କ କରାଯାଇଛି। ତେବେ ଜନସାଧାରଣ ମାଓବାଦୀଙ୍କ ପାଇଁ ଭୟଭୀତ ହୁଅନ୍ତୁ ନାହିଁ। ଉଚିତ ମୁକାବିଲା କରିବାକୁ ପୁଲିସ ସବୁ ସମୟରେ ପ୍ରସ୍ତୁତ ରହିଛି ବୋଲି ଏସ୍‌.ପି ଭିନୀତ୍‌ ଅଗ୍ରୱାଲ କହିଛନ୍ତି। ପୂର୍ବଭଳି କମ୍ବିଂ ଅପରେସନ ଚାଲିଛି। ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି ବୋଲି ସେ କହିଛନ୍ତି।